Odiapua.com

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗାନ୍ଧି ବାଳାଶ୍ରମ ପରିଦର୍ଶନ

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଭଦ୍ରକର ଗରଦପୁରସ୍ଥିତ ଐତିହାସିକ ଗାନ୍ଧି ଓଡ଼ିଶା ବାଳାଶ୍ରମ ପରିଦର୍ଶନ କରିଛନ୍ତି । ବାଳାଶ୍ରମର ସଂପାଦକ ଅଶୋକ କୁମାର ଦାସ, ଅଧୀକ୍ଷକ ହୃଷିକେଶ ମହାନ୍ତିଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଅନ୍ତେବାସୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ବାଳାଶ୍ରମ ପରିସର ମଧ୍ୟରେ ଥିବା ଗାନ୍ଧି ସ୍ମୃତି ମନ୍ଦିର ପରିଦର୍ଶନ କରିବା ସହ ସେ ଗାନ୍ଧିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଗାନ୍ଧି ସ୍ମୃତି ମନ୍ଦିରରେ ସଂରକ୍ଷିତ ହୋଇ ରହିଥିବା ଗାନ୍ଧିଙ୍କର ବ୍ୟବହୃତ ସାମଗ୍ରୀମାନ ଦେଖି ସେ ଅଭିଭୂତ ହୋଇପଡିଥିଲେ । ଗାନ୍ଧି ବାଳାଶ୍ରମ ପକ୍ଷରୁ ପିଲାମାନଙ୍କୁ ଯୋଗାଇ ଦିଆଯାଇଥିବା ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବା ସହ ସେମାନଙ୍କ ଭଲମନ୍ଦ ସେ ପଚାରି ବୁଝିଥିଲେ । ଏହାପରେ ବାଳାଶ୍ରମର ସଭାଗୃହରେ ଅନୁଷ୍ଠିତ ଏକ ସଭାରେ ସଂପାଦକ ଶ୍ରୀ ଦାସ ପ୍ରାରମ୍ଭିକ ସୂଚନା ଦେବାପରେ ବାଳାଶ୍ରମର ପିଲାମାନଙ୍କ ପକ୍ଷରୁ ମହାତ୍ମା ଗାନ୍ଧିଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା । ମହାତ୍ମାଗାନ୍ଧିଙ୍କ ନିର୍ଦ୍ଦେଶରେ ଜୀବରାମ କଲ୍ୟାଣଜୀ କୋଠାରୀ ପିତୃମାତୃ ହୀନ ଅସହାୟ ପିଲାମାନଙ୍କୁ ବାଳାଶ୍ରମରେ ରଖି ସେମାନଙ୍କୁ ଯେଉଁଭଳି ଭାବେ ମୁଖ୍ୟ ସାମାଜିକ ସ୍ରୋତରେ ସାମିଲ କରିଥିଲେ, ତାହା ଅଭିନନ୍ଦନୀୟ ବୋଲି ସୁଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

ଏହିଭଳି ଏକ ପବିତ୍ର ସ୍ଥାନରେ ପାଦ ରଖି ସେ ନିଜକୁ ଧନ୍ୟ ମଣିଥିଲେ ବୋଲି କହିବା ସହ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ସତ୍ୟ, ଅହିଂସା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ଜାତି ଗଠନରେ ଅନ୍ତେବାସୀମାନେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ । କରୋନା ଜନିତ ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ସେ ନିର୍ଦ୍ଦେଶ ଦେବା ସହ ଗାନ୍ଧି ସ୍ମୃତି ମନ୍ଦିର ମଧ୍ୟରେ ଥିବା ଗାନ୍ଧିଜୀଙ୍କ ବ୍ୟବହୃତ ସାମଗ୍ରୀମାନ ସଂରକ୍ଷିତ କରି ରଖିବା ପାଇଁ ଗାନ୍ଧି ସର୍କିଟ୍ ନିର୍ମାଣ ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ ପଦକ୍ଷେପ ନେବାପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ, ବାଳାଶ୍ରମର ପିଲାମାନେ ଶିକ୍ଷା, କ୍ରୀଡା ଓ ସଂଗୀତ ଭଳି ବହୁ କ୍ଷେତ୍ରରେ କିଭଳି ଅନନ୍ୟ, ତାହା ପ୍ରକାଶ କରିଥିଲେ । ଗାନ୍ଧି ବାଳାଶ୍ରମ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶର ତୀର୍ଥକ୍ଷେତ୍ର ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପିଲାମାନଙ୍କୁ ପାଠ ପଢା, ଶୃଙ୍ଖଳା, ସ୍ୱଚ୍ଛତା ତଥା କର୍ମାଭିମୁଖୀ ହୋଇ ସମାଜର ଜଣେ ପ୍ରତିଷ୍ଠିତ ନାଗରିକ ଭାବେ ଠିଆ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ଅଧୀକ୍ଷକ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।