Odiapua.com

“ରାଷ୍ଟ୍ର ନିର୍ମାଣ ଅଭିଯାନ” ପକ୍ଷରୁ “ବରପୁତ୍ର ବନ୍ଦନ” କାର୍ଯ୍ୟକ୍ରମ

କେନ୍ଦ୍ରାପଡା, ୧୨/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଧୂଳି ଓ ଆବର୍ଜନା ଭିତରେ ଆଉ ହନ୍ତସନ୍ତ ହେବେନି ବରପୁତ୍ରଙ୍କ ପ୍ରତିମୂର୍ତ୍ତି। ମାଟି କାଦୁଅରେ ଲଟପଟ ହୋଇ ବିକୃତ ଦିଶିବନି ଦେଶପ୍ରେମୀଙ୍କ ଆବକ୍ଷ ଓ ସମ୍ପୂର୍ଣ୍ଣ ପ୍ରତିମୂର୍ତ୍ତି। କାରଣ ଏବେ ଆଉ ବର୍ଷରେ ଥରେ ନୁହଁ ବରଂ ପ୍ରତି ସପ୍ତାହରେ ସଫା ହେବ କେନ୍ଦ୍ରାପଡା ସହରରେ ଥିବା ମହାମାନବମାନଙ୍କ ପ୍ରତିମୂର୍ତ୍ତି। ଅଗ୍ରଣୀ ସାମାଜିକ ସଂଗଠନ “ରାଷ୍ଟ୍ର ନିର୍ମାଣ ଅଭିଯାନ” ପକ୍ଷରୁ କେନ୍ଦ୍ରାପଡା ସହରରେ “ବରପୁତ୍ର ବନ୍ଦନ” ନାମକ ଏକ ନିଆରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଅନୁଷ୍ଠାନର ସଦସ୍ୟମାନେ ପ୍ରତି ସପ୍ତାହରେ ସହରର ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତିକୁ ପରିଷ୍କାର ପରିଚ୍ଛନ୍ନ କରିବେ ବୋଲି ସଦସ୍ୟ ମାତୃଦତ୍ତ ମହାନ୍ତି ସୂଚନା ଦେଇଛନ୍ତି। ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡରେ କରାଯାଇଛି। ଅନୁଷ୍ଠାନର ସଦସ୍ୟମାନେ ପୁରୁଣା ବସଷ୍ଟାଣ୍ଡରେ ସକାଳେ ପହଞ୍ôଚ ପ୍ରଥମେ ଦେଶ ବନ୍ଦନା ଗାନ କରିଥିଲେ। ପରେପରେ ତିଲକ ଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ପୁରୁଣା ବସଷ୍ଟାଣ୍ଡରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଡକ୍ଟର ବି. ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ପାଣି ମାରି, କପଡା ଘସି ସମ୍ପୁର୍ଣ୍ଣ ପରିଷ୍କାର କରିଥିଲେ। କେବଳ ଯେ ମୂର୍ତ୍ତି ଗୁଡିକ ସଫାସୁତୁରା କରାଯାଇଥିଲା ତାହା ନୁହେଁ ବରଂ ମୁର୍ତ୍ତି ଚର୍ତୁପାଶ୍ୱରେ ଥିବା ଅଳିଆ ଆବର୍ଜନାକୁ ମଧ୍ୟ ସଫା କରାଯାଇଥିଲା। ତେବେ ସହରର ତିନିମୂହାଣୀ, ବାଇପାସ ରୋଡ, ଗରାପୁର ଚ୍ଛକ, ତୁଳସୀ ମହିଳା କଲେଜ, ମେଡିକାଲ ଛକ, ତହସିଲ ଅଫିସ ଛକ ପ୍ରଭୃତି ଅଞ୍ଚଳରେ ଥିବା ପ୍ରତିମୂର୍ତ୍ତି ଗୁଡିକୁ ମଧ୍ୟ ସଫା କରାଯିବ। ଏହା ସହିତ ମହାପୁରୁଷଙ୍କ ମୂର୍ତ୍ତୀ ସ୍ଥାପନ ହୋଇଥିବା ସ୍ଥାନରେ ଅଳିଆ ଆବର୍ଜନା, ପାନ ପିକ ଓ ଅଇଁଠା ପତ୍ର ଇତ୍ୟାଦି ନ ପକାଇବା ପାଇଁ ମଧ୍ୟ ଜନସଚେତନତା ସୃଷ୍ଟି କରିବା ଅନୁଷ୍ଠାନର ଲକ୍ଷ୍ୟ। ଅନୁଷ୍ଠାନର ସଦସ୍ୟ ପଙ୍କଜ ସିହ୍ନାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରଶ୍ମି ରଞ୍ଜନ ସ୍ୱାଇଁ, ବିକାଶ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।