Odiapua.com

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବିର୍ସାମୁଣ୍ଡା ଜୟନ୍ତୀ

ବାଲେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଅମର ଶହୀଦ, ବିପ୍ଳବୀ ବୀର ବିର୍ସାମୁଣ୍ଡାଙ୍କ ୧୪୫ତମ ପୂଣ୍ୟ ଜୟନ୍ତୀ ସମାରୋହ ବାଲେଶ୍ୱର ସହରର ଗୋଡ଼ିପଦାଠାରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଏବଂ ଆଦିବାସୀ ମୂଳନିବାସୀ ସାମାଜିିକ ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଜୀବନବୀମା କର୍ମଚାରୀ ନେତା ବାଇଧର ସିଂ ଅଧ୍ୟକ୍ଷତା କରିଥିଲେ। ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଚାଷୀ ମୂଲିଆ ସଂଘର ନେତା ଅରୁଣ ଜେନା, ନାରୀନେତ୍ରୀ ଶାନ୍ତିଲତା ଚାତାର, ଆଦିବାସୀ ମହାସଭାର ମୁଖ୍ୟ ସୌମ୍ୟରଞ୍ଜନ ଆଢ଼୍ୟ, ବାମସେଫ ଜିଲ୍ଲା ସଭାପତି ସାଧୁଚରଣ ମଲ୍ଲିକ, ବର୍ଷିଆନ୍ ସମାଜସେବୀ ବେଣୁଧର ବାରିକ, ଗଗନ ସେଠୀ, ରାଜେନ୍ଦ୍ର ମାରଣ୍ଡୀ, ପୀର ମୁର୍ମୁ, ଗୀତା ମୁର୍ମୁ, ସୁମତି ବନ୍ଦ୍ରା ପ୍ରମୁଖ ଏଥିରେ ଯୋଗଦେଇ ଭାରତବର୍ଷ ମୁକ୍ତି ସଂଗ୍ରାମର ଅନ୍ୟତମ ଯୋଦ୍ଧା ବିର୍ସାମୁଣ୍ଡାଙ୍କ ଜୀବନାଦର୍ଶ ଓ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶିଷ୍ଟ ଆଦିବାସୀ ନେତା ଧରତୀ ମା’ର ଶ୍ରେଷ୍ଠ ସନ୍ତାନ ବିର୍ସାମୁଣ୍ଡା ୧୮ ଶହ ଶତାବ୍ଦୀର ଶେଷପ୍ରାନ୍ତରେ ଛୋଟନାଗପୁର ଅଞ୍ଚଳରେ ମୁଣ୍ଡା ଓ ସାନ୍ତାଳ ସମ୍ପ୍ରଦାୟର ଯୁବକମାନଙ୍କୁ ସଂଗଠିତ କରି ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଗରିଲା ଯୁଦ୍ଧ କରି ବ୍ରିଟିଶ ଶାସନତନ୍ତ୍ରୀକୁ ଦୋହଲାଇ ଦେଇଥିଲେ। ତାଙ୍କର ରଣହୁଙ୍କାର ଥିଲା – “ଆବୁଆ ରାଜ ଏଟାୱାନା, ମହାରାଣୀ ରାଜ ତିଙ୍ଗୁୱାନା” – ଅର୍ଥାତ୍ ଆମ ମୁଲକରେ ଆମର ଶାସନ ମହାରାଣୀ ଭିକ୍ଟୋରିଆଙ୍କ ଶାସନ ଚାଲିପାରିବ ନାହିଁ। ଆସନ୍ତୁ, ଆମେ ସଭିଏଁ ଜମି, ଜଳ, ଜଙ୍ଗଲ ଉପରେ ଚାଷୀ, ଆଦିବାସୀର ଅଧିକାର ପାଇଁ – ମାଟି ମାଆର ମୁକ୍ତି ପାଇଁ ଜୀବନ ଦେବା।” ବିର୍ସାମୁଣ୍ଡା ଆଜି ନାହାନ୍ତି ସତ – ୧୮୭୫ରେ ଜନ୍ମଗ୍ରହଣ କରି ମାତ୍ର ୨୫ ବର୍ଷର ସାଲିସହୀନ ସଂଘର୍ଷମୟ ଜୀବନଯାପନ କରି ସେ ଯେଉଁ ଅସୀମ ତ୍ୟାଗ, ଅତୁଳନୀୟ ଦେଶପ୍ରେମ ତଥା ପ୍ରଚଣ୍ଡ ବଳିଦାନର ନଜିର ଆମ ସମ୍ମୁଖରେ ଛାଡ଼ି ଦେଇଯାଇଛନ୍ତି – ତାହା ଚିରକାଳ ଆମ ମୁକ୍ତି ସଂଗ୍ରାମର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଶେଷରେ ଜଗନ୍ନାଥ ହେମ୍ବ୍ରମ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗୋଡ଼ିପଦା ଓ ଶୋଭାରାମପୁର ଅଞ୍ଚଳର ବାସକରୁଥିବା ଆଦିବାସୀଙ୍କ ସମେତ ବହୁ ସାଧାରଣ ଲୋକେ ଏଥିରେ ଯୋଗ ଦେଇଥିଲେ।