Odiapua.com

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ ପାଟକୁରାରେ ୮୨ଟି ସମ୍ବେଦନଶୀଳ ଓ ୬୦ଟି ଅତି ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ସିସିଟିଭି କ୍ୟାମେରା ଲଗାଯାଉ: ବିଜେପି

ଭୁବନେଶ୍ୱର ୧୮/୦୭ (ଓଡ଼ିଆ ପୁଅ) : ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ ଗୁଡିକରେ ଶାସକ ବିଜେଡି ବୁଥ କ୍ୟାପଚରିଙ୍ଗ ଓ ରିଗିଂ କରିବାର ଆଶଙ୍କା ରହିଛି। ପୂର୍ବରୁ ବିଜେଡି ଟଙ୍କାର ପ୍ରଲୋଭନ ଦେଖାଇ ଭୋଟ ହାତେଇବା ଘଟଣା ଗତ ନିର୍ବାଚନରେ ନଜରକୁ ଆସିଥିଲା। ପାଟକୁରାରେ ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ଟଙ୍କା ବାଂଟିବା ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଶାସକ ଦଳ ସରକାରୀ କଳ ଲଗାଇ ନିର୍ବାଚନକୁ ନିଜ ସପକ୍ଷରେ କରିବା ଲାଗି ଅପଚେଷ୍ଟା କରୁଛନ୍ତି। ସରକାରୀ ଅଫିସରମାନେ ମଧ୍ୟ ବିଜେଡି ଦଳ ପାଇଁ ପ୍ରଚାର କରୁଛନ୍ତି। ନିର୍ବାଚନ ସମୟରେ ବୁଥ ଗୁଡିକ ଉପରେ ତୀକ୍ଷ୍ନ ନଜର ରଖିବା ସହ ନିର୍ବାଚନ ସୂଚାରୁରୂପେ କରିବା ପାଇଁ ଆଜି ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ୮୨ଟି ସମ୍ବେଦନଶୀଳ ଓ ୬୦ଟି ଅତି ସମ୍ବେଦନଶୀଳ ବୁଥମାନଙ୍କର ତାଲିକା ଦେବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ଓ ସିସିଟିଭି କ୍ୟାମେରା ଲଗାଇବାକୁ ପାଇଁ ଦାବି କରିଛନ୍ତି। ଏଥି ସହ ସମସ୍ତ କ୍ଷେତ୍ରୀୟ ଅଧିକାରୀ ଏବଂ ନିର୍ବାଚନ ଅଧିକାରୀମାନଙ୍କୁ ମୁକ୍ତ, ନିରପେକ୍ଷ ଏବଂ ଅବାଧ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବାକୁ ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ବିଜେପି ବିଧାୟକ ନାଉରୀ ନାୟକ, ବୁଦ୍ଧନ ମୁର୍ମୁ, ନିତ୍ୟାନନ୍ଦ ଗଣ୍ଡ, ସନାତନ ବିଜୁଳୀ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ଏବଂ ନିର୍ବାଚନ ପ୍ରକୋଷ୍ଠ ସହ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।