Odiapua.com

ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସର ବିତରଣ କେନ୍ଦ୍ରରେ ଟଙ୍କିକିଆ ଚାଉଳ ବ୍ୟାନରକୁ ବିରୋଧ, ସପକ୍ଷ ଓ ବିପକ୍ଷ ଦ୍ୱାରା ଥାନାରେ ଆକ୍ରମଣ ଅଭିଯୋଗ

ଭଦ୍ରକ, ୧୬ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସର ଟଙ୍କିକିଆ ଚାଉଳ ବିତରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନରକୁ ସ୍ଥାନୀୟ ବିଜେପି ଦଳର କର୍ମୀମାନେ ମଙ୍ଗଳବାର ବିରୋଧ କରିବା ଦ୍ୱାରା ଗଣ୍ଡଗୋଳ ହୋଇଥିବା ଜଣାଯାଇଛି । ଏଥିନେଇ ୨ ଗୋଷ୍ଠୀ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ୨ ଅଭିଯୋଗ ଥାନାରେ ହୋଇଥିବା ଜଣାଯାଇଛି । ଆଜି ଦିନ ପ୍ରାୟ ୧୨.୩୦ମି. ସମୟରେ ଯୁବନେତା ସ୍ୱରାଜ ମହାପାତ୍ରଙ୍କ ନେତୃତ୍ୱରେ ବହୁ କର୍ମୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି କେନ୍ଦ୍ର ସରକାରଙ୍କ ଚାଉଳରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନର କାହିଁକି ଲଗାଯାଇଛି ବୋଲି ବିତରକଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସରପଞ୍ଚଙ୍କ ସ୍ୱାମୀ ମଦନ ରାଉତ, ବେଣୁଧର ରାଉତଙ୍କ ସମେତ ଅନ୍ୟମାନେ ସ୍ୱରାଜ ଓ ସମର୍ଥକମାନଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ ବୋଲି ସ୍ୱରାଜ ମହାପାତ୍ର ଓ ସୁନନ୍ଦ ସ୍ୱାଇଁଙ୍କ ପକ୍ଷରୁ ୨ଟି ଅଭିଯୋଗ ଥାନାରେ ହୋଇଛି । ଅନ୍ୟପକ୍ଷରେ ମଦନ ରାଉତଙ୍କ ପକ୍ଷରୁ ସ୍ୱରାଜ ଓ ଅନ୍ୟାମାନଙ୍କ ନାମରେ ଆକ୍ରମଣ କରିଥିବା ଅଭିଯୋଗ ଥାନାରେ ହୋଇଛି । ଉଭୟ ପକ୍ଷ ଥାନାରେ ଉପସ୍ଥିତ ଥିବା ଜଣାଯାଇଛି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ମାମଲା ଋଜୁ ହୋଇନଥିବା ଜଣାଯାଇଛି ।