Odiapua.com

‘ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ’ ପୁସ୍ତକ ଲୋକାର୍ପିତ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟ ସଂଗୀତର ମାନ୍ୟତା ପାଇବା ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଓ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୀବନୀକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ଥାନିତ କରିବା ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବ ବୋଲି ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ ‘ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ’ ପୁସ୍ତକକୁ ଲୋକାର୍ପଣ କରି ବିରୋଧୀ ଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ନିଜର ବକ୍ତବ୍ୟରେ କହିଥିଲେ । ଏହି ପୁସ୍ତକ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଓ ସ୍ମରଣୀୟ ପୁସ୍ତକ ହୋଇରହିବ ବୋଲି ବକ୍ତାମାନେ ନିଜ ନିଜର ମତ ରଖିଥିଲେ । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସାରସ୍ୱତ ସାଧକ ଶ୍ରୀ ମହାପାତ୍ର ଅନେକ ପୁସ୍ତକ ରଚନା କରି ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତଥା ଓଡ଼ିଆ ଭାଷା ସାହିତ୍ୟକୁ ତାଙ୍କର ଅବଦାନ ଓ ସ୍ୱବାଗ୍ମୀତା ପାଇଁ ତାଙ୍କୁ ରାଜଧାନୀରେ ‘ବୀର କଳିଙ୍ଗ ରତ୍ନ’ ଉପାଧିରେ ଭୂଷିତ କରାଯାଇଛି ।

ସେଥିପାଇଁ ଭଦ୍ରକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଧନା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଶ୍ରୀ ମହାପାତ୍ରଙ୍କୁ ଭୂୟସୀ ସମ୍ବର୍ଦ୍ଧନା କରାଯାଇଥିଲା । ସାଧନା ସାହିତ୍ୟ ଏକାଡେମୀର ସ୍ଥାୟୀ ସଭାପତି ବିଷ୍ଣୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରାଚୀନ କବିତା ଏକ ଜୀବନାଦର୍ଶୀ ମାର୍ଗୀ ବୋଲି ନିଜ ବକ୍ତବ୍ୟରେ କହିଥିବାବେଳେ ବିଶିଷ୍ଟ ଶିଶୁ ସାହିତ୍ୟିକ ଇଂ ଅଭୟ ସୂତାର ମୁଖ୍ୟବକ୍ତା ଭାବେ ଯୋଗଦେଇ ଭଦ୍ରକର ଅନାଲୋଚିତ୍ୟ ପ୍ରତିଭା ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଏହି ଅବସରରେ ସାଧନା ସାହିତ୍ୟ ଏକାଡେମୀର ବର୍ଷାନ୍ତେ କବିତା ଆସରରେ ଭଦ୍ରକର କବି ତଥା ସ୍ତମ୍ଭକାର ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଶିଶୁ ସାହିତ୍ୟିକ ହରମୋହନ କୁଅଁର, ପ୍ରାବନ୍ଧିକ କିରଣ ଚନ୍ଦ୍ର ଗୁଇଁ, କଳା ଗୌରବ ଗୌରାଙ୍ଗ ଚନ୍ଦ୍ର ବାରିକ, ଆଦର୍ଶ ଶିକ୍ଷକ ମୁସ୍ତାକ ଗୌହ୍ୱର, ନିରଂଜନ ବାରିକ, ପ୍ରଶାନ୍ତ କୁମାର ମହଲ, ଅବଦୁଲ ଦୟାନ, ଶିଶୁ ସାହିତ୍ୟିକ ଦୟାନିଧି ବେହେରା, କବି ବସନ୍ତ କୁମାର ପାତ୍ର, କବୟିତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର, ଆଦର୍ଶ ଶିକ୍ଷୟିତ୍ରୀ ରଶ୍ମିତା ଦାଶ, ମନସ୍ମିତା ଦାସ, ମେଘମାଳା ପଣ୍ଡା ପ୍ରମୁଖ ନିଜ ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଆଦର୍ଶ ଶିକ୍ଷୟିତ୍ରୀ ରଶ୍ମିତା ଦାଶ ଆନୁଷ୍ଠାନିକ ଭାବେ ଅତିଥି ପରିଚୟ ଦେଇଥିବାବେଳେ ଆଦର୍ଶ ଶିକ୍ଷକ ନିରଂଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।