ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାର ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ସୁମିତ୍ରା କୁମାରୀ ପଟ୍ଟନାୟକ ଗତକାଲି ଭଦ୍ରକ ଜିଲା ଗସ୍ତରେ ଆସି ଜିଲାର ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଚାଲିଥିବା ୨ୟ ପର୍ଯ୍ୟାୟ ଓଜନ ଉତ୍ସବର କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। ଗତକାଲି ସେ ଭଦ୍ରକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ବରଗୁଣ୍ଡା, କୁଶଗଡିଆ, କୁମ୍ଭଶ୍ରୀ ଓ ନଳାଙ୍ଗ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ଶିଶୁଙ୍କ ଓଜନ ଓ ଉଚ୍ଚତାମାନ ସୁନିଶ୍ଚିତ ଓ ଅଭିବୃଦ୍ଧି ନିରୀକ୍ଷଣ କରିଥିଲେ। କେନ୍ଦ୍ର ଗୁଡିକର ପରିଦର୍ଶନ ସମୟରେ ସେଠାରେ ଉପସ୍ଥିତ ଥିବା କ୍ଷେତ୍ର କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ। ଏବଂ ସେଠାରେ ଶୂନ ରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପିତାମାତା, ଗୋଷ୍ଠୀ ସଦସ୍ୟମାନଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ। ଅଙ୍ଗନୱାଡି କେନ୍ଦ୍ର ତଦାରଖ ପରେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପଟ୍ଟନାୟକ ଦୋଳସାହିସ୍ଥିତ ଯୋଗୀ ୠଷି ଲଚ୍ଛମନ ଦାସ ଶିଶୁ ଯତ୍ନ ଅନୁଷ୍ଠାନକୁ ପରିଦର୍ଶନ କରିଥିଲେ। ଅନୁଷ୍ଠାନର ସଂପାଦକ ଲୋକନାଥ ପତିଙ୍କ ଠାରୁ ଅନୁଷ୍ଠାନର ପରିଚାଳନା ସଂପର୍କରେ ପଚାରି ବୁଝିଥିଲେ। ପରେ ଅନ୍ତେବାସୀମାନେ ରହୁଥିବା କକ୍ଷ ଓ ଚତୁଃପାଶ୍ୱର୍ ବୁଲି ପରିମଳ ବ୍ୟବସ୍ଥା, ଖାଦ୍ୟପେୟ, ନିତ୍ୟ ଆବଶ୍ୟକୀୟ ସାମଗ୍ରୀ ଗୁଡିକୁ ତଦାରଖ କରିଥିଲେ। ଅନ୍ତେବାସୀମାନଙ୍କ ପାଠପଢା ସହ ସମାଜର ମୁଖ୍ୟସ୍ରୋତରେ ସେମାନେ କିପରି ସାମିଲ ହେବେ, ସେ ନେଇ କର୍ମକର୍ତା ଓ ବିଭାଗୀୟ କର୍ତୃପକ୍ଷଙ୍କୁ ସଚେତନ କରାଇଥିଲେ। ପରେ ସେ ଭଦ୍ରକ ସହରରେ ଥିବା ନୂହାସ, ଆସିୟାନା ଓ ଆଶ୍ରୟ ୩ଟି ଶକ୍ତି ସଦନକୁ ଯାଇ ସେଠାରେ ଆଶ୍ରିତ ଅନ୍ତେବାସୀଙ୍କ ସହ ମତ ବିନିମୟ କରିବା ସହ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ସେଠାରୁ ୱାନ୍ ଷ୍ଟପ୍ ସେଂଟର (ସଖୀ) ଯାଇ ସେଠାରେ ରହୁଥିବା ପୀଡିତାଙ୍କ ସହ ଆଲୋଚନା କରିଥିଲେ। ସଖୀର କାର୍ଯ୍ୟକ୍ରମ ସଂପର୍କିତ ସମସ୍ତ କାଗଜପତ୍ର ତନଖି କରିଥିଲେ। ଅତିରିକ୍ତ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁବ୍ରତ କୁମାର ବିଶ୍ୱାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଓ ସଂସ୍ଥାଗତ ଯତ୍ନ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା, ଜିଲା ସମାଜ ମଙ୍ଗଳ ଅଧିକାରିଣୀ ରୂପାଲି ମିତ୍ର ଓ ଅନ୍ୟାନ୍ୟ କର୍ମକର୍ତାମାନେ ପ୍ରମୁଖ ଉପସ୍ଥିତ ଥିଲେ।