Odiapua.com

ରାଣୀତାଲରେ ରେଲ୍‌ୱେ ସାଇଟ୍ ବନ୍ଦ ପାଇଁ ଦାବି

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ଜଗଦଳପୁର ପଂଚାୟତର ସାରସତିଆ ଗ୍ରାମର ରେଲ୍‌ୱେ ଲାଇନ୍ ପାଖରେ ଅଛି ସିଦ୍ଧି ଟ୍ରାନ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ରେଲ୍‌ୱେ ସାଇଡିଂ । ପ୍ରତିଦିନ ଟ୍ରେନ୍ ଯୋଗେ ଏଠାକୁ ଆସୁଛି କୋଇଲାଗୁଣ୍ଡ ଓ ପାଉଁଶ । ଏହି ପାଉଁଶ ଯାହାକୁ ୧୬ନଂ ଜାତୀୟ ରାଜପଥ କାମରେ ବ୍ୟବହାର କରାଯାଉଛି । ଯାହାକି ପ୍ରତିଦିନ ଶହ ଶହ ଟ୍ରକ୍ ଓ ହାଇୱାରେ ବୁହାଯାଉଛି । ମାତ୍ର ଏହି ପାଉଁଶ ଉଡି ପରିବେଶ ଦୂଷିତ ହେବା ସହ ଘର ଓ ବାହାର ପ୍ରଦୂଷିତ ହୋଇଚାଲିଛି । ଏ ସଂପର୍କରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସଂପୃକ୍ତ କଂପାନୀ କର୍ତ୍ତୃପକ୍ଷ କୌଣସି ପ୍ରତିକାର ନକରିବାରୁ ଆଜି ସରସତିଆ ବିକାଶ ମଂଚ ଆହ୍ୱାନରେ ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ଆସି କଂପାନୀ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେବା ସହ ଏକମାସ ମଧ୍ୟରେ ଏହାର ସମାଧାନ ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜଗଦଳପୁର ସରପଞ୍ଚ ଶ୍ୟାମମଞ୍ଜରୀ ଜେନା ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ଦେବା କାଳରେ ଅନ୍ୟମାନଙ୍କ ମଧ୍ୟରେ ଜଗଦଳପୁରର ପୂର୍ବତନ ସରପଞ୍ଚ ବିଜୟ ମହାପାତ୍ର, ଶରତ ସାମଲ, ଗିରିଧାରୀ ମଲ୍ଲିକ, ନିରଂଜନ ଜେନା, ଅମୂଲ୍ୟ ସାହୁ, ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ରୀନାରାଣୀ ନାୟକ, ମାଳତୀ ମଲ୍ଲିକ, କମଳିନୀ ରଣା, ରମାକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।