Odiapua.com

ରାଜ୍ୟ ସରକାର କରୋନା ଦୁର୍ନୀତି ସମ୍ବନ୍ଧରେ ସୂଚନା ନ ଦେବା ଅଭିଯୋଗ

ବଲାଙ୍ଗୀର, ୦୨-୧୦ (ଓଡ଼ିଆ ପୁଅ) ସରକାର କରୋନା ମୁକାବିଲା ପାଇଁ କୋଟି କୋଟି ଟଙ୍କାର ମାସ୍କ ଏବଂ ପିପିଇ କିଟ୍‌ ରାଜ୍ୟ ସରକାର କିଣିଛନ୍ତି। ରାଜ୍ୟ ସରକାର କଣିଥିବା ମାସ୍କ ଓ ପିପିଇ କିଟ୍‌ର ଦର ଏବଂ ସମୂଦାୟ ଖର୍ଚ୍ଚ ସମ୍ବନ୍ଧୀୟ ସବିଶେଷ ତଥ୍ୟ ରାଜ୍ୟ ଔଷଧ ନିଗମକୁ ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଗତ ମଇ ମାସରେ ମାଗିଥିଲେ। ରାଜ୍ୟ ଔଷଧ ନିଗମ କରୋନାଜନିତ ଜରୁରୀ ପରିସ୍ଥିତି ଯୋଗୁଁ ତଥ୍ୟ ଦେବା ପାଇଁ ନିର୍ଦ୍ଧାରିତ ସମୟଠାରୁ ଅଧିକ ଏକ ମାସ ସମୟ ଲାଗିବ ବୋଲି ପଣ୍ଡାଙ୍କୁ ଜଣାଇଥିଲେ। କିନ୍ତୁ ଏହି ସମୟ ଅବଧି ମଧ୍ୟ ଶେଷ ହେଲା ପରେ ତଥ୍ୟ ପ୍ରଦାନ ପାଇଁ ପୁଣି ଅଧିକ ଏକ ମାସ ଲାଗିବ ବୋଲି ଔଷଧ ନିଗମ ପକ୍ଷରୁ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆ ଯାଇଥିଲା। କିନ୍ତୁ ଶେଷରେ ଔଷଧ ନିଗମ ଚିଠି ନଂ-୧୧୭୯୪/ଓଏସଏମସିଏଲ, ତା ୧୪/୯/୨୦ ଯୋଗେ ଜଣାଇଛନ୍ତି ଯେ, ଏହି ବିଷୟ ମାନ୍ୟବର ହାଇକୋର୍ଟରେ ବିଚାରଧୀନ ଥିବା ଯୋଗୁଁ ଏ ସମ୍ପର୍କରେ ତଥ୍ୟ ଦିଆଯିବନାହିିଁ। କିନ୍ତୁ ଏ ସମ୍ପର୍କରେ ମାନ୍ୟବର ହାଇକୋର୍ଟ ତଥ୍ୟକୁ ସାର୍ବଜନୀନ କରିବା ପାଇଁ ବାରଣ କରି ନାହାନ୍ତି। ହାଇକୋର୍ଟ ଯେଉଁ ତଥ୍ୟକୁ ପ୍ରଘଟ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିବେ ସେହି ତଥ୍ୟକୁ ସାର୍ବଜନୀନ କରାଯାଇପାରିବ ନାହିଁ ଏବଂ ଏ କ୍ଷେତ୍ରରେ ଏଭଳି ନିର୍ଦ୍ଦେଶ ହାଇକୋର୍ଟ ଦେଇନଥିବା ପଣ୍ଡା କହିଛନ୍ତି। ରାଜ୍ୟ ଔଷଧ ନିଗମ କେବଳ ତଥ୍ୟକୁ ସାର୍ବଜନୀନ ନକରି ଲୁଚାଇ ଦେବା ପାଇଁ ଏଭଳି ବାହାନା କରୁଛି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ତଥ୍ୟ ପ୍ରଦାନ ପାଇଁ ବିଳମ୍ବ କରି ଦୁର୍ନୀତିକୁ ଚପାଇ ଦେବା ପାଇଁ ଉଦ୍ୟମ କରାଯାଉଥିବା ସେ ଅଶଙ୍କା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାକୁ ନେଇ ବଡ ଦୁର୍ନୀତି ହୋଇଥିବା କଥା ରାଜ୍ୟର ବିରୋଧୀ ଦଳମାନେ ଦୀର୍ଘ ଦିନରୁ ଅଭିଯୋଗ କରି ଆସୁଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି।