Odiapua.com

ରାଷ୍ଟ୍ରୀୟ ଏକତା ଦିବସ ପାଳନରେ ଶପଥ ପାଠ କାର୍ଯ୍ୟକ୍ରମ

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗର ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ସଦ୍‌ଭାବନା ସଭାଗୃହରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଜିଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମଧୁସୂଦନ ଦାଶ, ଡ଼େପୁଟୀ କଲେକ୍ଟର କସ୍ତୁରୀବାଳା ଜେନା ଓ ଅନୁପମା ଘୋଷ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ତଥା ଆବାହକ ଭାବେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଦିବସ ପାଳନ ଓ ଏଥିପାଇଁ ଶପଥ ପାଠ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଉଲ୍ଲେଖ ଯୋଗ୍ୟ କି ଆମ ଦେଶ ପାଇଁ ରାଷ୍ଟ୍ରୀୟ ଏକତାର ପ୍ରତୀକ ମହାନ ଜନନେତା ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସକୁ ୨୦୧୪ ମସିହାରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଇ ଆସୁଅଛି । ସ୍ୱାଧୀନ ଭାରତ ସହ ତତ୍‌କାଳୀନ ୫୬୫ ଗଡ଼ଜାତ ରାଜ୍ୟକୁ ଏକତା ସୂତ୍ରରେ ବାନ୍ଧି ଅଖଣ୍ଡ ଭାରତ ରାଷ୍ଟ୍ର ନିର୍ମାଣରେ ପଟେଲଙ୍କ ଅବଦାନ ର ସ୍ମୃତି ଚାରଣ କରାଯାଇଥିଲା । ଶେଷରେ ଜିଲାପାଳ ଉଦ୍ଦିଷ୍ଟ ଶପଥ ପାଠ ପତ୍ର ପଠନ ପୂର୍ବକ ଉପସ୍ଥିତ ଜିଲାସ୍ତରୀୟ ଅଧିକାରୀ, କର୍ମଚାରୀ ଓ ଅତିଥିମାନଙ୍କୁ ଶପଥ ପାଠ କରାଇଥିଲେ ଯେ ମୁଁ ସତ୍ୟନିଷ୍ଠାର ସହ ଶପଥ ନେଉଅଛିକି ମୁଁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବି ଏବଂ ନିଜର ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତାକୁ ପ୍ରସାର କରିବାକୁ ମଧ୍ୟ ଯଥାସାଧ୍ୟ ଯତ୍ନବାନ ହେବି । ମୁଁ ଏହି ଶପଥ ମୋ ଦେଶର ଏକତାର ଭାବନାରେ ଅନୁପ୍ରାଣିତ ହୋଇ ନେଉଅଛି, ଯାହା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦର୍ଶିତା ଏବଂ କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇପାରିଥିଲା । ମୁଁ ନିଜ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନିଜର ଯୋଗଦାନ କରିବାକୁ ମଧ୍ୟ ସତ୍ୟନିଷ୍ଠା ସହ ସଂକଳ୍ପ କରୁଛି ।