Odiapua.com

ରାଜ୍ୟସରକାର ଘୋଷଣା ପରେ ବି ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିନି ରିଲିଫ ସହାୟତା :ବିଜେପି

ବାଲିପାଟଣା ବ୍ଲକର ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲା ବିଜେପି ପ୍ରତିନିଧୀ ଦଳ

– ବାତ୍ୟାର ୯ ଦିନ ପରେ ବି ପହଞ୍ଚି ପାରିନି ରିଲିଫ ସହାୟତା
– ଗୃହ ପାଳିତ ପଶୁମାନଙ୍କୁ ଗୋଖାଦ୍ୟ ଯୋଗାଇ ଦିଆଯାଉ
– ବାତ୍ୟା ବିନ୍ନଙ୍କୁ ଟଙ୍କା ବଦଳରେ ପଲିଥିନ ଯୋଗାଇ ଦିଆଯାଉ

ଭୁବନେଶ୍ୱର, ୧୨/୦୫ (ଓଡ଼ିଆ ପୁଅ) : ବାତ୍ୟା ପରେ ୯ ଦିନ ପରେ ବି ରାଜ୍ୟସରକାର ଓ ପ୍ରଶାସନ ବାତ୍ୟା ବିପନ୍ନଙ୍କ ପାଖରେ ରିଲିଫ ସହାୟତା ପହଂଚାଇ ପାରିନାହାଁନ୍ତି। ରାଜ୍ୟସରକାର ଜିରୋ କାଜୁଆଲିଟି ପାଇଁ ପ୍ରସ୍ତୁତ ଥିବାର ଡିଣ୍ଡିମ ପିଟୁଥିବାବେଳେ ୪୫ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଜୀବନ ହାନି ହୋଇଛି। ବିଭିନ୍ନ ସ୍ଥାନରେ ପିଇବା ପାଣି, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ମହମବତୀ, ପଲିଥିନ ବାତ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ପହଞ୍ଚି ନାହିଁ। ପ୍ରଶାସନ ଏବେ ବି ସହାୟତା ଓ ରିଲିଫ ଯୋଗାଇଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛି। ଗୃହ ପାଳିତ ପଶୁମାନଙ୍କ ପାଇଁ ମଧ୍ୟ ଗୋଖାଦ୍ୟ ଯୋଗାଇ ଦିଆଯାଇନାହିଁ।

ଆଜି ରାଜ୍ୟ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ବାଲିପାଟଣା ବ୍ଲକର ସିସୋଲ, ବଧ୍ୟୋଖଣ୍ଡି, ସାତକାବାଦ, ବିଶ୍ୱନାଥପୁର ଭୋଇସାହି, ପଂପାଲୋ ଭୋଇସାହି ଆଦି ଅଞ୍ଚଳ ବୁଲି ଦେଖିବା ସହ ବାତ୍ୟା ବିନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ସଂପର୍କରେ ଆଲୋଚନା କରିଥିଲେ।

ବାତ୍ୟା ଫନିର ପ୍ରଭାବରେ ଏହି ସମସ୍ତ ଅଞ୍ଚଳରେ ଶତାଧିକ ଘର ଭାଙ୍ଗି ଯାଇଛି। ଶହ ଶହ ଗଛ ଉପୁଡିବା ସହ ବିଦ୍ୟୁତ ଖୁଂଟ ତଳେ ପଡିଛି। ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ କିମ୍ବା ପାନୀୟ ଜଳ ପହଞ୍ଚି ନାହିଁ। ରାଜ୍ୟସରକାରଙ୍କ ଘୋଷଣା ଅନୁଯାୟୀ ଚାଉଳ ଏବଂ ସହାୟତା ରାଶି ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ନାହିଁ। ପଲିଥିନ ନଦେଇ ତା ବାବଦକୁ ୫୦୦ ଟଙ୍କା ଦିଆଯାଉଛି। ସ୍କୁଲ ଘର, ଗାଁ କୋଠଘର ସମେତ ଶତାଧିକ ଘରର ଚାଳ ଛପର ଉଡାଇନେଇଛି। ବିଦ୍ୟୁତ ନଥିବା ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଗୃହପାଳିତ ପଶୁମାନଙ୍କୁ ଗୋ ଖାଦ୍ୟ ଯୋଗାଇ ଦିଆଯାଇନାହିଁ ବୋଲି ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ପ୍ରତିନିଧୀ ଦଳ ଆଗରେ ଜଣାଇଛନ୍ତି।

ବାତ୍ୟା ବିପନ୍ନଙ୍କୁ ତୁରନ୍ତ ରିଲିଫ ସହାୟତା ରାଶି, ୫୦୦ ଟଙ୍କା ବଦଳରେ ପଲିଥିନ ଯୋଗାଇବା ଏବଂ ଗୃହପାଳିତ ପଶୁମାନଙ୍କୁ ଗୋଖାଦ୍ୟ ଯୋଗାଇବା ପାଇଁ ପ୍ରନିନିଧୀ ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ଶାରଦା ପ୍ରସାଦ ଶତପଥୀ, ବିନୋଦ ଦାସ, ନରେନ୍ଦ୍ର ନାଏକ ପ୍ରମୁଖ ସାମିଲ ଥିଲେ।