Odiapua.com

ରାଜ୍ୟସାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମହିଳା ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର: ସ୍ମିତାରାଣୀ ବିଶ୍ୱାଳଙ୍କ ଘଟଣା ଏବଂ ଯୌନ ଉତ୍ପୀଡନ ଅଭିଯୁକ୍ତ ବିଜେଡି ରାଜ୍ୟ ସଂପାଦକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭର ସଭାପତି ପ୍ରମୋଦ ସାହୁଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟସାରା ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଦାବି କରିବା ସହ ସ୍ମିତାରାଣୀଙ୍କର ଚରିତ୍ରହନନ କରିଥିବା ଯାଜପୁର ଏସପିଙ୍କୁ ବହିଷ୍କାର କରିବା, ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରିବା ଏବଂ କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସଭାପତି ପ୍ରମୋଦ ସାହୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେବା ସହ ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ଜିରୋ ଟଲେରାନ୍ସ ଗ୍ରହଣ କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି।ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ପିଇଓ ସ୍ମୀତାରାଣୀଙ୍କ ସହ ଦୁର୍ଷ୍କମ କରାଯାଇ ତାଙ୍କୁ ହତ୍ୟା କରାଯାଇଛି।ବିଜେପି ବରାମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ହେବା ପାଇଁ ଦାବି କରିଆସୁଥିଲେ ବି ରାଜ୍ୟ ସରକାର ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏ’ ପର୍ଯ୍ୟନ୍ତ ଚୁପ୍ ବସିଛନ୍ତି। ପୋଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରି ସେଠାରେ ଉପସ୍ଥିତ ଥିବା ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲାପରିଷଦ ଏବଂ ରାମକୋର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ତଦନ୍ତ ପରିସରଭୃକ୍ତ କଲା ନାହିଁ।ଅନ୍ୟପଟେ ଯାଜପୁର ଏସପି ବୃତ୍ତିଗତ ତଦନ୍ତ ନକରି ବ୍ୟକ୍ତିଗତ ତଦନ୍ତ କରି ମୃତା ସ୍ମିତାରାଣୀର ଚରିତ୍ରହନନ କଲେ।ଶାସକ ଦଳ ଚାପରେ ଘଟଣାକୁ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି। ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ ନକରି କେସ ସରିଗଲାଣି ବୋଲି କହି ସମଗ୍ର ମହିଳା ସମାଜକୁ ନିନ୍ଦିତ କରିଛନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି।

ସେହିପରି ବିଜେଡି ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭର ସଭାପତି ପ୍ରମୋଦ ସାହୁ ଜଣେ କର୍ମଜୀବୀ ମହିଳାଙ୍କୁ ଯୌନ ନିର୍ଯ୍ୟାାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା।ପ୍ରମୋସନର ଲୋଭ ଦେଖାଇ ସବୁବେଳେ ସେ ମହିଳାଙ୍କ ଯୌନ ଉତ୍ପୀଡନ କରୁଥିଲେ।ମହିଳା ଜଣକ ପୋଲିସ ପାଖରେ ଅଭିଯୋଗ କଲେ ବି ଶାସକ ଦଳର ଚାପରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ।ରାଜ୍ୟ ସରକାର ମହିଳା ସଶକ୍ତିକରଣ, ମୋ ସରକାର, ମୋ ପୋଲିସ, ମୋ ପରିବାର ଏବଂ ୫-ଟି କଥା କହୁଥିବାବେଳେ ଏକ ସରକାରୀ କର୍ମଚାରୀ ଓ ମହିଳାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁନାହିଁ।ଏହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟଣା ବୋଲି ବିଜେପି ମହିଳା ନେତ୍ରୀମାନେ କହିଛନ୍ତି।ରାଜଧାନୀ ଭୁବନେଶ୍ବରରେ ବିଜେପି ରାଜ୍ୟ ସମ୍ପାଦିକା ଡଃ: ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା ନିୟତି ଗିରୀ, ମନ୍ଦାକିନୀ ପାତ୍ର, ସୁବାସିନୀ ପୁଷ୍ଟି, ସଚିପ୍ରଭା ରଥ ଏବଂ କୃଷ୍ଣା ମିଶ୍ରଙ୍କ ସମେତ ବହୁ ମହିଳା ନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜେପି ମହିଳା ମହିଳା ମୋର୍ଚ୍ଚା ନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି।ଏଣେ ରାଜ୍ୟ ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷା କାନନବାଳା ପଟ୍ଟନାୟକ, ରାଜ୍ୟ ସଂପାଦିକା ପ୍ରତିଭା ଶତପଥି ଏବଂ କାନନବାଳା ଦାସଙ୍କ ସହିତ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ରାପଡ଼ା ଯାଇ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବା ସହ ପିଡ଼ିତା ପରିବାରକୁ ଯାଇ ସାକ୍ଷାତ ଆଲୋଚନା କରିଛନ୍ତି।ଅନ୍ୟ ପକ୍ଷରେ ବିଜେଡି ଏହାକୁ ସମାଲୋଚନା କରିଛି।ବିଜେପି ବୋଲି ଗୋଟେ ଦଳ ଅଛି ବୋଲି ଜଣାଇବା ପାଇଁ ବିଜେପି ଅଯଥାଟାରେ ରାଜନୀତି କରୁଛି ବୋଲି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲିକ।ପୀଡ଼ିତ ପରିବାର କିପରି ନ୍ୟାୟ ପାଇବ ସେ ଦିଗରେ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।-ଦେବଦତ୍ତ ରଥ