Odiapua.com

ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋର କମିଟି ଏବଂ ରାଜ୍ୟ ପଦାଧିକାରୀ ବୈଠକ : ଚୌକିଦାର ସାଜି ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ : ବିଜେପି

– ବିପୁଳ ସଂଖ୍ୟାରେ ମତଦାତାମାନେ ନିଜର ମତ ଦେଇଥିବାରୁ ସମଗ୍ର ଓଡିଶାବାସୀ ଏବଂ ମତଦାତାଙ୍କୁ ରାଜ୍ୟ ବିଜେପିର ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ
– ବିପୁଳ ଜୟଲାଭ କାରଣରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି
– ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ୨ ଜଣ ଓଡିଆଙ୍କୁ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟୀତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କଲା ରାଜ୍ୟ ବିଜେପି
– ଦଳର ବରିଷ୍ଠ ନେତୃବୃନ୍ଦ ନିର୍ବାଚନ ପରାଜୟର ସମୀକ୍ଷା କରିବା ସହ ଆଗାମୀ ପାଟକୁରା ଏବଂ ବିଜେପୁର ଉପ ନିର୍ବାଚନ ରଣନୀତି ସଂପର୍କରେ ଆଲୋଚନା
– ବାତ୍ୟା ଫନିରେ ରାଜ୍ୟ ସରକାର ଫେଲ୍ ମାରିବା ଏବଂ ପାଟଣାଗଡ ବିଧାୟକ ସର୍ବସମ୍ମୁଖରେ ଏକ ସରକାରୀ ଅଫିସରଙ୍କୁ ର୍ଦୁବ୍ୟବହାର ଘଟଣାକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର, ତା.୦୯/୦୬ (ଓଡ଼ିଆ ପୁଅ) : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ଓ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଛି। ଗତ ସାଧାରଣ ନିର୍ବାଚନରେ ବିଜେପି ପାଇଥିବା ସଫଳତା ପଛରେ ଲକ୍ଷ ଲକ୍ଷ ଲୋକଙ୍କ ମତକୁ ସମ୍ମାନ ଜଣାଇବା ସହ ସମଗ୍ର ଓଡିଶାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଅଛି। ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଦ୍ୱାରା ନିର୍ବାଚନ ପରାଜୟର ସମୀକ୍ଷା କରିବା ସହ ଆଗାମୀ ପାଟକୁରା ଏବଂ ବିଜେପୁର ନିର୍ବାଚନ ରଣନୀତି ସଂପର୍କରେ ଆଲୋଚନା ହୋଇଛି। ଏଥି ସହ ବାତ୍ୟା ଫନିରେ ରାଜ୍ୟ ସରକାର ଫେଲ୍ ମାରିବା ଏବଂ ପାଟଣାଗଡ ବିଧାୟକ ସର୍ବସମ୍ମୁଖରେ ଏକ ସରକାରୀ ଅଫିସରଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ ଆଦି ଆଲୋଚନା ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଲୋକସଭା ସିଟରେ ବିଜେପି ୩୦୩ ଆସନ ପାଇ ବିଶାଳ ବିଜୟ ହାସଲ କରିଛି। ଏହି ବିଜୟ ପାଇଁ ରାଜ୍ୟ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରାଯାଇଛି। ରାଜନୈତିକ ଷ୍ଟ୍ରାଟେଜି ଆପଣାଇ ବିଜେପି ଏହି ବିଶାଳ ବିଜୟ ଲକ୍ଷ୍ୟକୁ ହାସଲ କରିଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କୁ ବି ରାଜ୍ୟ ବିଜେପି ଅଭିନନ୍ଦନ ଏବଂ କୃତଜ୍ଞତା ଜଣାଇଛି। ଓଡିଶା ପ୍ରଦେଶରେ ଆଗାମୀ ଦିନରେ ବିକାଶ ପ୍ରତିବଦ୍ଧତା ପାଇଁ ପୁଣିଥରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରିଷ୍ଠ ମନ୍ତ୍ରୀଭାବେ ଦାୟୀତ୍ୱ ଦେଇଥିବାରୁ ଏବଂ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ନେଇଥିବାରୁ ରାଜ୍ୟ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଛି। ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପିର ୮ ସାଂସଦ ଏବଂ ୨୩ ବିଧାୟକଙ୍କୁ ଓଡିଶାର ଜନସାଧାରଣ ବିଜୟୀ କରିଥିବାରୁ ସମଗ୍ର ଓଡିଶାବାସୀଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଜଣାଇଛି। ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ରାଜ୍ୟର ୯୧ ଲକ୍ଷ ମତଦାତା ରାଜ୍ୟ ବିଜେପି ସପକ୍ଷରେ ମତଦାନ କରିଛନ୍ତି। ବିପୁଳ ସଂଖ୍ୟାରେ ମତଦାତାମାନେ ନିଜର ମତ ଦେଇଥିବାରୁ ସମଗ୍ର ଓଡିଶାବାସୀ ଏବଂ

ମତଦାତାଙ୍କୁ ରାଜ୍ୟ ବିଜେପି ନତ ମସ୍ତକ ହୋଇ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛି। ଆଗାମୀ ଦିନରେ ଓଡିଶାର ଜନ ଜୀବନ ସୁରକ୍ଷା ଏବଂ ଓଡିଶାର ସ୍ୱାର୍ଥର ସୁରକ୍ଷା ପାଇଁ ବିଜେପି ଚୌକିଦାର ଭଳି ଛିଡା ହୋଇ ଲଢେଇ ଜାରି ରଖିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରାଜ୍ୟ ବିଜେପିର ଆଜିର ବୈଠକରେ ନିର୍ବାଚନ ପରାଜୟର ସମୀକ୍ଷା ହୋଇଛି। ଏହା ସହ ଆଗାମୀ ଦିନରେ କିଭଳି ସାଙ୍ଗଠନିକ ସ୍ଥିତିକୁ ସମସ୍ତ ସ୍ଥାନରେ ସୁଦୃଢ କରାଯିବ ସେନେଇ ଆଲୋଚନା ହୋଇଛି। ଆଗାମୀ ପାଟକୁରା ଏବଂ ବିଜେପୁିର ଉପନିର୍ବାଚନ ରଣନୀତି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଛି ବୋଲି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରାଜ୍ୟ ସରକାରଙ୍କ ଅସଲ ଚେହେରା ଏବେ ପୁଣି ପଦାକୁ ଆସିଛି। ବାତ୍ୟା ଫନିକୁ ଏକ ମାସରୁ ଉର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ଏଯାବତ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରି ପାରିନାହାଁନ୍ତି। ଏବେ ବି ପୁରୀ ଜିଲ୍ଲାର ଅଧିକାଂଶ ଗାଁରେ ବିଦ୍ୟୁତ ପହଂଚିନି। ବାତ୍ୟା ପରେ ମୋ÷÷ଳିକ ସୁବିଧାରୁ ହଜାର ହଜାର ଜନସାଧାରଣ ବଂଚିତ ଅଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଅନ୍ୟପଟେ ଶାସକ ବିଜେଡି ବିଧାୟକମାନଙ୍କ ଅହଂକାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୫ ବର୍ଷରେ ବିଜେଡି ବିଧାୟକମାନେ ଅନେକ ସ୍ଥାନରେ ସରକାରୀ ଅଫିସରମାନଙ୍କୁ ମାଡ ମାରିବା, ଧମକ ଦେବା ଏବଂ ବିରୋଧୀ ଦଳର କାର୍ଯ୍ୟକର୍ତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏବେ ପାଟଣାଗଡର ବିଜେଡି ବିଧାୟକ ସରୋଜ ମେହେର ସରକାରୀ ଅଫିସରଙ୍କୁ ରାସ୍ତା ଉପରେ ଉଠ ବସ କରାଇ ପୁଣିଥରେ ବିଜେଡିର ଗୁଣ୍ଡାରାଜ ଶାସନ ଚଳାଇବାର ଆରମ୍ଭ କରିଛି। ରାଜ୍ୟରେ ଏଭଳି ଗୁଣ୍ଡାରାଜ ଏବଂ ଅରାଜକତାକୁ ରାଜ୍ୟ ବିଜେପି ପକ୍ଷରୁ ଦୃଢ ନିନ୍ଦା କରିବା ସହ ତୁରନ୍ତ ଏଭଳି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସଂପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମେ ରାଜ୍ୟ ବିଜେପି କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତିମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗ, କନକ ବର୍ଦ୍ଧନ ସିଂହଦେଓ ଏବଂ ମନମୋହନ ସାମଲଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।