Odiapua.com

ରାଜ୍ୟ ସିଲେକ୍ସନ ବୋର୍ଡ ଅଧ୍ୟାପକ ସଙ୍ଘର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ଏସ.ଏସ.ବି. ଅଧ୍ୟାପକ ସଙ୍ଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ସରୋଜକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ସଙ୍ଘର ଭବିଷ୍ୟତ ଯୋଜନା, ସଦସ୍ୟତା ଅଭିଯାନ ଏବଂ ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଇଥିବା ଦାବିପତ୍ର ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ରାଜ୍ୟ ସିଲେକସନ ବୋର୍ଡ ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ସମ୍ମୁଖିନ ହେଉଥିବା ସମସ୍ୟା ଉପରେ ସମ୍ପାଦକ ଡଃ. ଲମ୍ବୋଦର ରାଉତ ଆଲୋକପାତ କରିଥିଲେ। କୋଷାଧ୍ୟକ୍ଷ ଡଃ. ପ୍ରସନ୍ନ କୁମାର ବରାଳ ସଙ୍ଘର ଆୟ ଏବଂ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ। ସଙ୍ଘର ସଦସ୍ୟତା ଅଭିଯାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହିତ ସରକାରଙ୍କ ନିକଟରେ ଉପସ୍ଥାପିତ ଦାବି ଗୁଡିକ ପୂରଣ ଦିଗରେ ଆବଶ୍ୟକ ପଦକ୍ଷେପ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସଙ୍ଘର କାର୍ଯ୍ୟକାରିଣୀ ସଦସ୍ୟ ଡଃ. ଆନନ୍ଦ ଚନ୍ଦ୍ର ନାୟକ ବୈଠକ ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଯୋଜକମାନେ ଯୋଗଦେଇଥିଲେ।