Odiapua.com

ରାସ୍ତା ନାଁରେ କାଟି ଦେଲେ ଗଛ, ବ୍ୟକ୍ତି ସ୍ୱାର୍ଥ ପାଇଁ ପରିବେଶ ନଷ୍ଟ, ପ୍ରଶାସନର ଭୂମିକା ନେଇ ଉଠିଲା ପ୍ରଶ୍ନ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ବ୍ୟକ୍ତିର ସ୍ୱାର୍ଥ ପାଇଁ ସର୍ବସାଧାରଣ ସ୍ଥାନରୁ ଏକାଧିକ ମୂଲ୍ୟବାନ ଗଛ କାଟି ଦିଆଯିବା ଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଧାମନଗର ବ୍ଳକର ରଇପୁର ପଂଚାୟତ ରେ।ଏହି ଘଟଣାରେ ପ୍ରଶାସନର ଭୂମିକାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ଏବଂ ଏହା ରଇପୁର ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।ଜଣାଯାଇଛି ଯେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରଇପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଜାଗାକୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି।ଏଥି ସକାଶେ ବୈତରଣୀ ନଦୀରୁ ବାହାରି ବ୍ୟାପକ ଅଂଚଳର ଚାଷଜମିକୁ ଜଳସେଚିତ କରୁଥିବା ଏକ ପ୍ରାଚୀନ ନାଳର ପୂର୍ବ ପାର୍ଶ୍ୱ ହୁଡାକୁ ନଷ୍ଟ କରିବା ସହ ଏଠାରେ ଥିବା ପାଖାପାଖି ୫୦ ଟି ତାଳ,ଚାମୁଣ୍ଡା,ନିମ୍ବ,ବାଉଁଶ ଆଦି ଗଛକୁ କାଟି ଦିଆଯାଇଥିବା ଜଣାପଡିଛି। ବର୍ତମାନ ସମୟରେ ବୃକ୍ଷ କାଟିବା ପ୍ରକୃତି ଓ ପରିବେଶ ସୁରକ୍ଷା ଉପରେ ଗଭୀର ପ୍ରଭାବ ପଡୁଛି।ଏପରି ସ୍ଥଳେ ପ୍ରଶାସନ ସମୂହ ସ୍ୱାର୍ଥକୁ ଆଡ଼େଇ ଯାଇ ନିର୍ଦ୍ଦିଷ୍ଟ ଜଣଙ୍କ ପାଇଁ ଆଗଭର ହୋଇ କାର୍ଯ୍ୟ କରିଛି।ଧାମନଗର ତହସିଲଦାର ଏବଂ ପୁଲିସ ମୁତୟନ ହୋଇ ଅନେକ ପୁରୁଣା ଗଛ କାଟି ଦିଆଯାଇଛି ବୋଲି ଗ୍ରାମବାସୀ ଆରୋପ ଆଣିଛନ୍ତି।କାହିଁ କେଉଁ ଦିନରୁ ଥିବା ପାଣି ନାଳକୁ କ୍ଷତି ପହଁଚାଇବା ଏବଂ ଅନେକ ଗଛ କାଟି ଦେଇଥିବା ବ୍ୟକ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରିଥିବା ପ୍ରଶାସନ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ଏବଂ ଏହାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠାଇଛନ୍ତି।ଏଭଳି ଘଟଣା ସମ୍ପର୍କରେ ଧାମନଗର ତହସିଲଦାର ଦୀପକ କୁମାର ଦାସଙ୍କ ପ୍ରତିକ୍ରିୟା ନିଆଯାଇଥିଲା।ସେ ଏନେଇ କହିଛନ୍ତି ଯେ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ।ସରକାରୀ ନିର୍ଦ୍ଦେଶ ମତେ ଗଛ କାଟିବା ବେଳେ ସେ ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ସେଠାରେ ଉପସ୍ଥିତ ଥିଲେ।ରଇପୁର ଗ୍ରାମବାସୀ ଆଜି ଏହି ପ୍ରସଙ୍ଗରେ ଧାମନଗର ତହସିଲଦାର ଏବଂ ବିଡିଓଙ୍କ ଠାରେ ସେମାନଙ୍କ ଅଭିଯୋଗ ଉତଥାପନ କରିଛନ୍ତି।