Odiapua.com

ରାଷ୍ଟ୍ରମାତା କସ୍ତୁରବାଙ୍କ ୭୮ତମ ସହିଦ୍ ଦିବସ ପାଳିତ, କସ୍ତୁରବା ଥିଲେ ସମର୍ପିତ ନାରୀ ଜୀବନର ମୂର୍ତ୍ତିମନ୍ତ ପ୍ରତୀକ

ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଙ୍କର ୭୮ତମ ସହିଦ୍ ଦିବସ ଜିଲ୍ଲା ସଂସ୍କୃତି ଭବନରେ ପ୍ରତିଷ୍ଠାନର ସଭାପତି ଅଖିଳ କୁମାର ପାଢୀଙ୍କ ସଭାପତିତ୍ୱରେ ପାଳିତ ହୋଇ ଯାଇଛି । ଉକ୍ତ ସଭାରେ ବକ୍ତାମାନେ କସ୍ତୁରବା ଥିଲେ ସମର୍ପିତ ନାରୀ ଜୀବନର ମୂର୍ତ୍ତିମନ୍ତ ପ୍ରତୀକ ବୋଲି କହିଥିଲେ । କସ୍ତୁରବା ଗାନ୍ଧିଜୀଙ୍କର ପତ୍ନୀ ଭାବରେ ନୁହେଁ ନିଜର ଗୁଣରେ ଗରିୟସୀ ଥିଲେ । ଏହି କ୍ରମରେ ବକ୍ତାମାନେ ପ୍ରକାଶ କରିଥିଲେ କି କସ୍ତୁରବା ମୋହନ ଦାସ ଗାନ୍ଧୀ ପୃଥିବୀର ପ୍ରଥମ ମହିଳା ସତ୍ୟାଗ୍ରହୀ ଭାବେ ଦକ୍ଷିଣ ଆଫ୍ରିକାରେ ୧୯୧୩ ମସିହାରେ ସତ୍ୟାଗ୍ରହ ଆରମ୍ଭ କରି ଭାରତର ସ୍ୱାଧୀନତା ସଂଗ୍ରାମ, ନିଶା ନିବାରଣ ଓ ବିଦେଶୀ ବର୍ଜନ ଆଦି କାର୍ଯ୍ୟକ୍ରମରେ ଭାରତୀୟ ମହିଳାମାନଙ୍କ ନେତୃତ୍ୱ ନେବା ସଂଗେ ସଂଗେ ବିଭିନ୍ନ ସତ୍ୟାଗ୍ରହରେ ନେତୃତ୍ୱ ମଧ୍ୟ ନେଇଥିଲେ । ସେ ପାଇବାର କୌଣସି ଆଶା ନରଖି ନିଃସର୍ତ୍ତରେ ନିର୍ବିକାର ଭାବେ ପ୍ରେମରେ, କରୁଣାରେ ଓ ତ୍ୟାଗରେ ନିଜକୁ ଉତ୍ସର୍ଗ କରିଥିଲେ । କସ୍ତୁରବା ଗାନ୍ଧିଜୀଙ୍କ ପ୍ରତିଷ୍ଠିତ ଆଶ୍ରମର ଅନ୍ତେବାସୀ ଓ ସେ ସମୟର ଯୁବ ସଂଗ୍ରାମୀ ନେହେରୁ, ପଟେଲ, ସୁବାସ ଆଦିଙ୍କୁ ନଜିର ସନ୍ତାନବତ୍ ସ୍ନେହ, ଶ୍ରଦ୍ଧା କରୁଥିଲେ ବୋଲି ପ୍ରକାଶ କରିଥିଲେ । ଉକ୍ତ ସଭାରେ ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଜୟନ୍ତି ରଥ ଓ ଗାନ୍ଧୀବାଦୀ ପ୍ରବକ୍ତା ପ୍ରଫେସର ଚିରଶ୍ରୀ ଇନ୍ଦ୍ରସିଂ ଯୋଗ ଦେଇ କସ୍ତୁରବାଙ୍କର ବିଭିନ୍ନ ଗୁଣାବାଳୀ ଓ କର୍ମବଳୀର ବର୍ଣ୍ଣନା କରିଥିଲେ । କାରାବାସକୁ ତୀର୍ଥାଟନ ଥିବାର କହୁଥିଲେ । ଭାରତ ଓ ଭାରତୀୟଙ୍କ ସେବା ପାଇଁ ତାଙ୍କୁ ବହୁବାର ଜେଲ ଯିବାକୁ ପଡ଼ିଥିଲା । ଉକ୍ତ ସଭାରେ ପ୍ରଫେସର ଝରଣା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ।

ସମାଜସେବୀ ଲଲାଟେନ୍ଦୁ ମହାନ୍ତି କସ୍ତୁରବାଙ୍କ ମୃତ୍ୟୁ ପରେ ସୁବାସ ବୋଷଙ୍କ ଦ୍ୱାରା ଲିଖିତ ଶୋକବାର୍ତ୍ତା ପାଠ କରିଥିଲେ । ଫେଲୋସିପ୍‌ର ଅଧ୍ୟକ୍ଷ ଏସ୍‌.ଏମ୍ ଫାରୁକ୍ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଓକିଲ ତଥା ମଦ ବିରୋଧୀ ଆନ୍ଦୋଳନର ପୁରୋଧା ନିରାକାର ଜେନା, ରାଜ୍ୟ ଶିକ୍ଷକ ସଂଘର ସମ୍ପାଦକ ସୁରଜିତା ନାୟକ ଓ ରାଜ୍ୟ ବାର୍ କାଉନସିଲ୍‌ର ପ୍ରାକ୍ତନ ସଦସ୍ୟ ପବନ ଶର୍ମା କସ୍ତୁରବାଙ୍କ ବିଭିନ୍ନ ଆଦର୍ଶ ଗୁଣାବଳୀ ଉପରେ ଆଲୋଚନା କରିଥିଲେ । ଅଧ୍ୟାପକ ନାସିର ବକ୍ସ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀମାନେ ଗାନ୍ଧିଜୀଙ୍କର ପ୍ରିୟ ଭଜନ ‘ବୈଷ୍ଣବ ଜନତୋ’ ଓ ରାମଧୂନ ଗାନ କରିଥିଲେ । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ତୁଷାରକାନ୍ତି ମହାନ୍ତି ସଭାରେ ସଂଯୋଜନା କରିଥିବା ବେଳେ ସୀତାକାନ୍ତ ଦାସ, ଜାହିର ଖାଁ, କୋଷାଧ୍ୟକ୍ଷ ଅମର ଲେଙ୍କା, ଲକ୍ଷ୍ମୀକାନ୍ତ ବାରିକ, ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ହରେକୃଷ୍ଣ ମହାନ୍ତି, ଇଂ ବସନ୍ତ ପାଣିଗ୍ରାହୀ, ବୈଲୋଚନ ବେହୁରିଆ, ଖ୍ୱାଜା ସକ୍‌ଲେନ, ସାହେବୁର ରହେମାନ ପ୍ରମୁଖ ପରିଚାଳନା କରିଥିଲେ ।