ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧୀନ ପାଳସାହି ପଂଚାୟତ ଶାଆଁଳପୁର ଗ୍ରାମର ଜେନାସାହିରେ ସର୍ବସାଧାରଣ ଯାତାୟାତ ରାସ୍ତା ଜବରଦଖଲକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ବନ୍ଦ ହୋଇଯିବାରୁ ପ୍ରାୟ ୧୫ଟି ପରିବାର ଦୈନନ୍ଦିନ ଯାତାୟାତରେ ଗୁରୁତର ସମସ୍ୟା ଭୋଗୁଥିବା ବେଳେ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ମଧ୍ୟ ଗ୍ରାମକୁ ପହଂଚି ପାରୁନଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ଧାମନଗର ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରି ତୁରନ୍ତ ପଦକ୍ଷେପ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, ଖାତା ନଂ–୪୯୫ ଓ ପ୍ଲଟ୍ ନଂ–୧୫୬୯ରେ ଥିବା ସର୍ବସାଧାରଣ ରାସ୍ତାରେ କାଳ କାଳରୁ ଯିବା ଆସିବା କରୁଥିଲେ। ଗ୍ରାମର ପଣ୍ଡୁ ଜେନା ଓ ତାଙ୍କ ପରିବାର ରାସ୍ତାରେ ବାଡ଼ ଦେଇ ଜବରଦଖଲ କରିଥିବାରୁ ଲୋକମାନଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାସ୍ତା ବନ୍ଦ ହେବା ପରେ ଲୋକେ ବାଧ୍ୟ ହୋଇ ଏକ ପାଣି ନାଳ ଭିତରେ ପସି ଯିବାଆସିବା କରୁଛନ୍ତି। ରାତି ସମୟରେ ଏହି ସ୍ଥିତି ଅଧିକ ବିପଦଜନକ ହୋଇପଡ଼ୁଥିବା ବେଳେ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବାରେ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି ହେଉଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସରକାରୀ ଅର୍ଥରେ କଂକ୍ରିଟ୍ ନିର୍ମାଣ ହୋଇଥିବା ରାସ୍ତାକୁ ବ୍ୟକ୍ତିଗତ ଜମି ଦର୍ଶାଇ ଚଉଁରା ଓ ବାଡ଼ ନିର୍ମାଣ କରି ବନ୍ଦ କରାଯାଇଛି। ରାସ୍ତା ଖୋଲିବାକୁ ଦାବି କଲେ ସମ୍ପୃକ୍ତ ବ୍ୟକ୍ତିମାନେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଧମକ ଦେଉଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି। ଶାଆଁଳପୁର ଗ୍ରାମରେ ପ୍ରାୟ ୭୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ମଝି ଜେନାସାହିର ୧୫ଟି ପରିବାର ଏହି ରାସ୍ତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ତେବେ ବାରମ୍ବାର ତହସିଲ କାର୍ଯ୍ୟାଳୟର ଦ୍ୱାରସ୍ଥ ହେବା ସତ୍ୱେ ସମସ୍ୟାର ସମାଧାନ ହୋଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ସମସ୍ୟା ବଢ଼ିଛି। ଯଥାଶୀଘ୍ର ରାସ୍ତାକୁ ଜବରଦଖଲମୁକ୍ତ କରାନଗଲେ କୋଠାର–ଆରଡ଼ି ମୁଖ୍ୟ ରାସ୍ତାରେ ପରିବାର ପିଲା ଠାରୁ ବୃଦ୍ଧ ଓ ବୃଢ଼ା ସହ ଧାରଣାରେ ବସିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ସର୍ବସାଧାରଣ ରାସ୍ତାକୁ ଅବିଳମ୍ବ ଜବରଦଖଲମୁକ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏନେଇ ରଇପୁର ରାଜସ୍ୱ ନିରୀକ୍ଷକ ସକ୍ତି ରଂଜନ ମାଲିକଙ୍କୁ ପଚରିବାରୁ କୁହନ୍ତି, ସେହି ରାସ୍ତାର ନକ୍ସାରେ ଜଣେ ପ୍ରାଇଭେଟ୍ ଲୋକର ଏକ କୋଣ ରାସ୍ତା ଉପରେ ଯାଉଥିବାରୁ ସେ ଏହାକୁ ବ୍ୟକ୍ତିଗତ ଦର୍ଶାଇ ଅବରୋଧ କରିଛନ୍ତି। ଖରା ଦିନ ହେଲେ ମାପ ଚୁପ କରି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।