Odiapua.com

ରାଜ୍ୟସରକାର ଚାଷୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଅନ୍ତୁ :କୃଷକମୋର୍ଚ୍ଚା

ବାତ୍ୟା କ୍ଷତିଗ୍ରସ୍ତ ଚାଷ ଜମିଗୁଡିକୁ ବୁଲି ଦେଖିଲା ରାଜ୍ୟ ବିଜେପି କୃଷକମୋର୍ଚ୍ଚା ପ୍ରତିନିଧୀଦଳ

– ବାତ୍ୟା ବିପନ୍ନ ଅଂଚଳରେ ପହଂଚିନି ଗୋଖାଦ୍ୟ
– ଉପକୂଳ ଜିଲ୍ଲାମାନଙ୍କରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି
– ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ଚାଷ ଜମିରେ ଲଗାଇଥିବା ଚାଷୀ ଏବେ ଚିନ୍ତାରେ
– ଚାଷୀମାନେ ସେମାନଙ୍କ ସମସ୍ୟା ପ୍ରତିନିଧୀ ଦଳ ଆଗରେ ବଖାଣିଛନ୍ତି
– ପଲିଥିନ ନଦେଇ ୫୦୦ ଟଙ୍କା ଦେଇ ପ୍ରଶାସନ ବାତ୍ୟା ବିପନ୍ନଙ୍କୁ ଭୂଆଁ ବୁଲାଉଛି

ଭୁବନେଶ୍ୱର, ତା.୧୨/୦୫ (ଓଡ଼ିଆ ପୁଅ) : ବାତ୍ୟା ଫନିରେ ହଜାର ହଜାର ହେକ୍ଟର ଚାଷ ଜମି ଏବଂ ଫସଲ ନଷ୍ଟ ହୋଇଛି। ଧାନ, ଆଖୁ, ନଡିଆ, ଛତୁ ଚାଷ ଏବଂ ବିଭିନ୍ନ ପ୍ରକାରର ପନିପରିବା ଫସଲ ପୂରା ଛାରଖାର ହୋଇଛି। ଅନ୍ୟପଟେ ସହାୟତା ନାଁରେ ରାଜ୍ୟସରକାର ଛଳନା କରିଚାଲିଛନ୍ତି। କେବଳ ଦଳୀୟ କର୍ମୀ ଏବଂ ତାଙ୍କ ସଂପର୍କୀୟମାନଙ୍କୁ ରିଲିଫ ବଂଟାଯାଇଛି। ବାତ୍ୟା ପରେ କ୍ଷତିଗ୍ରସ୍ତ ଚାଷ ଜମିକୁ କୌଣସି କୃଷି ବିଭାଗର ଅଧିକାରୀ ଯାଇନାହାଁନ୍ତି କି କ୍ଷୟକ୍ଷତି ଆକଳନ କରିନାହାଁନ୍ତି। ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ଚାଷ ଜମିରେ ଲଗାଇଥିବା ଚାଷୀ ଏବେ ଚିନ୍ତାରେ ପଡିଛି।

ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶିବାଜି ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଆଜି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଦଳେଇଘାଇ, ମଧ୍ୟ ଶାସନ, ସଦର ବ୍ଲକର ଦଣ୍ଡୁଆସିପଡା, ଆୟତପୁର ଅଂଚଳର ବିଭିନ୍ନ ଗ୍ରାମର ଚାଷଜମି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ ରାଜ୍ୟସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦାବାକୁ ପ୍ରତିନିଧୀ ଦଳ ଦାବି କରିଛି।

ଚାଷୀମାନେ ସେମାନଙ୍କ ସମସ୍ୟା ପ୍ରତିନିଧୀ ଦଳ ଆଗରେ ବଖାଣିଛନ୍ତି। ଜଗତସିଂହପୁର ଜିଲ୍ଲାରେ ସମସ୍ତ ଫସଲ ହାନି ହୋଇଛି। ଛତୁ ଚାଷ, ଅମୃତଭଣ୍ଡା, ପୋଟଳ ଆଦି ପରିବା ସଂପୂର୍ଣ୍ଣ ନଷ୍ଟ ହୋଇଛି। ଉପକୂଳ ଓଡିଶାର ସବୁଜ ପରିବା ଉତ୍ପାଦନ ପାଇଁ ଦଳେଇଘାଇ ପ୍ରମୁଖ ସ୍ଥାନ ଥିବାବେଳେ ବାତ୍ୟାପରେ ସମସ୍ତ ଫସଲ ମାଟିରେ ମିଶିଛି। ଜଗତସିଂହପୁର ଜିଲ୍ଲାରେ ହଜାର ହଜାର ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ବିଭିନ୍ନ ଅଂଚଳରେ ଏଯାବତ ଗୋଖାଦ୍ୟ ପହଂଚି ପାରିନାହିଁ। କିଛି ସ୍ଥାନରେ ଗୋରୁ ଗାଇଙ୍କ ପାଇଁ ପ୍ରଶାସନ ମାତ୍ର ୨୫୦ ଗ୍ରାମ ଗୋଖାଦ୍ୟ ଯୋଗାଉଛି। ଯାହାକି ଯଥେଷ୍ଟ ନୁହେଁ ବୋଲି ଗୋପାଳନ ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ଘର ଛପର ଏବଂ ଆଜବେଷ୍ଟସ ଉଡିଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ନଦେଇ ୫୦୦ ଟଙ୍କା ଦେଇ ପ୍ରଶାସନ ଭୂଆଁ ବୁଲାଉଛି ବୋଲି ବାତ୍ୟା କ୍ଷତିଗ୍ରସ୍ତ ଲୋକମାନେ ପ୍ରତିନିଧୀ ଦଳଙ୍କ ଆଗରେ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ସହାୟତାକୁ ରାଜ୍ୟସରକାର ବାଟମରଣା ନକରି ସିଧା ବାତ୍ୟା ବିପନ୍ନଙ୍କ ଆକାଉଂଟକୁ ପଠାଇବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି।

ଏହି ପ୍ରତିନିଧି ଦଳରେ ରବି ନାରାୟଣ ମହାପାତ୍ର, ପ୍ରଦୀପ ମହନ୍ତ, ଅଶୋକ ମହାନ୍ତି, ଶକୁନ୍ତଳା ମହାପାତ୍ର, ଅମରେଶ୍ୱର ମିଶ୍ର, ସଂଜୀବ ରଣା, ଅଶୋକ ସେଠୀ ଏବଂ ଲିଙ୍ଗରାଜ ବାରିକ ପ୍ରମୁଖ ସାମିଲ ଥିଲେ।