Odiapua.com

ରାଣୀପାର୍କ କୁ ନନ୍ଦନକାନନ ଘୋଷଣା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ତାଳଚେର,୧୨/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଦେଶ ତଥା ରାଜ୍ୟର ଅନ୍ୟତମ ପ୍ରଦୂଷିତ ତଥା ଉତପ୍ତ ସହର ତାଳଚେରର ରାଣୀପାର୍କ ଜଙ୍ଗଲରୁ ଗଛ କାଟିବା ପ୍ରତିବାଦ କରାଯାଇ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ହେବା ଦାବୀ ନେଇ ଜନସାଧାରଣଙ୍କ ତରଫରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଅଛି । ରାଣୀପାର୍କରେ ନନ୍ଦନକାନନ କରିବାପାଇଁ ସରକାରୀ ସ୍ତରରେ ନିଷ୍ପତି ହୋଇଥିବାବେଳେ ତାହାକୁ କାର୍ଯ୍ୟକାରୀ କରିବା,ରାଣୀପାର୍କ ଜଙ୍ଗଲର ସୁରକ୍ଷା ପାଇଁ ଜଙ୍ଗଲ ଚାରି ପାଖରେ ପାଚେରୀ ନିର୍ମାଣ କରିବା ପାଇଁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ପ୍ରକାଶ ଥାଉକି, ଗତ କିଛି ଦିନ ହେଲା ଜଙ୍ଗଲରୁ ଶହଶହ ଗଜା ଗଛ କଟା ଯାଇଥିବାର ଜଣାପଡିବା ପରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି,ପରିବେଶବିତ୍ ପ୍ରଭୃତି ଉକ୍ତ ଜଙ୍ଗଲକୁ ଯାଇ ଗଛକଟାକୁ ବନ୍ଦ କରାଇଥିଲେ । ଏହି ଦାବୀଗୁଡିକ ଯଥାଶୀଘ୍ର ପୂରଣ ନକଲେ ଆଗାମୀ ଦିନରେ ତାଳଚେର ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବୀପତ୍ର ପ୍ରଦାନ ବେଳେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଇଂ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ନଗରପାଳ କେଶବ ଭୂତିଆ,ପ୍ରଦୀପ ମହାରଣା,ଚତୁର୍ଭୁଜ ନନ୍ଦ,ବାଉରୀବନ୍ଧୁ ବେଜ, ଚିନ୍ତାମଣି ମହାପାତ୍ର,ସବିତା ଧୀର, ବଜରଙ୍ଗ ଅଗ୍ରୱାଲା,ଜିନେଶ ସାହୁ,ମହାବୀର ପ୍ରସାଦ ଅଗ୍ରୱାଲା,ମୁକେଶ ଅଗ୍ରୱାଲା,ଗିରିଶ ସାମଲ,ଦେବେନ୍ଦ୍ର କୁମାର ସାହୁ,ସଂଧ୍ୟାରାଣୀ ଦାସ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।