Odiapua.com

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ୩ ଦିନିଆ ପ୍ରତିବାଦ ଶେଷ

ବାଲେଶ୍ୱର, ୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ରାଷ୍ଟୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି) ପକ୍ଷରୁ ଗତ ୩ ତାରିଖରୁ ଦେଶବ୍ୟାପୀ ଚାଲିଥିବା ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଆଜି ଶେଷ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଶାଖା ପକ୍ଷରୁ ଆଜି ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଗଠନର ଯୁବଶାଖା ସଭାପତି ବିକାଶ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର କର୍ମକର୍ତ୍ତା ବାସନ୍ତି ସାମଲ, ତପନ ଅଗସ୍ତି, ଜୀବନ ବାରିକ, ରମେଶ ଦାସ, ସନ୍ତୋଷ ପୁହାଣ, ଚିତ୍ତରଂଜନ ଦାସ, ମୀନତି ଦଳେଇ, ଆରତୀ ମୁଣ୍ଡା ପ୍ରମୁଖ ଯୋଗଦେଇ ଶ୍ରମିକଙ୍କ ସମେତ ସାଧାରଣ କର୍ମଜୀବୀଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ଓ ତ୍ରୁଟିପୂର୍ଣ୍ଣ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ର ସରକାର ନୂତନ ଶ୍ରମ ଆଇନ୍ ବଳରେ ଶ୍ରମିକଙ୍କ ଅଧିକାରକୁ ସଂକୁଚିତ ପାଇଁ କରୁଥିବା ଉଦ୍ୟମ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ ଅଭିଯୋଗ କରିଥିଲେ। ଶିଳ୍ପ ଉଦ୍ୟୋଗୀ ଓ ପୁଞ୍ଜିପତିଙ୍କ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ସରକାର ଶ୍ରମ ଆଇନର ସଂଶୋଧନ କରିବା ଆଗାମୀ ଦିନରେ ଦେଶବାସୀଙ୍କ ପାଇଁ ମହାବିପଦ ସୃଷ୍ଟି କରିବ ବୋଲି ଶ୍ରମିକନେତାମାନେ ତୁରନ୍ତ ନୂତନ ଶ୍ରମ ଆଇନ୍‌କୁ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଥିଲେ। ନତୁବା ଆଗାମୀ ଦିନରେ ରଷ୍ଟ୍ରୀୟ ମଜଦୁର କଂଗ୍ରେସ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା