Odiapua.com

ରାସ୍ତା ଉପରେ ଗାଈ ଓ କୁକୁରଙ୍କ ପ୍ରାଦୁର୍ଭାବ ସହ ଗାଡ଼ି ପାର୍କିଂରେ ଅବ୍ୟବସ୍ଥା : ପଦକ୍ଷେପ ନେବାକୁ ଆଇନଜୀବୀଙ୍କ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ତାଳଚେର, ୨୧/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ପୌରାଂଚଳର ରାସ୍ତାଘାଟରେ ଚଳପ୍ରଚଳ ବୁଲା ଗାଈଗୋରୁ, ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଅଙ୍କୁଶ ଲଗାଯିବା, ଗାଡ଼ି ପାର୍କିଂରେ ଅବ୍ୟବସ୍ଥାର ସମାଧାନ ଏବଂ ଶର୍ମାଛକ-ହାଣ୍ଡିଧୂଆ ରେଲୱେ ଅଣ୍ଡରପାସ ରାସ୍ତାର ଉନ୍ନତିକରଣ କରାଯିବା ନିମନ୍ତେ ଏକ ସ୍ମାରକପତ୍ର ତାଳଚେର ପୈାର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବର୍ତ୍ତମାନ ତାଳଚେର ପୌରାଂଚଳର ବିଭିନ୍ନ ରାସ୍ତା ମଧ୍ୟରେ ଦିନ ରାତି ଗାଈଗୋରୁ ଆଶ୍ରୟ ନେଉଛନ୍ତି, ତାହାସହିତ ବୁଲାକୁକୁରଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସହରବାସୀ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସହରରେ ଗାଡ଼ି ପାର୍କିଂ ବ୍ୟବସ୍ଥାରେ ଅବ୍ୟବସ୍ଥା ଯୋଗୁଁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏତଦ୍ ବ୍ୟତୀତ ଶର୍ମାଛକ-ହାଣ୍ଡିଧୂଆ ରେଲୱେ ଅଣ୍ଡରପାସ ରାସ୍ତା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତାରେ ଏବେ ପାଣି ଜମି ରହିବାସହ ରାତିରେ ରାସ୍ତା ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯାଉଛି। ଫଳରେ ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଉକ୍ତ ସ୍ମାରକପତ୍ର ଜରିଆରେ ନିବେଦନ କରାଯାଇଛି। ଆଇନଜୀବୀ ବାଉରୀବନ୍ଧୁ ବେଜ, ରବିନ୍ଦ୍ର କୁମାର ସାମନ୍ତ, ନିମେଇଁ ଚରଣ ମହାନ୍ତି, ଅଶ୍ୱିନ କୁମାର ସାହୁ, ଚିନ୍ମୟ ରାୟ ଓ ଅରବିନ୍ଦ ବାରିକ ପ୍ରମୁଖ ଏହି ଏହି ସ୍ମାରକପତ୍ର ପ୍ରଦାନ କରିବାସହ ଏନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।