Odiapua.com

ରାଣୀଙ୍କ ଉଚ୍ଚଶିକ୍ଷା ପାଇଁ ସହଯୋଗ କରିବାକୁ ଆଗେଇ ଆସିଲା ସର୍ଭଫର ପିପୁଲ

ହାଟଡ଼ିହି,୨୪ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପାଠପଢ଼ିବାକୁ ମୁଲ ଲାଗୁଛି ରାଣୀ ଖବର ପ୍ରକାଶ ପାଇବାପରେ ରାଣୀଙ୍କୁ ପାଠପଢ଼ାରେ ସହଯୋଗ କରିବାପାଇଁ ବହୁ ବ୍ୟକ୍ତି ବିଶେଷ ଓ ସଂଗଠନ ଆଗେଇ ଆସୁଛନ୍ତି । ଆଜି ଆଜି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସର୍ଭଫର ପିପୁଲର ସଦସ୍ୟ ସୌମ୍ୟରଞ୍ଜନ ସାମଲ, ଦିଗାମ୍ବର ଦାସ, ପ୍ରଫୁଲ ମହାନ୍ତି ତାଙ୍କ ଘରେ ପହଞ୍ଚି ରାଣୀଙ୍କ ସହ ଆଲୋଚନା କରି ତାଙ୍କୁ ଉଚ୍ଚଶିକ୍ଷା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେବା ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ସଙ୍ଗମ ଗ୍ରାମର ରାଣୀ ହେମ୍ରମ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫୧୧ମାର୍କ ରଖିଥିବାବେଳେ ଉଚ୍ଚ ଶିକ୍ଷା ପାଇଁ ପ୍ରବଳ ଆଗ୍ରହ ଥିଲେବି ପାରିବାରିକ ଅଭାବ ଅନାଟନ ଯୋଗୁଁ ତାଙ୍କ ଉଚ୍ଚଶିକ୍ଷା କରିବାର ଆଶା ମଉଳି ଯାଇଥିଲା । ଏପରିକି ଆର୍ôଥକ ଅଭାବ ଅନାଟନ ଯୋଗୁଁ ସେ ନିୟମିତ ମୁଲ ମଜୁରୀ ଲାଗି ପରିବାର ଚଳାଇବା ସହିତ କିଛି ଅର୍ଥ ସଞ୍ଚୟ କରି ଯୁକ୍ତ ୨ପଢ଼ିବା ସହିତ ଡାକ୍ତର ହେବାକୁ ଲକ୍ଷ ରଖିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସମଗ୍ର ଓଡିଶାରେ ତାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏନେଇ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତାଙ୍କ ଉଚ୍ଚ ଶିକ୍ଷାପାଇଁ ସମ୍ପୁର୍ଣ୍ଣ ସହଯୋଗ କରିବାକୁ ଆଗେଇ ଆସିଛନ୍ତି । ଭୁବନେଶ୍ୱର, ବାରିପଦା, ଅନୁଗୁଳ, ଢ଼େଙ୍କାନାଳ, ବଡବିଲା, ବାଲେଶ୍ୱର ପ୍ରଭୃତି ସ୍ଥାନରୁ ନିୟମିତ ତାଙ୍କ ପାଖକୁ ଟେଲିଫୋନ ମାଧ୍ୟମରେ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତାବ ମାନ ଦେଇଥିବାବେଳେ କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ତାଙ୍କ ପ୍ରତିନିଧିଙ୍କ ଜରିଆରେ ତାଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗ କରିବାପାଇଁ ପ୍ରତିଶୃତି ଦେବା ସହିତ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହିପରି ଆନନ୍ଦପୁରର ମା ମଙ୍ଗଳା ସ୍ୱେଚ୍ଛାସେବୀ ସଂଗଠନ ତାଙ୍କ ପରିବାରର ଅଭାବ ଅନାଟନ ଦୁରକରିବାପାଇଁ ଗୋଟିଏ ମାସର ରାସନ ସାମଗ୍ରୀ ସହିତ ପାଠ୍ୟଉପକରଣ ଓ ଆର୍ôଥକ ସହାୟତା ଯୋଗାଇ ଦେଇଛନ୍ତି ।