Odiapua.com

ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଚତୁର୍ଥ ପ୍ରତିଷ୍ଟା ଦିବସ: ଶିକ୍ଷାଦାନ ଓ ଅଧ୍ୟୟନ ପରିବ୍ୟାପ୍ତ ହେବା ଦରକାର

ସମ୍ବଲପୁର, ୧୩/୬ (ଓଡ଼ିଆ ପୁଅ) ସମ୍ବଲପୁର ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ଚତୁର୍ଥ ପ୍ରତିଷ୍ଠା ଉତ୍ସବ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଅନୁଷ୍ଟିତ ହୋଇଥିଲା। ଏଥିରେ ବିଶ୍ୱ ବିଦ୍ୟାଳୟର କୁଳପତି ଡ଼. ଶ୍ରୀକାନ୍ତ ମହାପାତ୍ର ପୈାରହିତ୍ୟ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଏଠାରେ ବୈଷୟିକ ଆଧାରିତ ଶିକ୍ଷା ପ୍ରଣାଳୀ ଗୁରୁତ୍ୱ ଦିଆଯାଉଛି ବୋଲି କହିଥିଲେ। ଅନଲାଇନ ମୂଲ୍ୟାଙ୍କନ, ସୂଚନା ପରିଚାଳନା, ଜାତୀୟ ଏକାଡେମିକ ରିପୋଜେଟାରୀର ସଦସ୍ୟତା ତନ୍ମଧ୍ୟରୁ ଅନ୍ୟତମ। ମୁକ୍ତ ଶିକ୍ଷା ବ୍ୟବସ୍ଥାକୁ ଛାତ୍ରଛାତ୍ରୀଙ୍କ ଅଧିକ ନିକଟତର କରିବା ପାଇଁ ସିବିସିଏସ ପ୍ରଣାଳୀ କାର୍ଯ୍ୟକାରୀ କରାଯାଉଛି। ବାଣିଜ୍ୟ ପ୍ରବଂଧନ, ଅର୍ଥନୀତି, ବାଣିଜ୍ୟ, ଓଡ଼ିଆ, ଇଂରାଜୀ ଭଳି ବିଷୟ ମାନଙ୍କରେ ନୂଆ ପାଠ୍ୟକ୍ରମରେ ଶିକ୍ଷାଦାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ।

ସଭାରେ ନୂଆଦିଲ୍ଲୀ ଶୈକ୍ଷିକ ଓ ବୈଷୟିକ ପରିଚାଲନା ଏକାଡ଼େମୀର ନିର୍ଦ୍ଦେଶକ ପ୍ର. ମର୍ମର ମୁଖୋପାଧ୍ୟାୟ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଲେ ଯେ, ସଂଗଠିତ ଓ ଜ୍ଞାନ ଆହରଣ ପାଇଁ ଛାତ୍ରଛାତ୍ରୀ ଇଚ୍ଛା ଆଧାରିତ ଲକ୍ଷ୍ୟ ହିଁ ଦୂର ଏବଂ ନିରନ୍ତର ଶିକ୍ଷାରେ ସଫଳତା ପ୍ରଦାନ କରିପାରିବ। ଏବେ ଶିକ୍ଷାଦାନ ଓ ଅଧ୍ୟୟନର ବ୍ୟାପକ ଭାବେ ପ୍ରସାରିତ ହୋଇଛି। ଏହାର ସୁଯୋଗ ନେବାକୁ ହେବ। ହେଲେ ଏହି ଶିକ୍ଷା ବ୍ୟବସ୍ଥାରେ ଉପଯୁକ୍ତ ପାଠ୍ୟକ୍ରମ, ପାଠ୍ୟ ଉପକରଣ, ପୁସ୍ତକ ପ୍ରସ୍ତୁତି, ମୂଲ୍ୟାୟନ ଓ ଆକଳନ, ବୈଷୟିକ ଜ୍ଞାନ କୌଶଳର ବ୍ୟବହାର, ଅନଲାଇନ ଏବଂ ଡ଼ିଜିଟାଲ ପଦ୍ଧତିରେ ଶିକ୍ଷାର୍ଥୀମାନଙ୍କୁ ସାମିଲ କରିବାକୁ ହେବ। ଗତାନୁଗତିକ ଶିକ୍ଷା ଓ ଅଧ୍ୟୟନ ବଦଳରେ ଦୂରଶିକ୍ଷାରେ ସମୟ, ସ୍ଥାନ ଏପରିକି ଶିକ୍ଷକ ଚୟନର ସ୍ୱାୟତ୍ତତା ଦିଆଯିବା ଉପରେ ସେ ଜୋର ଦେଇଥିଲେ। ଏହି ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ରୂପେ ଗଢାଯାଇପାରିବ। ତେବେ ଏଥିପାଇଁ ଶିକ୍ଷକ ମାନେ ସର୍ବଦା ଶିକ୍ଷାର୍ଥୀଙ୍କ ମନସ୍ତତ୍ୱ ଅଧ୍ୟୟନ କରିବାକୁ ପଡ଼ିବ। ଯାଫଳରେ ସେମାନେ ନିଜର ଯୋଗ୍ୟତାର ପ୍ରମାଣ ଓ ପ୍ରଦର୍ଶନ କରିପାରିବେ। ଏବେ ଅନଲାଇନ ଓ କମ୍ପ୍ୟୁଟର ଆଧାରିତ ପ୍ରଣାଳୀର ବ୍ୟାପକ ଉପଯୋଗର ଆବଶ୍ୟକତା ରହିଛି। ଶ୍ରେଣୀ କକ୍ଷ ଭଳି ପଠନ ସାମଗ୍ରୀ ସହିତ ଅଧ୍ୟୟନର ଉପକରଣକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚା ଯାଇପାରିବ। ସୂଚନା କ୍ରାନ୍ତି ଓ ସ୍ମାର୍ଟ ଫୋନର ଯୁଗରେ ଶିକ୍ଷା ପ୍ରଦାନ ଓ ତାଲିମ କାର୍ଯ୍ୟକ୍ରମରେ ଆଧୂନିକ ପ୍ରଣାଳୀର ବ୍ୟବହାର ଦ୍ୱାରା ସମୟ ସଂଚୟ କରାଯାଇପାରିବ। ଏହି ସମୟରେ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ଓ ସୁରକ୍ଷା ଜରୀରୀ ଅଟେ। ଏକ୍ଷେତ୍ରରେ ଏହି ବଶ୍ୱବିଦ୍ୟାଳୟ ସାରା ଦେଶରେ ନୂଆ ନୂଆ ପ୍ରୟୋଗକରି ନେତୃତ୍ୱ ନେବାର କୃତୀତ୍ୱହାସଲ କରିବା ପ୍ରଶଂସା ଯୋଗ୍ୟ ବିଷୟ ବୋଲି ପ୍ର. ମୁଖୋପାଧ୍ୟାୟ କହିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଏକ ପ୍ରୋଫାଇଲକୁ କୁଳପତି ଡ଼. ମହାପାତ୍ର, ଭିଏସଏସୟୁଟି ବୁର୍ଲାର କୁଳପତି ଡ଼, ଅଟଳ କୁମାର ଚୈାଧୁରୀ, ମୁଖ୍ୟବକ୍ତା, ପୂର୍ବତନ ବିଧାୟିକା ଡ଼ା. ରାସେଶ୍ୱରୀ ପାଣିଗ୍ରହୀ, କୂଳସଚିବ ଜୟନ୍ତ କରଶର୍ମା ପ୍ରମୁଖ ଉନ୍ମୋଚନ କରିଥିଲେ। ଉତ୍ସବରେ ରାଞ୍ଚିର ଉଷା ମାର୍ଟିମ ବିଶ୍ୱବିଦ୍ୟାଳୟ ଏବଂ ନୂଆଦିଲ୍ଲୀ ଜିନ ଫାଉଣ୍ଡେସନ ମଧ୍ୟରେ ଦୁଇଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଉଷା ମାର୍ଟିନର କୁଳପତି ଡ଼. ସୁରେଶ ଗାର୍ଗ ଉଭୟ ସଂସ୍ଥା ପକ୍ଷରୁ ଏବଂ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଡ଼. ମହାପାତ୍ର ଓ କୁଳସଚିବ ଶ୍ରୀ କରଶର୍ମା ସ୍ୱାକ୍ଷର କରିଥିଲେ।