Odiapua.com

ରାସ୍ତା ଦୁର୍ଘଟଣାରେ ପ୍ରାଥମିକ ଉଦ୍ଧାରକାରୀଙ୍କ ପ୍ରଶିକ୍ଷଣ ଶିବିର

ନୟାଗଡ଼, ୨୧ା୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଆଂଚଳିକ ପରିବହନ ଅଧିକାରୀଙ୍କ ତତ୍ୱାବଧାନରେ ମୁଥାଗାଡ଼ିଆ ସରପଂଚଙ୍କ ଉଦ୍‌ଯୋଗ କ୍ରମେ ନୟାଗଡ଼ ନୂଆ ବସଷ୍ଟାଣ୍ଡ ପରିସରରେ ଏକତ୍ରିତ ହୋଇଥିବା ଲୋକମାନଙ୍କ ପାଇଁ ଦୁର୍ଘଟଣାରେ ପିଡ଼ିତମାନଙ୍କ ଉଦ୍ଧାରକାରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରାସ୍ତା ଦୁର୍ଘଟଣାରେ ପିଡ଼ିତ ଲୋକମାନଙ୍କୁ ତାଙ୍କ ବିଭାଗ ତରଫରୁ ୫୦ହଜାର ଟଙ୍କାରୁ ୨ଲକ୍ଷ ପର୍ଯ୍ୟନ୍ତ ଏବଂ ରକ୍ଷକମାନଙ୍କୁ ୨ହଜାର ଟଙ୍କାର ସାହାଯ୍ୟ ଦିଆଯାଇଥାଏ। ରାସ୍ତ ଦୁର୍ଘଟଣାର ରକ୍ଷାକାରୀମାନେ କୌଣସି ମତେ ଦୋଷୀ ନୁହଁନ୍ତି ବୋଲି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ବିଷୟରେ ସେ କହିଥିଲେ। ତେଣୁ ଏଥି ପାଇଁ ରକ୍ଷକମାନେ ପୋଲିସ, ନ୍ୟାୟାଳୟ କାହାକୁ ଭୟ ନକରି ଦୁର୍ଘଟଣା ଜନିତ ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ତାଙ୍କ ବକ୍ତବ୍ୟରେ ଅଳ୍ପଦିନ ତଳେ ପଣ୍ଡୁସର ବ୍ରିଜଠାରେ ହୋଇଥିବା ଦୁର୍ଘଟଣାର ଦୃଷ୍ଟାନ୍ତ ଦେଇ କହିଲେ ଯେ, ଉଦ୍ଧାରକାରୀମାନେ ଶତପ୍ରତିଶତ ନିଜକୁ ସୁରକ୍ଷିତ ରଖି ଉଦ୍ଧାର କାର୍ଯ୍ୟରେ ଅଂଶ ଗ୍ରହଣ କରିବା ଉଚିତ୍। ଆମେ ସମସ୍ତେ ରାସ୍ତାର ନିୟମ ମାନି ନିରାପଦରେ ଯାତ୍ରା କରିବା ଏବଂ ଏହା ଉପରେ ଅନ୍ୟମାନଙ୍କୁ ସଚେତନ କରିପାରିଲେ, ସଚେତନଶୀଳ ସମାଜରେ ଦୁର୍ଘଟଣାର ସଂଖ୍ୟା ବହୁତ କମିଯିବ। ଏହି ଶିବିରର ମୁଖ୍ୟ ପ୍ରଶିକ୍ଷକ ଡ. ଆଦିତ୍ୟ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡ଼ିଶାରେ ବାର୍ଷିକ ପ୍ରାୟ ୬ହଜାର ଲୋକ ଦୁର୍ଘଟଣାର ଶିକାର ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଆଶୁ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥାନ୍ତି। ସେମାନଙ୍କୁ ଶୀଘ୍ର ଡାକ୍ତରଖାନାରେ ପହଁଚାଇବା ପ୍ରଥମେ ସାହାଯ୍ୟକାରୀର କର୍ତବ୍ୟ। ଏଥିରେ ସାମନ୍ୟତମ ବିଳମ୍ବ ହେଲେ ଜୀବନ ଚାଲିଯିବାର ଭୟ ଥାଏ ବୋଲି ପ୍ରଶିକ୍ଷକ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଏହାପରେ ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ମିଶ୍ର ପ୍ରଶିକ୍ଷକ ଶ୍ରୀ ରବିନ୍ଦ୍ର କୁମାର ଦଳବେହେରା ଓ ଅନ୍ୟ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଅନୁରୋଧ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଝୁମ୍ପୁରୀ, ଜୟପୁର ଓ ମୁଥାଗାଡ଼ିଆର ଗ୍ରାମବାସୀମାନେ ଉପସ୍ଥିତ ଥିଲେ।