Odiapua.com

ରାଜ୍ୟସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା ଉଦ୍‌ଯାପିତ

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାସ୍କେଟବଲ ଏକାଡେମୀ ଆନୁକୂଲ୍ୟରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଦିବାରାତ୍ର ବାସ୍କେଟବଲ ପ୍ରତିଯୋଗିତାରେ କଟକର ସେଲ୍‌ଟିକ୍‌ସ ଦଳ ଚାମ୍ପିୟନ ହୋଇଛି । ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୮ଟି ଦଳ ଭାଗ ନେଇଥିଲେ । ଲିଗ୍ ନକ୍ ଆଉଟ ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ କଟକର ସେଲ୍‌ଟିକ୍‌ସ ଦଳ ଭଦ୍ରକର ସୁଟିଂ ଷ୍ଟାର ଦଳକୁ ୨ ପଏଣ୍ଟରେ ହରାଇ ଚାମ୍ପିୟନ ହୋଇଛି । ପ୍ରଥମେ କଟକ ଓ ଭଦ୍ରକର ବାଳିକା ବିଭାଗର ଦୁଇଟି ଦଳ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପାଇନାଲ ମ୍ୟାଚ ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଭଦ୍ରକ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନର କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, ଭଦ୍ରକର ଇନ୍‌ସ୍ପେକ୍ଟର ଅଫ ଫିଜିକାଲ ଏଜୁକେସନ ରାଜେନ୍ଦ୍ର ବିଶ୍ୱାଳ, ଓଆରପିଏଚଆଇସିର ଡାଇରେକ୍ଟର ଅସିତ ନାୟକ, ସମାଜସେବୀ ରାଜେନ୍ଦ୍ର ରାଉଳ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ପ୍ରତିଯୋଗିତାରେ ଶୁଭମ୍ ବଇଠାଙ୍କୁ ଏମର୍‌ଜିଂ ପ୍ଲେୟର ଓ କଟକର ଆଦିତ୍ୟ ପଟ୍ଟନାୟକଙ୍କୁ ମୋଷ୍ଟ ଭେଲ୍ୟୁଏବୁଲ ପ୍ଲେୟର ପୁରସ୍କାର ପ୍ରଦାନ କରାଯାଇଥିଲା । ଭଦ୍ରକ ବାସ୍କେଟ ବଲ ଏକାଡେମୀର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।