Odiapua.com

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଶୋକ ଶତପଥି ସମ୍ମାନିତ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍କୁଲର ବିଜ୍ଞାନ ଶିକ୍ଷକ ଅଶୋକ ଶତପଥି ଗୁରୁଦିବସରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ଆଜି ତାଙ୍କୁ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ‘ସଂଗ୍ରାମୀ ମାୟାଧର ଦାସ ସ୍ମୃତି କମିଟି’ ପକ୍ଷରୁ ଜିଲ୍ଲା ସ୍କୁଲ ପରିସରରେ ଏକ ନିରାଡମ୍ବର ଉତ୍ସବରେ ସମ୍ମାନିତ କରାଯାଇଛି । ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍ମୃତି କମିଟି ସମ୍ପାଦକ ବଂଶୀଧର ଦାସ, ଲୋପାମୁଦ୍ରା ଦାସ ଅତିଥିଙ୍କୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତପସ୍ୱିନୀ ଦାସ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମିଶ୍ର ସମ୍ବର୍ଦ୍ଧିତ କରିବା ଅବସରରେ ଶ୍ରୀଯୁକ୍ତ ଶତପଥି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେବା କେବଳ ଭଦ୍ରକ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବ । ଓଡ଼ିଶାରୁ ମାତ୍ର ୨ ଜଣ ଶିକ୍ଷକ ଏହି ସମ୍ମାନର ଅଧିକାରୀ ହୋଇଥିବା ବେଳେ ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଏଥିରେ ସାମିଲ ହେବା ଜିଲ୍ଲା ପାଇଁ ଗୌରବର ବିଷୟ । ସେଥିପାଇଁ ଜିଲ୍ଲା ଶିକ୍ଷା ବିଭାଗ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତି ପରେ ଶିକ୍ଷକଙ୍କ ଦାୟିତ୍ୱବୋଧ ବହୁ ବଢିଯାଏ ବୋଲି କହିଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀଯୁକ୍ତ ଶତପଥି ମାୟାଧର ଦାସ ସ୍ମୃତି କମିଟିକୁ ଧନ୍ୟବାଦ ଅର୍ପଣ କରିବା ସହିତ ରାଷ୍ଟ୍ରପତି ପଦକ ପ୍ରାପ୍ତି ସମଗ୍ର ଶିକ୍ଷକତା ଜୀବନର ପୂର୍ଣ୍ଣତା ଆଣି ଦେଇଛି ବୋଲି କହିଥିଲେ । ଏହି ଉତ୍ସବରେ ଜିଲ୍ଲା ସ୍କୁଲର ଶିକ୍ଷକ ନରେନ୍ଦ୍ର କୁମାର ସାହୁ, ସେକ୍ ସମିଉଲ୍ଲା, ମନୋଜ ରାୟ, ଅଧିବକ୍ତା ଗିରିଧାରୀ ନାଥ, ଅଗଣି ଚରଣ ଜେନା, ବୁଦ୍ଧିଜୀବୀ ଜଇରାମ ଦାସ, ସାମ୍ବାଦିକ ତପନ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।