Odiapua.com

ରାଜ୍ୟ ସରକାରଙ୍କ ଅବହେଳାରୁ କୃଷି ଯୋଜନାରୁ ବଞ୍ଚିତ ଚାଷୀ – ବିଜେପି ପକ୍ଷରୁ ଓଡ଼ିଶାରେ‘ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ’କାର୍ଯ୍ୟକାରୀ ଦାବି

ବାଲେଶ୍ୱର, ୧୫ା୮(ଓଡ଼ିଆ ପୁଅ/ଅଭୟ ଦାସ):ଦେଶର କଷି ଓ କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓଡ଼ିଶାରେ ସଫଳ ରୂପାୟନ ହୋଇ ନପାରିବାକୁ ନେଇ ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା ଯୋଗଦେଇ ଲୋକଙ୍କ ହିତରେ ପ୍ରଣୀତ କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀରେ ରାଜ୍ୟ ସରକାରଙ୍କ ଅବହେଳାକୁ ସମାଲୋଚନା କରିଛନ୍ତି। ଦେଶର କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି କ୍ୟାବିନେଟ ଅନୁମୋଦନର ୩୦ ଦିନ ଭିତରେ କୃଷି ଭିତ୍ତିଭୂମି ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ଟଙ୍କା ୨୨୮୦ ସମବାୟ ସମିତିକୁ ପ୍ରଦାନ କରିଛନ୍ତି। ଚାଷୀଙ୍କ ଆୟକୁ ଦି୍ୱଗୁଣିତ କରିବା ଲକ୍ଷ୍ୟ ନେଇ ଏଭଳି ନିଷ୍ପତି ନିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ରାଜ୍ୟବାସୀଙ୍କ ତରଫରୁ ବିଜେପି ରାଜ୍ୟ ପ୍ରବକ୍ତା ଶ୍ରୀ ପଣ୍ଡା କୃତଜ୍ଞତା ଜଣାଇଛନ୍ତି। ତେବେ ଓଡିଶାରେ ଚାଷ ଉପରେ ନିର୍ଭରଶୀଳ ୭୦ରୁ ଅଧିକ ଭାଗ ଲୋକଙ୍କୁ କେନ୍ଦ୍ର ସରକାରଙ୍କର ଏହି ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ବିଜେପି କର୍ମକର୍ତ୍ତା କହିଛନ୍ତି। ରାଜ୍ୟରେ କୃଷି ବଜେଟ, କୃଷି କମିଶନ ସତ୍ତ୍ୱେ ଖାଦ୍ୟ ପ୍ରୋସେସିଂ ୟୁନିଟ ଏବଂ କୃଷି ଉଦ୍ୟୋଗୀଙ୍କ ସଂଖ୍ୟା କମ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ ଆରୋପ ଉଠାଇଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ତୁରନ୍ତ ଆତ୍ମନିର୍ଭରଶୀଳ ଭାରତ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ସହ ଓଡିଶାର ଚାଷୀଙ୍କୁ ଲାଭବାନ କରାନ୍ତୁ। ଅନ୍ୟପକ୍ଷରେ ପିଏମ କିଷାନ ଯୋଜନାରେ ପ୍ରଧାନମନ୍ତ୍ରୀ ୮-୫ କୋଟି ଚାଷୀଙ୍କ ପାଇଁ ୧୭ ହଜାର କୋଟି ପ୍ରଦାନ କରାଯାଇଛି। ଏହି ପର୍ଯ୍ୟାୟ ସହିତ ସରକାର ମୋଟ ୯୦ ଜହଜାର କୋଟିରୁ ଅଧିକ ଟଙ୍କା ୧୦ କୋଟି ଚାଷୀଙ୍କୁ ୨୦୧୮ ଡିସେମ୍ବର ପହିଲାରୁ ଯୋଗାଇ ଦେଲେଣି। ମାତ୍ର ଓଡିଶାର ଚାଷୀମାନେ ଏହାର ଶତ ପ୍ରତିଶତ ଲାଭ ଉଠାଇ ପାରୁନାହାଁନ୍ତି। ଚାଷୀଙ୍କ ଆୟକୁ ଦ୍ୱିଗୁଣିତ ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ରାଜ୍ୟ ସରକାର ଏଥିରେ ବାଧକ ସାଜିଛନ୍ତି। ସେହିଭଳି ସାମ୍ପ୍ରତିକ ଖରିଫ୍ ଋତୁରେ ୟୁରିଆ ସାରର ବ୍ୟାପକ ଚୋରା କାରବାର ଓ କଳାବଜାରୀ ଯୋଗୁଁ ଚାଷୀ ସାର ପାଇଁ ହନ୍ତସନ୍ତ ହେବା ସହ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏ ଦିଗରେ ରାଜ୍ୟସରକାର ଯଥାଶୀଘ୍ର ପଦକ୍ଷେପ ନେବାକୁ ବିଜେପି ରାଜ୍ୟ ପ୍ରବକ୍ତା ଶ୍ରୀ ପଣ୍ଡା ଦାବି କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।