Odiapua.com

ରାମକୃଷ୍ଣପୁର ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି, ଅଭିଯୋଗର ୭ ମାସ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍‌, କ୍ଷତିଗ୍ରସ୍ତଙ୍କ ଆମରଣ ଅନଶନ ଚେତାବନୀ

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଳକ ଅନ୍ତର୍ଗତ ରାମକୃଷ୍ଣପୁର ସେବା ସମବାୟ ସମିତିରେ ଧାନ ବିକ୍ରି ପାଇଁ ଚାଷ ଜମି ଅନ୍‌ଲାଇନ୍ ପଞ୍ଜିକରଣରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଥିଲା । ଦୀର୍ଘ ୭ ମାସ ପୂର୍ବରୁ ତା୧୬.୩.୨୦୨୦ରିଖରେ ଦୁର୍ନୀତିର ଶିକାର ହୋଇଥିବା ସଂପୃକ୍ତ ଚାଷୀମାନେ ଏ ସଂକ୍ରାନ୍ତରେ ତଥ୍ୟ ପ୍ରମାଣ ସହ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ସମବାୟ ସମିତି ଆସିଷ୍ଟାଣ୍ଟ ରେଜଷ୍ଟାର୍‌ଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଅଭିଯୋଗର ୭ ମାସ ଅତିକ୍ରାନ୍ତ ପରେ ମଧ୍ୟ କୋବିଡ଼୍ ଅ।।ଳ ଦେଖାଇ ପ୍ରଶାସନ ଏହି ଅଭିଯୋଗକୁ ଟାଳି ଦେଉଥିବା ଯୋଗୁ ଆଜି ପୁନର୍ବାର ଚାଷୀମାନେ ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ବଦ୍ରୀ ଧଳଙ୍କ ନେତୃତ୍ୱରେ ଚାଷୀମାନଙ୍କର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଓ ସେବା ସମବାୟ ସମିତିର ଆସିଷ୍ଟାଣ୍ଟ ରେଜିଷ୍ଟାରଙ୍କୁ ଭେଟି ଏ ଘଟଣାର ପୁନଃ ତଦନ୍ତ ସହ ସଂପୃକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ପ୍ରକାଶ ଯେ ରାମକୃଷ୍ଣପୁର ସେବା ସମବାୟ ସମିତି ଅଧିନରେ ଥିବା ରାମକୃଷ୍ଣପୁର ଓ ରାମପୁର ଗ୍ରାମର ଶତାଧିକ ଚାଷୀଙ୍କ ଚାଷ ଜମିଗୁଡ଼ିକୁ ଉକ୍ତ ସମବାୟ ସମିତିର ସମ୍ପାଦକ, ଡାଟା ଏଣ୍ଟ୍ରି ଅପରେଟର ଏବଂ କିଛି ଅସାଧୁ ମୁନାଫାଖୋର ବ୍ୟକ୍ତି ରାଜନୈତିକ ଆକ୍ରୋଶ ମନୋଭାବ ରଖି ଚଞ୍ଚକତା ପୂର୍ବକ ପ୍ରକୃତ ଚାଷୀଙ୍କ ନାମ ବଦଳରେ ନକଲି ଚାଷୀମାନଙ୍କ ନାମରେ ଅନଲାଇନ ପଞ୍ଜିକରଣ କରାଇଛନ୍ତି । ଏହାବାଦ୍ ଆହୁରି ଅନେକ ଚାଷୀ ଅନଲାଇନ୍ ପଞ୍ଜିକରଣ ପାଇଁ ଆବଶ୍ୟକୀୟ କାଗଜ ପତ୍ର ସଂପୃକ୍ତ ସମିତିରେ ଧାର୍ଯ୍ୟ ତାରିଖ ସୁଧା ଦାଖଲ କରିଥିଲେ ମଧ୍ୟ ସେମାନଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ପଞ୍ଜିକରଣରୁ ବାଦ୍ ଦିଆଯାଇଛି । ଯାହାଫଳରେ ସଂପୃକ୍ତ ଚାଷୀମାନେ ପରୋକ୍ଷରେ ସରକାରଙ୍କ ଦ୍ୱାରା ପ୍ରତାରିତ ହୋଇ ନିଜର ଉତ୍ପାଦିତ ଧାନକୁ ସରକାରୀ ମୂଲ୍ୟରେ ବିକ୍ରୟ କରି ନପାରି ବାହାର ରାଜ୍ୟର ଦଲାଲ ମାନଙ୍କ ଦ୍ୱାରା ଶିକାର ହୋଇ ସ୍ୱଳ୍ପ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହି ଘଟଣା ସମ୍ପର୍କରେ ୭ ମାସ ଧରି ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏପରିକି ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଏ ନେଇ ଗ୍ରାମାଞ୍ଚଳ ଥାନାରେ ଗତ ୨୧.୩.୨୦୨୦ ତାରିଖରେ ଏକ ଅଭିଯୋଗ ମଧ୍ୟ କରାଯାଇଥିଲା । ଯାହା ସେହି ଫାଇଲ ଭିତରେ ରହି ଯାଇଛି । ଫଳରେ ଆଜି ଶ୍ରୀ ଧଳଙ୍କ ନେତୃତ୍ୱରେ ଚାଷୀ ନବକିଶୋର ବଳ, ପୂର୍ବତନ ସରପଞ୍ଚ ମନୋଜ ବିଶ୍ୱାଳ, ରତ୍ନାକର ବିଶ୍ୱାଳ, ତପନ ବାରିକ, କୃଷ୍ଣଚନ୍ଦ୍ର ଦାସ, ସୁରେନ୍ଦ୍ର ଜେନା, ଲୋଚନ ଦାସ ପ୍ରମୁଖ ଦାବୀ ଜଣାଇବା ସହ ଉପଯୁକ୍ତ ତଦନ୍ତ କରି ପ୍ରତାରିତ ଚାଷୀମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ନ କଲେ ଏକ ସପ୍ତାହ ପରେ ଚାଷୀଙ୍କ ସହ ଶ୍ରୀ ଧଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।