Odiapua.com

ରାସ୍ତାରେ ବାଘ ବୁଲିବା ନେଇ ସଠିକ ସୂଚନା ନାହିଁ ବନ ବିଭାଗ ନିକଟରେ

ଟିଟିଲାଗଡ ୩୧-୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସଇଁତଳା ବ୍ଲକ ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାର ଏମଇଏସ ଗେଟରୁ ଦୁଇଶହ ମିଟରରେ ଥିବା ରାସ୍ତା ଉପରେ ପୁଣିଥରେ ଦୁଇଟି କଲରା ପତିରିଆ ବାଘ ବୁଲୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପୁଣିଥରେ ଭାଇରାଲ ହୋଇଛି। ଗତକାଲି ସନ୍ଧ୍ୟାରେ କିଛି କର୍ମଚାରୀ ପାଖାପାଖି ରାତି ୯ ଟାରେ ଘରକୁ ଫେରୁଥିବା ବେଳେ ହଠାତ ଏକାବେଳେ ଦୁଇଦୁଇଟା ବାଘକୁ ଦେଖି ଶିହରି ଉଠିଥିଲେ, ପରେ ସେମାନେ ଦୂରରେ ରହି ମୋବାଇଲ କ୍ୟାମେରାରେ ଭିଡ଼ିଓ ରେକର୍ଡିଙ୍ଗ କରିଥିଲେ ରାସ୍ତା ଉପରେ ଷ୍ଟ୍ରିଟ ଲାଇଟ ପଡିବା ସତ୍ତ୍ୱେ ନିର୍ଭୟରେ ବାଘ ଦୁଇଟି ରାସ୍ତାକଡରୁ ପାଖରେ ଥିବା ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଏ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାପରେ ଏହାକୁନେଇ କାରଖାନାର କର୍ମଚାରୀ ଆତଙ୍କିତ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ଡ଼ିସେମ୍ବର ମାସରେ ମଧ୍ୟ ଦୁଇଟି କଲରାପତିରିଆ ବାଘ ଦେଖାଯିବା ପରେ ବଲାଙ୍ଗୀର ଡିଏଫଓ ସମୀର ଶତପଥୀ ଉକ୍ତ ଅଞ୍ଚଳରେ ତିନୋଟି କଳରାପତିରିଆ ବାଘ ଥିବା ସୂଚନା ଦେବାସହ ବନ କର୍ମଚାରୀଙ୍କୁ କଲରାପତିରିଆ ଉପରେ ନଜର ରଖିବା ପାଇଁ ଆଦେଶ ଦେଇଥିଲେ ତଥା ସେହି ସମୟରେ ଟିଟିଲାଗଡ଼ ବନଖଣ୍ଡ ଅଧିକାରୀ ଜିତେନ୍ଦ୍ରିୟ ନନ୍ଦ ଏ ବିଷୟରେ ବନ ବିଭାଗ ସଚେତନ ଅଛନ୍ତି ବୋଲି କହିଥିଲେ ସୁଦ୍ଧା କେତୋଟି ବାଘ ଅଛନ୍ତି ସେ ନେଇ କିଛି ଜାଣି ପାରି ନାହାନ୍ତି। ତେବେ ସରକାରୀ ଭାବେ ବାଘ ଗଣନା ନିୟମ ଅନୁଯାୟୀ ତାର କାର୍ଯ୍ୟକାରୀ ନ ହେବା ପ୍ରତି ବନ ବିଭାଗ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନିଆଯାଉ ବୋଲି ଦାବି ହେଉଛି।