Odiapua.com

ରାଷ୍ଟ୍ରପତିଙ୍କ ପ୍ରତି ଆପତି ଜନକ ମନ୍ତବ୍ୟକୁ ବରଦାସ୍ତ କରାଯିବନାହିଁ – ବିଜେପି ମହିଳାମୋର୍ଚ୍ଚା, ସୋନିଆ ଓ ରାହୁଲଙ୍କ କୁଶପୁତଳିକା ଦାହ ଓ ବିକ୍ଷୋଭ

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମହିମ ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧି ଦେଇଥିବା ଆପତି ଜନକ ମନ୍ତବ୍ୟକୁ ନେଇ ଆଜି ଭଦ୍ରକ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ବନ୍ତଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା ସଭାନେତ୍ରୀ ମମତା ବେହେରାଙ୍କ ନେତୃତ୍ୱରେ କର୍ମକର୍ତାମାନେ ଏକ ଶୋଭାଯାତ୍ରାରେ ଆସି ସୋନିଆ ଗାନ୍ଧୀଙ୍କ କୁଶ ପୁତଳିକା ଦାହ କରିଥିଲେ। ଏବଂ ନିଜର ବକ୍ତବ୍ୟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ସହ ଏଥିପାଇଁ ଉଭୟ କ୍ଷମା ମାଗିବା ଉଚିତ୍ ବୋଲି ଦାବି କରିଥିଲେ। ସେମାନଙ୍କର ଆପତି ଜନକ ମନ୍ତବ୍ୟ କଂଗ୍ରେସର ସାମନ୍ତବାଦୀ ମାନସିକତା ସେମାନଙ୍କର ଅହଂକାର ଏବଂ ଅନୁସୂଚିତ ଜନଜାତି ସଂପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ପ୍ରତି ସେମାନଙ୍କର ନିରାଶା ଓ ମହିଳା ବିରୋଧୀ ମାନସିକତାକୁ ପ୍ରତିଫଳିତ କରୁଛି ବୋଲି କହିଥିଲେ। କଂଗ୍ରେସର ଚିନ୍ତାଧାରା ସର୍ବଦା ଏସ୍‌ସି/ଏସ୍‌ଟି, ଓବିସି ଓ ମହିଳା ବିରୋଧୀ ରହିଆସିଥିବାବେଳେ ସେ ଆଜି ପୁଣି ଥରେ ନିଜର ହୀନ ମାନସିକତାର ପରିଚୟ ଦେଇଛି। ପୂର୍ବରୁ ମଧ୍ୟ କଂଗ୍ରେସ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିଥିଲା। ଅଯୋଧ୍ୟା ରାମ ମନ୍ଦିରକୁ ରାଷ୍ଟ୍ରପତି ଦର୍ଶନ କରିବା ପରଦିନ ଏହାକୁ ଗଂଗାଜଳରେ ଶୋଧନ କରିବା କଥା ମଧ୍ୟ ଜଣେ କଂଗ୍ରେସ ନେତା କହିଥିଲେ। ଏଣୁ ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ, ଅବହେଳିତ ଓ ପଛୁଆ ସଂପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେବି ବରଦାସ୍ତ କରିପାରିବେ ନାହିଁ। କଂଗ୍ରେସ କେବଳ ଏସ୍‌ଟି ସଂପ୍ରଦାୟକୁ ଅପମାନିତ କରିନାହିଁ, ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିବା ସହ ଜଣେ ମହିଳା ଏବଂ ଓଡ଼ିଶାକୁ ଅପମାନିତ କରିଥିବାରୁ ଓଡ଼ିଶାବାସୀ କେବେବି ତାଙ୍କୁ କ୍ଷମାଦେବେ ନାହିଁ କି ଗ୍ରହଣ କରିବେ ନାହିଁ ବୋଲି ମହିଳା ନେତ୍ରୀମାନେ ନିଜ ବକ୍ତବ୍ୟରେ କହିଥିଲେ। ଏବଂ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗିବା ଦରକାର ବୋଲି ଯୁକ୍ତି ବାଢିଛନ୍ତି।