Odiapua.com

ରାଜ୍ୟ ବଜେଟ୍ ସଠିକ୍ ବିକାଶର ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁନାହିଁ – ଧର୍ମେନ୍ଦ୍ର ପ୍ରଧାନ

– ସାଧାରଣ ଲୋକଙ୍କ ବିକାଶ ପାଇଁ ଆଭିମୁଖ୍ୟ ଓ ଉଦ୍ୟମ ରାଜ୍ୟ ବଜେଟରେ ସ୍ପଷ୍ଟ ନୁହେଁ
୨୦୨୦-୨୧ ଆର୍ଥିକ ବର୍ଷ ରାଜ୍ୟ ବଜେଟ୍ କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ

ଭୁବନେଶ୍ବର, ଫେବୃୟାରୀ ୧୮ (ଓଡ଼ିଆ ପୁଅ) – ଅମାପ ଖଣିଜ ସମ୍ପଦ, ବିସ୍ତୃତ ବେଳାଭୂମି, ବିଶାଳ ଜଙ୍ଗଲ ସମ୍ପଦ ତଥା ପରିଶ୍ରମୀ ଓଡ଼ିଆ ରାଜ୍ୟର ମୂଳ ସମ୍ବଳ। ଓଡ଼ିଶାକୁ କେବଳ ଦେଶର ନୁହେଁ ସମଗ୍ର ବିଶ୍ୱ ର ଆର୍ଥିକ ଦୃଷ୍ଟିରୁ ଅଗ୍ରଣୀ ଅଞ୍ଚଳ ଭାବରେ ଗଢି ତୋଳିବା ପାଇଁ ନୂଆ ଯୋଜନା, ନୂଆ କୌଶଳ ତଥା ନୂଆ ଆଭିମୁଖ୍ୟର ଆବଶ୍ୟକତା ରହିଛି। ୨୦୨୦-୨୧ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ସେପରି ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଗ୍ରାମୀଣ ଭିତ୍ତିଭୂମିକୁ ମଜବୁତ୍ କରି କୃଷି, କୃଷି ପ୍ରକ୍ରିୟାକରଣ, ହସ୍ତ ଓ କୁଟୀର ଶିଳ୍ପ, ବୟନ ଶିଳ୍ପ ତଥା ଗ୍ରାମୀଣ ପର୍ଯ୍ୟଟନର ବିକାଶ ମାଧ୍ୟମରେ ଓଡ଼ିଶାର ଅର୍ଥନୀତିକୁ ମଜବୁତ୍ କରିବା ଜରୁରୀ। ମାତ୍ର ସାଧାରଣ ଲୋକଙ୍କ ପକେଟକୁ ରୋଜଗାରର ସୁବିଧା ପହଞ୍ଚାଇବା ପାଇଁ ଯେଉଁ ଉଦ୍ୟମ ଓ ଆଭିମୁଖ୍ୟର ଆବଶ୍ୟକତା ରହିଛି ରାଜ୍ୟ ସରକାରଙ୍କ ଦ୍ୱାରା ଆଗତ ୨୦୨୦-୨୧ ମସିହାର ବଜେଟ୍ ଆକଳନରେ ତାହା ଦେଖାଯାଉନାହିଁ।

ମୋଦି ସରକାରଙ୍କର ପୂର୍ବଦୋୟର ବିକାଶ ପାଇଁ ପ୍ରାଥମିକତା, ଖଣି ନିଲାମୀ ମାମଲାରେ କେନ୍ଦ୍ର ସରକାରଙ୍କର ନୀତି ସୁଧାର କାରଣରୁ ରାଜ୍ୟକୁ ଲାଭ ଓ ଓଡିଶା ପାଇଁ ଅଧିକ ବ୍ୟୟବରାଦ ରାଜ୍ୟ ବଜେଟରେ ପ୍ରତିଫଳିତ ହୋଇଛି। ଏହି ବଜେଟ୍ ରାଜ୍ୟର ଗ୍ରାମାଞ୍ଚଳରେ ପୋଖରୀ ପୁନଃଉଦ୍ଧାର ଓ ମାଛ ଚାଷ ପାଇଁ ବ୍ୟୟବରାଦ କରିବା ଦ୍ଵାରା ଗ୍ରାମାଞ୍ଚଳରେ ଚାଷୀମାନଙ୍କର ବିକଳ୍ପ ରୋଜଗାର ବୃଦ୍ଧି ପାଇଁ ସହାୟକ ହୋଇପାରେ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।