Odiapua.com

ରାଜ୍ୟସ୍ତରୀୟ ଦୁଇ ଦିନିଆ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ

ପୁରୀ ୨୮-୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିନିମନ୍ତେ ନିର୍ବାଚନ ଅଧିକାରୀ ଓ ନୋଡାଲ ଅଫିସର ମାନଙ୍କ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ବାଚନ ସଂକ୍ରାନ୍ତୀୟ ଦୁଇ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରିଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ନିଷ୍ଠାର ସହ କାମ କରିବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଛନ୍ତି। ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ପ୍ରସଙ୍ଗ ଉପରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିଲା। ନିର୍ବାଚନ ବେଳେ କୋଭିଡ ନୀୟମ ପାଳନ ସଂକ୍ରାନ୍ତରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ରାୟ, ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ, ପୋଷ୍ଟାଲ ବାଲାଟ ଉପରେ କଟକ ସଦର ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ନାମାଙ୍କନ ପତ୍ର ପ୍ରତ୍ୟାହାର, ନିର୍ବାଚନ ସଙ୍କେତ ବଣ୍ଟନ ସଂକ୍ରାନ୍ତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଶ୍ରୀ କଲ୍ୟାଣ କୁମାର ରଥ, ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଓ ପେଡ ନ୍ୟୁଜ, ପ୍ରଜାଇଡିଂ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ବ ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ ଶ୍ରୀ ଧରଣୀ ଧର ନନ୍ଦ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁବାଷ ଚନ୍ଦ୍ର ନାଥଶର୍ମା, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପିଡି ଡିଆରଡିଏ ଶ୍ରୀ ନିତିରଞ୍ଜନ ସେନ, ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ।