Odiapua.com

ରାଶନ ଚାଉଳ ମିଳିବାରେ ବିଳମ୍ବ ପ୍ରତିବାଦରେ ରାସ୍ତାରୋକ

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଚକ ପଞ୍ଚାୟତରେ ରାସନ ଚାଉଳ ପ୍ରଦାନରେ ବିଳମ୍ବକୁ ନେଇ ହିତାଧିକାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ହିତାଧିକାରୀମାନେ ଶନିବାର ସକାଳେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ । ହିତାଧିକାରୀମାନଙ୍କୁ ଚାଉଳ ବଣ୍ଟନର ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ପ୍ର୍ରତ୍ୟାହୃତ ହୋଇଥିଲା । ପରେ ହିତାଧିକାରୀମାନଙ୍କୁ ପଞ୍ଚାୟତରେ ଚାଉଳ ବଣ୍ଟନ କରାଯାଇଥିବା ଜଣାଯାଇଛି । ଅଚକ ପଞ୍ଚାୟତର ହିତାଧିକାରୀମାନଙ୍କୁ ଏପ୍ରିଲ, ମଇ ଓ ଜୁନ୍ ମାସର ଚାଉଳ ମିଳିବାରେ ବିଳମ୍ବ ହୋଇଥିଲା । ଅନ୍ୟ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯାଇଥିବା ବେଳେ ସାନ୍ତରାପୁର, ବାଲିପାଳ ଓ ନନ୍ଦପୁର ମୁସଲମାନସାହିର ହିତାଧିକାରୀମାନଙ୍କୁ ଚାଉଳ ମିଳିନଥିଲା । ସେମାନେ ଚାଉଳ ପାଇଁ ପଞ୍ଚାୟତକୁ ଆସି ନିରାଶରେ ଫେରୁଥିଲେ । ଶନିବାର ସକାଳେ ମଧ୍ୟ ଚାଉଳ ନମିଳିବାରୁ ହିତାଧିକାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଫଳରେ ସେମାନେ ପାଟିତୁଣ୍ଡ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ ସହିତ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ତିହିଡ଼ି ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସମାଧାନ ହୋଇ ପାରିନଥିଲା । ପରେ ପଞ୍ଚାୟତ ପକ୍ଷରୁ ତିନିମାସର ଚାଉଳ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ସହ ଚାଉଳ ବଣ୍ଟନ ଆରମ୍ଭ ହେବାରୁ ପରିସ୍ଥିତି ଶାନ୍ତି ପଡ଼ିଥିଲା । ଏ ସମ୍ପର୍କରେ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାସୁଦେବ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କାଗଜପତ୍ରରେ ଚାଉଳ ଷ୍ଟକ୍ ଥିଲେ ମଧ୍ୟ ବାସ୍ତବରେ ଚାଉଳ ନଥିବାରୁ ହିତାଧିକାରୀଙ୍କୁ ଚାଉଳ ବଣ୍ଟନରେ ବିଳମ୍ବ ହୋଇଥିଲା ।