Odiapua.com

ରାଜ୍ୟସ୍ତରୀୟ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ଉଦ୍‌ଘାଟିତ

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଶହୀଦ ସ୍ମୃତି ଭବନ ଠାରେ ୨୭ ଓ ୨୮ ଦୁଇଦିନ ବ୍ୟାପି ଜଣାଶୁଣା ପୁସ୍ତକ ପ୍ରକାଶନୀ ସଂସ୍ଥା ଟାଇମ୍‌ପାସ୍‌, ଭୁବନେଶ୍ୱର ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ଆଜି ଉଦ୍‌ଘାଟିତ ହୋଇଯାଇଛି । ସାଇ ନୃତ୍ୟ ଏକାଡେମୀର କୁନିକୁନି ପିଲାମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣରୁ ଆରମ୍ଭହୋଇଥିବା ଏହି କାର୍ଯ୍ୟକ୍ରମକୁ ନଡ଼ିଆ ଭାଙ୍ଗି ଉଦ୍‌ଘାଟନ କରିଥିଲେ ମୁଖ୍ୟ ଅତିଥି କଥାଶିଳ୍ପୀ ରାମଚନ୍ଦ୍ର ବେହେରା । ଏହାପରେ ଆୟୋଜକ ସରୋଜ ବଳ ଏହି କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ସୂଚନାଦେଇଥିଲେ ଏବଂ ସଭାପତି ପବିତ୍ର ପାଣିଗ୍ରାହୀସ୍ୱାଗତ ସଂଭାଷଣ ରଖିଥିଲେ ଓ ଉଦ୍‌ଘାଟକ ଶ୍ରୀବେହେରାଙ୍କ ସହ ତାଙ୍କ ଗଳ୍ପ ଓ ଜୀବନ ଉପରେ ଆଲୋଚନା କରିଥିଲେ । କଥାକାର ପ୍ରାଚୀ ତାରା ମଂଚରେ ରାମଚନ୍ଦ୍ର ବେହେରାଙ୍କ ‘ଗେଣ୍ଡା’ ଗଳ୍ପର ନାଟ୍ୟରୂପ ପରିବେଷଣ କରିଥିଲେ । ଗାଳ୍ପିକା ହିରଣ୍ମୟୀ ମିଶ୍ରଙ୍କ ସଂଯୋଜନାରେ ଗପ ପଛର ଗପ ବିଷୟରେ ଚର୍ଚ୍ଚା କରିଥିଲେ ବିୟତପ୍ରଜ୍ଞା ତ୍ରିପାଠୀ, ଦେବବ୍ରତ ଦାସ, ଗଙ୍ଗାଧର ବିଶ୍ୱାଳ, ସ୍ୱାଗତିକା ସ୍ୱାଇଁ ଆଦି ଗାଳ୍ପିକମାନେ ଏବଂ ଡ. ରାଧା ବିନୋଦ ନାୟକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ସଂଯୋଜନାରେ ନଦୀ ଉପରେ କବିତାପାଠ କରିଥିଲେ ନର୍ମଦା ନୀଳୋତ୍ପଳା, ଐଶ୍ୱର୍ଯ୍ୟା ରାଉତ, ତପନ ମହାପାତ୍ର, ମନୋରମା ରାୟ, ପ୍ରସନ୍ନ କୁମାର ସ୍ୱାଇଁ, ଶ୍ରୀଦେବ ଆଦି କବିଗଣ ଏବଂ କବିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଡ. ରାଧାରାଣୀ ମହାପାତ୍ର ।

ଏହାପରେ କବି ଚିତ୍ତରଞ୍ଜନ ନାୟକଙ୍କ ସଂଯୋଜନାରେ ଡ. ଅପର୍ଣ୍ଣା ମହାନ୍ତି, ମନୋଜ ଭୋଳ, ଅମୂଲ୍ୟ ସେନାପତି, ଅବଦୁଲ ଦୟାନ, ବିପ୍ଳବ ରଂଜନ ପତି, ନବଜ୍ୟୋତି ରାୟ ଆଦି କବିଗଣମାଟି ଉପରେ କବିତାପାଠ କରିଥିଲେ ଏବଂ ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ କବିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ବରିଷ୍ଠ ଗୀତିକାର ମୋହିତ ଚକ୍ରବର୍ତ୍ତୀଙ୍କ ସଂଯୋଜନାରେ ଜଣାଶୁଣା କଣ୍ଠଶିଳ୍ପୀ ସୁସ୍ମିତା ଦାସ ଓ ଗୀତିକାର ଓମ୍‌ପ୍ରକାଶ ମହାନ୍ତିଙ୍କ ସହ ଗୀତ ଓ ସଙ୍ଗୀତ ବିଷୟରେ ଆଲୋଚନା କରିଥିଲେ ଏବଂ ବରିଷ୍ଠପ୍ରାବନ୍ଧିକ ବାସୁଦେବ ବାରିକ ସଭିଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପ୍ରଣୟ ସୁଧାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠରେ ଅଂଶଗ୍ରହଣ କରିଥିଲେ ଆଦି କବିଗଣ ରବି କୁମାର ମହାନ୍ତି, ମାନସ ପଣ୍ଡା, ଶୁଭଶ୍ରୀଲେଙ୍କା, ପ୍ରଜ୍ଞାଶ୍ରୀ ରଥ, ପ୍ରୀତିପଦ୍ମା ପଣ୍ଡା, ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏବଂ ଉପଦେଷ୍ଟା ଝରଣା ପଟ୍ଟନାୟକ ସେମାନଙ୍କୁ ସମ୍ବର୍ଦ୍ଧନା ପ୍ରଦନା କରିଥିଲେ । କବି ଚିତ୍ତରଞ୍ଜନ ନାୟକଙ୍କ ୪ର୍ଥ କବିତା ସଂକଳନ, ‘ଲିଜା ମିଶ୍ର ଓ ଅନ୍ୟାନ୍ୟ କବିତା’ ଉନ୍ମୋଚିତ ହୋଇଥିଲା । ସ୍ଥିତ ମିଶ୍ରଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଗିଲ୍ଟ୍‌’ ପ୍ରିମିୟର୍ ହୋଇଥିଲା । ପ୍ରିମିୟର୍ ପରେ ଉପସ୍ଥିତ କଳାକାର ଅଂଶ, ପ୍ରସନଜିତ ମହାପାତ୍ର, ପ୍ରତ୍ୟାଶା ରାୟ ଓ ନିର୍ଦ୍ଦେଶକ ସ୍ଥିତ ପଟ୍ଟନାୟକ ସହିତ ଆଲୋଚନା କରିଥିଲେ ଗୀତିକାର ସୁମିତ ପଣ୍ଡା । ଗୀତିକାର ବିଜୟ ମଲ୍ଲ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ । ଅଭିମନ୍ୟୁ ସେଠୀ ଓ ସାବିତ୍ରୀ ସେଠୀଙ୍କୁ ସାହିତ୍ୟ ସଖା ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ସାହିତ୍ୟପ୍ରେମୀ ଅରୁଣ ଖିଲାର ।

ବିରାଜ ରଥଙ୍କ ଦ୍ୱାରା ନିର୍ମିତ ଗୀତାଭିନିତ ନାଟକ ଅଭିସାର, ଓଡ଼ିଶାର ଜଣାଶୁଣା କବିମାନଙ୍କର କବିତାକୁ ନେଇ ସରୋଜ ବଳଙ୍କ ଦ୍ୱାରା ପ୍ରସ୍ତୁତ ‘ଉଚ୍ଚାରଣ’ର କିଛି ଭାଗ ପ୍ରଦର୍ଶିତ ହୋଇଥିଲା । ଗୀତିକାର ପଞ୍ଚାନନ ନାୟକ, ଶରତ ନାୟକ ଓ ଅର୍ପିତା ପତି ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ସୁବାସ ରାମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଭିନ୍ନ ସ୍ୱାଦର ସାହିତ୍ୟ, କଳା ଓ ସାଂସ୍କୃତିକ ମହୋତ୍ସବର ନିଆରା ଢଙ୍ଗ ଅତି ଅଭିନବ ଓ ଗ୍ରହଣୀୟ ହେବ ବୋଲି ଅନୁଷ୍ଠାନର ସଭାପତି ପବିତ୍ର ପାଣିଗ୍ରାହୀ ଆଶା ବ୍ୟକ୍ତକରିଛନ୍ତି । ଆଗକୁ ଏମିତି କାର୍ଯ୍ୟକ୍ରମ ନୂଆ ପୀଢ଼ିଙ୍କୁ ଉତ୍ସାହିତ କରିବ ବୋଲି ମତ ଦେଇଛନ୍ତି ଆୟୋଜ ସରୋଜ ବଳ । ଅନ୍ୟମାନଙ୍କ ମଧ୍ୟରେ ପତିପତାବନ ପାଣି, ଡ. ବିକାଶ ନାରାୟଣ ନନ୍ଦ, ସଂଗ୍ରାମକେଶରୀ ସେନାପତି, ଅନ୍ତର୍ଯାମୀ ମହାରଣା, ସୌମ୍ୟଶ୍ରୀ ପାଣିଗ୍ରାହୀ, ଆଶିଷ ମିଶ୍ର, ସତ୍ୟବ୍ରତ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।