Odiapua.com

ରାଜ୍ୟସ୍ତରୀୟ ପ୍ରବଚକ ସମ୍ମିଳନୀରେ ପାଲାଗାୟକ ପ୍ରଶାନ୍ତ କୁମାର ସମ୍ମାନିତ

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଓଡ଼ିଶା ପ୍ରବକ୍ତା ପରିଷଦ ଭଦ୍ରକ ଜିଲ୍ଲା ଶାଖା ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ଧୁଷୁରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରବଚକ ସମ୍ମିଳନୀରେ ଭଦ୍ରକର ବିଶିଷ୍ଟ ପାଲାଗାୟକ ତଥା ଭଦ୍ରକ ବ୍ଲକ ସରକାରୀ କଳା ସଂସ୍କୃତି ସଂଘର ଉପସଭାପତି ପ୍ରଶାନ୍ତ କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଛି । ଶ୍ରୀଯୁକ୍ତ ବେହେରା ଜିଲ୍ଲା ତଥା ଜିଲ୍ଲା ବାହାରେ ନିଜର ପାଲା ପରିବେଷଣ ଯାଦୁରେ ଶ୍ରୋତାଙ୍କ ହୃଦୟ ଜିଣି ସମଗ୍ର ଓଡ଼ିଶାରେ ନିଜ କଳାର ପାରଦର୍ଶିତାକୁ ପ୍ରତିପାଦନ କରିପାରିଛନ୍ତି । କଳା ପ୍ରତି ତାଙ୍କର ଏହି ସମର୍ପଣ ଭାବକୁ ସମ୍ମାନ ଜଣାଇ ସଂଗଠନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପର୍ବ ଉତ୍ସବରେ ପ୍ରବକ୍ତା ପରିଷଦର ସଭାପତି ଅକ୍ଷୟ ମହାରାଜ ସଭାପତିତ୍ୱ କରିଥିଲେ । ଜିଲ୍ଳା ସଂପାଦକ ଗୋପାଳ ଚନ୍ଦ୍ର ବେଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ବାବାଜୀ ଚରଣ ପଣ୍ଡା, ମୁଖ୍ୟବକ୍ତା ସତ୍ୟ ସୁନ୍ଦର ପରିଡ଼ା, ସମ୍ମାନିତ ଅତିଥି ପ୍ରଫେସର ଅଟଳ ବିହାରୀ ନାୟକ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ କଣ୍ଠଶିଳ୍ପୀ ଜିତେନ କୁମାର, ପ୍ରଶାନ୍ତ କୁମାର, ସଂଗୀତଜ୍ଞ ମେଘବର୍ଣ୍ଣ ସେଠୀ, କଳା ସଂଗଠକ କାଳନ୍ଦୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବକୁ ସୁଶ୍ରୀ ଛବିଲତା ବେହେରା, ବାବୁଲି ବାବୁ, ପ୍ରତୀକ୍ଷା ପ୍ରିୟଦର୍ଶିନୀ ନାଥ, ସନ୍ତୋଷ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।