Odiapua.com

ରାଷ୍ଟ୍ରୀୟ ବାଲ ପୁରସ୍କାର, ୨୦୨୦ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

ନୂଆ ଦିଲ୍ଲୀ ୨୪-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ୨୨ ଜାନୁଆରୀ, ୨୦୨୦ରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିଜେତାମାନେ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଅଂଶଗ୍ରହଣ କରିବେ।

ଭାରତର ବିଭିନ୍ନ ରାଜ୍ୟର ୪୯ଜଣ ଶିଶୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ଜମ୍ମୁ-କଶ୍ମୀର, ମଣିପୁର ଓ ଅରୁଣାଚଳ ପ୍ରଦେଶର ଜଣେ ଲେଖାଏଁ ପୁରସ୍କାର ବିଜେତା ଅଛନ୍ତି। ଏହି ଶିଶୁମାନଙ୍କୁ କଳା ଓ ସଂସ୍କୃତି, ନବୋନ୍ମେଷ, ଶିକ୍ଷା, ସମାଜସେବା, କ୍ରୀଡ଼ା ଓ ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପୁରସ୍କୃତ କରାଯାଇଛି। ଭାରତ ସରକାର ଶିଶୁମାନଙ୍କୁ ରାଷ୍ଟ୍ର ନିର୍ମାଣରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ଗ୍ରହଣ କରିଛନ୍ତି। ଏହି ଉଦ୍ଦେଶ୍ୟ ଲାଗି କେନ୍ଦ୍ର ସରକାର ନବୋନ୍ମେଷ, ଶିକ୍ଷା କ୍ଷେତ୍ରରେ ଉପଲବ୍ଧି, ସମାଜସେବା, କଳା ଓ ସଂସ୍କୃତି, କ୍ରୀଡ଼ା ଓ ସାହସିକତା କ୍ଷେତ୍ରରେ ଅସାଧାରଣ ଉପଲବ୍ଧି ପାଇଁ ପ୍ରତିବର୍ଷ ଶିଶୁମାନଙ୍କ ଏହି ପୁରସ୍କାର ପ୍ରଦାନ କରିଥାନ୍ତି।

ଏହି ଶିଶୁମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଏତେ କମ ବୟସରେ ସେମାନଙ୍କ କାର୍ଯ୍ୟକୁ ଅଦ୍ଭୁତ ବୋଲି କହିଥିଲେ। ସେ କହିଥିଲେ ଯେ, ଆପଣମାନେ ଯେପରି ଭାବେ ସମାଜ ଓ ରାଷ୍ଟ୍ର ପ୍ରତି ନିଜର କର୍ତବ୍ୟକୁ ପୂରଣ କରୁଛନ୍ତି ତାହା ଦେଖି ମୁଁ ଗର୍ବିତ। ଯେତେବେଳେ ମୁଁ ଯୁବ ସାଥୀମାନଙ୍କ ସାହସ ଓ ଉପଲବ୍ଧିର କାହାଣୀ ଶୁଣୁଛି ସେଥିରୁ ମୋତେ ଅତିରିକ୍ତ ଉତ୍ସାହ ଓ କଠିନ ପରିଶ୍ରମ କରିବାର ପ୍ରେରଣା ମଧ୍ୟ ମିଳୁଛି।

ପ୍ରଧାନମନ୍ତ୍ରୀ ପୁରସ୍କାର ବିଜେତା ଶିଶୁମାନଙ୍କୁ ତୃଣମୂଳସ୍ତରର ବାସ୍ତବିକତା ସହ ଦୃଢ଼ ଭାବେ ଯୋଡ଼ି ହୋଇ କଠିନ ପରିଶ୍ରମ କରିବାକୁ କହିଥିଲେ। ସେ କହିଥିଲେ, “ଏହି ପରିଚୟ ଆହୁରି ଅଧିକ ସଫଳତା ଅର୍ଜନ କରିବା ଦିଗରେ ପ୍ରେରଣା ସାଜିବା ଉଚିତ। ଆପଣମାନେ ଏହା ଅନୁଭବ କରିବା ଆବଶ୍ୟକ ଯେ ଏହା ଏକ ଅନ୍ତ ନୁହେଁ। ଏପରି ପୁରସ୍କାର ଆପଣଙ୍କ ସାଥୀ ଓ ଅନ୍ୟ ଶିଶୁମାନଙ୍କୁ ସଫଳତା ହାସଲ କରିବା ଲାଗି ପ୍ରେରଣା ଯୋଗାଇବ।”

ସାଧାରଣତନ୍ତ୍ର ଦିବସ, ୨୦୨୦ରେ ଜେଲ ଅଧିକାରୀମାନଙ୍କୁ ସଂସ୍କାରମୂଳକ ସେବା ପଦକ ପ୍ରଦାନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ଓଡ଼ିଶାରୁ ୬ ଅଧିକାରୀ ପାଇବେ ରାଷ୍ଟ୍ରପତି ପଦକ

ସାଧାରଣତନ୍ତ୍ର ଦିବସ, ୨୦୨୦ ଅବସରରେ ଉଲ୍ଲେଖନୀୟ ସେବା ଲାଗି ଜେଲ ଅଧିକାରୀମାନଙ୍କୁ ସଂସ୍କାରମୂଳକ ସେବା ପଦକ ପ୍ରଦାନ କରାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଦେଶର ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ଏବଂ ୨୯ ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ।

ଓଡ଼ିଶାରୁ ୩ ଜଣ ଜେଲ ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ। ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଶିକ୍ଷାନବୀସ ଅଧିକାରୀ ନିରଞ୍ଜନ ସାହୁ, ଜୟପୁର ସବଜେଲର ଜେଲର ଲଲାଟେନ୍ଦୁ ଭୂଷଣ ଦାସ ଓ ସମ୍ବଲପୁର ନାରୀ ବନ୍ଦୀ ନିକେତନର ଅତିରିକ୍ତ ମାଟ୍ରନ ଶ୍ରୀମତୀ ସୋଭାଗିନୀ ସିଂ।

ଅନ୍ୟପକ୍ଷରେ ଉଲ୍ଲେଖନୀୟ ସେବା ପାଇଁ ଅନୁଗୁଳ ନିରୀକ୍ଷଣ ଏବଂ ସ୍ୱତନ୍ତ୍ର ଗୃହର ଅଧିକ୍ଷକ ଅମିର କୁମାର ନାଥଶର୍ମା, ଗୁଣପୁର ସବଜେଲ ଜେଲର ଧୀରେନ୍ଦ୍ର ନାଥ ବାରିକ ଓ କଟକ ସର୍କଲ ଜେଲର ବନ୍ଦୀ କଲ୍ୟାଣ ଅଧିକାରୀ ଶ୍ରୀ ରାମକୃଷ୍ଣ ଦାସ।