ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ପ୍ରତ୍ନତତ୍ୱ ବିଭାଗର ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରତି ଅଣଦେଖା ଯୋଗୁ ଦୀର୍ଘ ୧ବର୍ଷ ହେବ କାଳବୈଶାଖୀ ଝଡତୋଫାନରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରଚୂଳିର ତ୍ରିଶୂଳ ବାଙ୍କି ଯିବା ସହ ବାମପାର୍ଶ୍ୱ ତ୍ରିଶୂଳ ଅର ଅଧାରୁ ଭାଙ୍ଗି ଖସି ପଡିଥିଲା। ଏ ବାବଦରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାର ହେବା ପରେ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ପ୍ରତ୍ନତତ୍ୱ ବିଭାଗକୁ ଚିଠି କରାଯାଇଥିଲା। ବିଭାଗ ପକ୍ଷରୁ ତ୍ରିଶୂଳ ଯାଂଚ କରାଯିବା ସହ ସାମାନ୍ୟ ମରାମତି କରାଯାଇଥିଲେ ମଧ୍ୟ ବର୍ଷେ ହେବ ବଙ୍କା ତ୍ରିଶୂଳରେ ନେତଲାଗି କରାଯାଉଛି। ଏପରିକି ମନ୍ଦିରକୁ ସୁରକ୍ଷା ପାଇଁ ଲାଗିଥିବା ଆର୍ôଥଂ ଦୃବଳ ହୋଇପଡିଥିବାରୁ ଦଧିନଉତିର ଚୂଳି ଓ ଚେନକଡି ଦୃବଳ ହୋଇପଡିବା ସହ ଅନେକସ୍ଥାନରେ ଫାଟ ଦେଖା ଦେଇଛି। ଏଥିସହ ମୁଖ୍ୟ ମନ୍ଦିରର ଥିବା ବାଘ୍ର ଓ ସଖୀ ସ୍ଥାନରେ ବଡବଡ ବର ଅଶ୍ୱତ ଗଛ ଉଠିଥିଲେ ମଧ୍ୟ କାହାରି ନିଘାନାହିଁ। ମଣିବାବାଙ୍କ ପୀଠ ରାଜ୍ଯର ଏକ ପୁରାତନ ପର୍ଯ୍ୟଟନକ୍ଷେତ୍ର ହୋଇଥିବାରୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାରହଜାର ଭକ୍ତ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପୀଠକୁ ଆସିଥାନ୍ତି। ଆଗନ୍ତୁକ ଭକ୍ତ ପୀଠକୁ ପ୍ରବେଶ କରିବାମାତ୍ରେ ମଣିବାବାଙ୍କ ଦଧିନଉତିରେ ଲାଗି ହୋଇଥିବା ନେତକୁ ଦର୍ଶନ କରି ପ୍ରଣାମ କରିଥାନ୍ତି। ହେଲେ ଦୀର୍ଘବର୍ଷ ହେବ ଦଧିନଉତିର ତ୍ରିଶୂଳ ବଙ୍କା ହୋଇଯାଇ ଗୋଟିଏ ପାର୍ଶ୍ୱକୁ ଢଳି ରହିଥିବାରୁ ଭକ୍ତଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି। ଆଗକୁ ମଣିବାବାଙ୍କର ପ୍ରସିଦ୍ଧ ଶିବବିବାହ ଉତ୍ସବ ଅଛି। ଏହି ଅବସରରେ ଦେବଦମ୍ପତିଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପୂର୍ବରୁ ବଙ୍କା ତ୍ରିଶୂଳର ସ୍ଥାୟୀ ମରାମତି ସହ ଦୃବଳ ଦଧିନଉତିର ମରାମତି ପାଇଁ ଭକ୍ତ ଓ ସେବାୟତମାନେ ଦାବି କରିଛନ୍ତି।