Odiapua.com

ରାସ୍ତାରେ ମଦୁଆଙ୍କ ଉତ୍ପାତ, ପୁଲିସ କର୍ମୀ ଉଭାନ!

ରାଉରକେଲା ୨୨-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଉଦିତନଗର ନିକଟବର୍ତ୍ତୀ ସାରନା ଛକ ଠାରୁ ଦକ୍ଷିଣ ରାଉରକେଲାକୁ ସଂଯୋଗ କରିଛି ହେକେଟ ରୋଡ଼। ଏହି ରାସ୍ତା ଦକ୍ଷିଣ ରାଉରକେଲା, ସାରନଗରୀ ତଥା ଦକ୍ଷିଣ ରାଉରକେଲା ପାଶ୍ୱର୍ବର୍ତ୍ତୀ ବହୁ ଗ୍ରାମବାସୀଙ୍କ ଲାଗି ଜୀବନ ରେଖା ସଦୃଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅପରପକ୍ଷରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛି ହେକେଟ ରୋଡ଼! ସଂଜ ନଇଁବା ମାତ୍ରେ ଏହି ରାସ୍ତା ଯିବା ଆସିବା କରୁଥିବା ପଥଚାରୀ, ବାଇକଧାରୀ ପାଇଁ ବିପଦଗାମୀ ହୋଇପଡ଼ିଥିବା ଜଣାପଡ଼ିଛି। ପୂର୍ବରୁ ସଂଧ୍ୟା ସମୟରେ ଏହି ରାସ୍ତାର ସ୍ଥାନେ ସ୍ଥାନେ ସିଆଇଏସଏଫ କର୍ମୀ ମୁତୟନ ହେଉଥିବା ବେଳେ, ବିଗତ କିଛି ବର୍ଷ ହେବ ହେକେଟ ରୋଡ଼ରେ ସୁରକ୍ଷା କର୍ମୀଙ୍କ ଦେଖାଦର୍ଶନ ମିଳୁନାହିଁ। ସମୟ ସମୟରେ କିଛି ପୁଲିସ କର୍ମୀ ମୁତୟନ ହେଉଥିବା ବେଳେ, ଅନ୍ୟ ସମୟରେ ଏହି ରାସ୍ତାରେ ପୁଲିସ କର୍ମୀ ନରହିବା ଫଳରେ ଏହା ଦୁବୃର୍ତଙ୍କ ଲାଗି ଭୂସ୍ୱର୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦକ୍ଷିଣ ରାଉରକେଲା ତଥା ସାରନଗରୀ ଅଂଚଳରୁ ରାତ୍ରୀ ସମୟରେ ଟ୍ରେନ ଧରିବାକୁ ଆସୁଥିବା ଯାତ୍ରୀ ମାନଙ୍କ ଠାରୁ ଟଙ୍କାପଇସା ଛିନତାଇ ହେବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ସେହିଭଳି ରାଉରକେଲା ରେଳ ଷ୍ଟେସନରେ ସପ୍ତାହର ପ୍ରାୟ ସମୟରେ ବିଳମ୍ବରେ ଇଂଟରସିଟି ଏକ୍ସପ୍ରେସ ପହଂଚୁଥିବା ନଜିର ରହିଛି। ଏହି ଟ୍ରେନରୁ ଓହ୍ଲାଇବା ପରେ ବାଇକ ଧରି ହେକେଟ ରୋଡ଼ ରାତ୍ରୀ ୧୧ଟା ସମୟରେ ଅତିକ୍ରମ କରିବା ବେଳେ ମନରେ ଛନକା ପଶିବା ସ୍ୱାଭାବିକ! କାରଣ ସେହି ସମୟରେ କୌଣସି ହେଲେ ସିଆଇଏସଏଫ କର୍ମୀଙ୍କୁ ହେକେଟ ରୋଡ଼ ଠାରେ ଦେଖିବାକୁ ମିଳେ ନାହିଁ। ସେହପରି ସଂଜ ଠାରୁ ରାତ୍ରୀ ଯାଏ ଏହି ରୋଡ଼ ମଦ୍ୟପ ମାନଙ୍କ ଆସରସ୍ଥଳୀ ପାଲଟିଛି। ଏହି ରୋଡ଼ର କିଛି ଜାଗାରେ ଆରଏସପି ପକ୍ଷରୁ ଆଲୋକ ବ୍ୟବସ୍ଥା କରାଯାଇଥିବା ବେଳେ, ରାସ୍ତାର ଅନେକ ଜାଗା ଅନ୍ଧକାର ଥିବାରୁ ଏହା ମଦ୍ୟପ ମାନଙ୍କ ପାଇଁ ଅଭୟାରଣ୍ୟ ପାଲଟିଛି। ମଦ୍ୟପାନ କଲାପରେ ରାସ୍ତାରେ ମଦ ବୋତଲ ଭାଙ୍ଗି ମଦୁଆ ମାନେ ନିଜ ଉପସ୍ଥିତି ଜାହିର କରୁଥିବାରୁ ରାସ୍ତାରେ ଯାତାୟତ କରୁଥିବା ଆରୋହୀ ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ହେକେଟ ରୋଡ଼ର ଉଭୟ ପାଖରେ ଶହଶହ ମଦ ବୋତଲ ଗଡ଼ୁଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ବର୍ଷାଦିନ ଆଗମନରେ ଏହି ରାସ୍ତାର ସ୍ଥାନେ ସ୍ଥାନେ ଖାଲଖମା ହୋଇଯିବା କାରଣରୁ ରାତ୍ରୀ ସମୟରେ ବାଇକ ଚଳାଇ ଯାତାୟତ କରୁଥିବା ବାଇକ ଆରୋହୀଙ୍କ ପାଇଁ କାଳ ସାଜିଛି। ଏପରିସ୍ଥଳେ ହେକେଟ ରୋଡ଼ରେ ରାତ୍ରୀ ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି।