Odiapua.com

ରାଷ୍ଟ୍ରପତିଙ୍କ ସହ ସଂସ୍କୃତ ବିକାଶ ସଂପର୍କରେ ଆଲୋଚନା

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ବିଶ୍ୱରେ ସଂସ୍କୃତ ଶିକ୍ଷା ଓ ପ୍ରଚାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ କର୍ମକର୍ତ୍ତା ବୃନ୍ଦ ସଭାପତି ଡ. ସଦାନନ୍ଦ ଦୀକ୍ଷିତଙ୍କ ନେତୃତ୍ୱରେ ଗତ ୧୮ ତାରିଖରେ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରି ଦେଶ ଓ ବିଦେଶରେ ସଂସ୍କୃତ ବିକାଶ ସଂପର୍କରେ ଅବଗତ କରାଇଥିଲେ । ବିଗତ ୪୧ ବର୍ଷ ଧରି ସଂସ୍କୃତ ପ୍ରଚାର କ୍ଷେତ୍ରରେ ଲୋକଭାଷା ପ୍ରଚାର ସମିତିର ୧୬ଟି ରାଷ୍ଟ୍ରଶାଖା ଓ ୧୮ଟି ରାଜ୍ୟଶାଖା ମାଧ୍ୟମରେ କରାଯାଉଥିବା ବିବିଧ କାର୍ଯ୍ୟକ୍ରମ ସଂପର୍କରେ ଜାଣି ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିବା ସଂଗେ ସଂଗେ ଏହାର ସଫଳତା କାମନା କରିଥିଲେ । ଏହି ଅବସରରେ ଲୋକଭାଷା ପ୍ରଚାର ସମିତି ଓ ବିଶ୍ୱ ସଂସ୍କୃତ ସଂଗଠନ ଆନୁକୂଲ୍ୟରେ ଗୌହାଟି ଠାରେ ଆଗାମୀ ଡିସେମ୍ବର ଶେଷ ସପ୍ତାହରେ ଆୟୋଜିତ ହେବାକୁ ଥିବା ବିଶ୍ୱ ସଂସ୍କୃତ ସମ୍ମେଳନକୁ ଉଦ୍‌ଘାଟନ କରିବାକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ଶାଖା ଅଧ୍ୟକ୍ଷ ଡ. ବିପିନ ବିହାରୀ ଶତପଥୀ ଶ୍ରୀ ଜଗନ୍ନାଥଙ୍କ ରୂପା ତାରକସି ମୂର୍ତ୍ତି, ଆସାମ ଶାଖା ପକ୍ଷରୁ ଶ୍ରୀ କୁଶଲ କଲିତା ଅସମୀୟ ବସ୍ତ୍ର, ଦକ୍ଷିଣକ୍ଷେତ୍ର ଉପାଧ୍ୟକ୍ଷ ଡ. ଗୋପାଲ ଆଚାର୍ଯ୍ୟ ଉଡ଼ୁପି କୃଷ୍ଣ ମନ୍ଦିର ପ୍ରସାଦ ପ୍ରଦାନ କରିଥିଲେ । ରାଜସ୍ଥାନ ଶାଖାଧ୍ୟକ୍ଷ ଡ. ନିରଂଜନ ସାହୁ, ଉତ୍ତରପ୍ରଦେଶ ଅଧ୍ୟକ୍ଷା ଡ. ରୀତା ତିୱାରୀ, ଦିଲ୍ଲୀଶାଖା ଅଧ୍ୟକ୍ଷ ପ୍ର. ଶ୍ରୀବତ୍ସ ଶାସ୍ତ୍ରୀ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ । ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳ ପକ୍ଷରୁ ସଭାପତି ଡ. ଦୀକ୍ଷିତ ଓଡ଼ିଶାରେ ସଂସ୍କୃତ ଶିକ୍ଷାର ଦୁରବସ୍ଥା ସଂପର୍କରେ ଏକ ନିବେଦନ ପତ୍ର ପ୍ରଦାନ କରି ଏହାର ପ୍ରତିକାର ପାଇଁ ନିବେଦନ କରିଥିଲେ ।