Odiapua.com

ରାଜ୍ୟସଭାର ୨୫୦ତମ ଅଧିବେଶନ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

– ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ନୂଆ ଦିଲ୍ଲୀ ୧୮-୧୧ (ଓଡ଼ିଆ ପୁଅ) ରାଜ୍ୟସଭାର ୨୫୦ତମ ଅଧିବେଶନ ଅବସରରେ ସଂସଦର ଉଚ୍ଚ ସଦନରେ ଅନୁଷ୍ଠିତ ସ୍ୱତନ୍ତ୍ର ଆଲୋଚନାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିବୃତି ରଖିଛନ୍ତି।

ଏହି ଐତିହାସିକ ଅଧିବେଶନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଇତିହାସରେ ରାଜ୍ୟ ସଭା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି ଏବଂ ଏହି ସଦନ ଇତିହାସ ନିର୍ମାଣର ସାକ୍ଷୀ ରହିଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏକ ଦ୍ୱିସଦନ ବିଶିଷ୍ଟ ବ୍ୟବସ୍ଥାପିକା ସୃଷ୍ଟି କରିବା ଲାଗି ଭାରତୀୟ ସମ୍ବିଧାନ ନିର୍ମାତାମାନଙ୍କ ଦୂରଦୃଷ୍ଟି ଆମର ଗଣତନ୍ତ୍ରକୁ ସମୃଦ୍ଧ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟସଭା ହେଉଛି ଭାରତୀୟ ବିବିଧତାର ପ୍ରତିନିଧି ଏବଂ ଆମ ସଂଘୀୟ ଢାଂଚାର ପ୍ରତିବିମ୍ବ। ସେ କହିଥିଲେ ଯେ ରାଜ୍ୟସଭା କେବେ ମୁଲତବୀ ହୋଇନଥାଏ ଏବଂ ଏହାର ନିରନ୍ତରତା ଏହି ସଦନକୁ ଶାଶ୍ୱତ କରିଛି। ନିର୍ବାଚନ ରାଜନୀତି ଠାରୁ ଦୂରରେ ରହୁଥିବା ଲୋକମାନଙ୍କୁ ରାଷ୍ଟ୍ରର ବିକାଶରେ ଯୋଗଦାନ ଦେବା ଲାଗି ରାଜ୍ୟସଭା ସୁଯୋଗ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଅନୁରୂପ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନାକୁ ସୁଦୃଢ଼ କରିବାରେ ରାଜ୍ୟସଭାର ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

ରାଷ୍ଟ୍ର ହିତ ପାଇଁ ରାଜ୍ୟ ସଭା ସବୁବେଳେ ଆଗେଇ ଆସିଛି ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ ଯଥା ଜିଏସଟି, ତିନି ତଲାକ ଓ ଅନୁଚ୍ଛେଦ ୩୭୦ ଆଦି କ୍ଷେତ୍ରରେ ରାଜ୍ୟସଭାର ଭୂମିକା ବିଷୟରେ ସେ ଉଲ୍ଲେଖ କରିଥିଲେ।

ରାଜ୍ୟସଭାର ଗୁରୁତ୍ୱ ଉପରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ବିକାଶରେ ରାଜ୍ୟସଭାର ଅତି ସକ୍ରିୟ ଏବଂ ସହଯୋଗୀ ଭୂମିକା ଜରୁରି। ସଂସଦର ଉଚ୍ଚ ସଦନ ଜରିଆରେ ଜାତୀୟ ପ୍ରଗତି ଓ ବିକାଶରେ ଡ. ବାବାସାହେବ ଆମ୍ବେଦକରଙ୍କ ଭୂମିକାକୁ ମଧ୍ୟ ସେ ସ୍ମରଣ କରିଥିଲେ।

ସଂସଦୀୟ ବିଧିବ୍ୟବସ୍ଥାକୁ ସମ୍ମାନ ଦେବା ସହ ସଦନର କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନକରି ପ୍ରଭାବୀ ଢଙ୍ଗରେ ନିଜ ମତ ଉପସ୍ଥାପନ କରିଥିବା କେତେକ ସାଂସଦଙ୍କ କାର୍ଯ୍ୟଧାରାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସେମାନଙ୍କ ଠାରୁ ଆମେ ଅନେକ କିଛି ଶିଖିପାରିବା ବୋଲି ସେ ଉଲ୍ଲେଖ କରିଥିଲେ।

ଆମ ଗଣତନ୍ତ୍ରର ସଠିକ ପରିଚାଳନା କ୍ଷେତ୍ରରେ ରାଜ୍ୟସଭାର ଭୂମିକା ସମ୍ପର୍କରେ ସ୍ମରଣ କରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଚ୍ଚ ସଦନରୁ ମିଳୁଥିବା ନିୟନ୍ତ୍ରଣ ଓ ସନ୍ତୁଳନକୁ ବନ୍ଦ ଓ ଅବରୋଧ ପାଇଁ ଦୁରୂପଯୋଗ କରାଯିବା ଉଚିତ ନୁହେଁ।

ଜାଣନ୍ତୁ କ’ଣ ପାଇଁ ମନାଯାଇଥାଏ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ : କ’ଣ ଏହାର ଇତିହାସ
International Mens Day – need to know about this day
ନୂଆ ଦିଲ୍ଲୀ ୧୯-୧୧ (ଓଡ଼ିଆ ପୁଅ) ଆଜି ସମ୍ପୂର୍ଣ୍ଣ ଦୁନିଆରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଉଛି। ୧୯ ନଭେମ୍ବର ଅର୍ଥାତ୍ ଆଜିର ଦିନରେ ସମଗ୍ର ଦୁନିଆରେ ୬୦ଟି ଦେଶରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଉଛି। ପ୍ରଥମ ଥର ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ଭାରତରେ ୨୦୦୭ ରେ ପାଳନ କରାଯାଇଥିଲା। ଅବଶ୍ୟ ଏହି ବର୍ଷ ପୁରୁଷମାନଙ୍କର ଅଧିକାର ପାଇଁ ଲଢ଼ୁଥିବା ସଂସ୍ଥା ‘ସେଭ୍ ଇଣ୍ଡିଆନ୍ ଫ୍ୟାମିଲି’ ପ୍ରଥମ ଥର ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ଭାରତରେ ପାଳନ କରିଥିଲା।

ମହିଳା ଦିବସ ଭାବରେ ଏହି ଦିନ ମଧ୍ୟ ଏହାର ବିଶେଷ ମହତ୍ଵ ରହିଛି। ଏହି ଦିନ ମୁଖ୍ୟ ରୂପରେ ପୁରୁଷମାନଙ୍କୁ ଭେଦଭାବ, ଶୋଷଣ, ଉତ୍ପୀଡ଼ନ, ହିଂସା ଏବଂ ଅସମାନତାରୁ ବଞ୍ଚାଇବା ଏବଂ ତାଙ୍କୁ ତାଙ୍କର ଅଧିକାର ଦେବାପାଇଁ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ ଏହି ଦିନର ଏକ ବିଶେଷ ଥିମ ଥାଏ। ଚଳିତ ବର୍ଷର ଥିମ ହେଉଛି, “ମେକିଙ୍ଗ ଅପ୍ ଡିଫରେନ୍ସ ଫ୉ର ମେନ ଆଣ୍ଡ ବ୉ୟେଜ.”
କ’ଣ ଇତିହାସ
ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପ୍ରତ୍ୟେକ ବର୍ଷ ୧୯ ନଭେମ୍ବରରେ ପାଳନ କରାଯାଇଥାଏ। ଏହାର ପ୍ରାରମ୍ଭ ୭ ଫେବ୍ରୁଆରୀ ୧୯୯୨ ରେ ଥମାସ ଓଷ୍ଟରଙ୍କ ଦ୍ଵାରା କରାଯାଇଥିଲା। ଅନ୍ତର୍ରାଷ୍ଟ୍ରୀଯ ପୁରୁଷ ଦିବସ ବିଷୟରେ ଥ୉ମସ ଓଷ୍ଟର ଏକ ବର୍ଷ ପୂର୍ବରୁ ୮ ଫେବ୍ରୁଆରୀ ୧୯୯୧ ରେ ହିଁ ବାବିଥିଲେ। ତା’ ପରେ ୧୯୯୯ ରେ ଏହି ପରିଯୋଜନା କୁ ତ୍ରିନିଦାଦ ଏବଂ ଟବାଗୋରେ ଆରମ୍ଭ କରାଯାଇଥିଲା ଏବଂ ସେବେଠାରୁ ଏହା ପ୍ରଚଳିତ ହୋଇଆସୁଛି। ଭାରତରେ ପ୍ରଥମ ଥର ୨୦୦୭ ରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଇଥିଲା। ଅବଶ୍ୟ ପୂର୍ବରୁ ୮ ମାର୍ଚ୍ଚ ୧୯୨୩ ରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଇଥିଲା। ଏପରି କୌଣସି ଏକ ଦିନ ଏହାର ଆବଶ୍ୟକତା ପୁରୁଷମାନଙ୍କପାଇଁ ମଧ୍ୟ ଅନୁଭବ ହୋଇଥିଲା। ଏହି ଦୁନ ପାଳନ କରିବା ପଛରେ ଏକ ବଡ଼ କାରଣ ଲୈଙ୍ଗିକ ସମାନତାକୁ ବୃଦ୍ଧି କରିବା ମଧ୍ୟ ଥିଲା।

ବେକାରୀ, ବେରୋଜଗାରୀ, ଶ୍ରମ ଆଇନ କୋଅର୍ଡ଼ିଫିକେସନ, ଘରୋଇକରଣ ଓ ବିକ୍ରି ବିରୁଦ୍ଧରେ

ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା ଦାବିରେ ୮ ଜାନୁୟାରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ

ରାଜ୍ୟସ୍ତରୀୟ ଶ୍ରମିକ କନ୍ଭେନସନର ଆହ୍ୱାନ

ଭୁବନେଶ୍ୱର, ୧୮/୧୧- ଦେଶରେ ଦେଖାଦେଇଥିବା ଉତ୍କଟ ଆର୍ଥିକ ମାନ୍ଦାବସ୍ଥା ଓ ତଜ୍ଜନିତ ପ୍ରଭାବରେ ବର୍ଦ୍ଧିଷ୍ଣୁ ବେକାରୀ, ବେରୋଜଗାରୀ, ମୂଲ୍ୟବୃଦ୍ଧି, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଓ ବିକ୍ରି, କର୍ପୋରେଟ୍ ସପକ୍ଷରେ ଶ୍ରମ ଆଇନର କୋର୍ଡିଫିକେସନ ବିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଯଥା: ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଓ ଅନ୍ୟାନ୍ୟ ସ୍ୱାଧୀନ ଫେଡ଼େରେସନ ଯଥା: ବ୍ୟାଙ୍କ, ବୀମା, ପ୍ରତିରକ୍ଷା, ବିଏସଏନଏଲ, କୋଇଲା, ଖଣି, ବିଦ୍ୟୁତ୍ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନେ ଆସନ୍ତା ୮ ଜାନୁୟାରୀ ୨୦୨୦ରେ ଦେଶ ବ୍ୟାପୀ ସାଧାରଣ ଧର୍ମଘଟ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରର ଲୋୟର ପିଏମ୍ଜିଠାରେ ଶ୍ରମିକମାନଙ୍କର ଏକ ମିଳିତ ଖୋଲା ଗଣକନ୍ଭେନସନ ଅନୁଷ୍ଠିତ ହୋଇଛି। ଏହି କନ୍ଭେନସନରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବକ୍ତବ୍ୟ ରଖି ନେତୃତ୍ୱମାନେ କହିଥିଲେ ଯେ, ମୋଦି ସରକାର କେନ୍ଦ୍ରରେ ଶାସନକୁ ଆସିବା ଦିନଠାରୁ କର୍ପୋରେଟ୍ ହାଉସ୍, ଦେଶୀୟ ଓ ଆନ୍ତର୍ଜାତୀୟ ପୁଞ୍ଜିପତିମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ସେମାନଙ୍କ ସ୍ୱାର୍ଥରେ ଶ୍ରମ ଆଇନର କୋଡ଼ିଫିକେସନ କରୁଛନ୍ତି। ୪୪ଗୋଟି ଶ୍ରମ ଆଇନକୁ ୪ ଗୋଟି କୋଡ଼ରେ ବଦଳାଇ ଶ୍ରମିକମାନଙ୍କର ଟ୍ରେଡ଼ ୟୁନିୟନ କରିବାର ଧର୍ମଘଟ କରିବାର ଓ ଆପୋଷ ଆଲୋଚନା କରିବାର ଅଧିକାରକୁ ଛଡ଼ାଇ ନେଇଯାଉଛନ୍ତି। ଦେଶରେ ବେକାରୀ ଓ ଅର୍ଦ୍ଧବେକାରୀ କ୍ରମାଗତ ଭାବରେ ବୃଦ୍ଧି ପାଇଛି। ଠିକା ବ୍ୟବସ୍ଥାକୁ ବ୍ୟାପକ କରାଯାଉଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାର ଇଣ୍ଡିଆ, ବିଏସଏନଏଲ, କୋଇଲା, ପ୍ରତିରକ୍ଷା ଇତ୍ୟାଦି କ୍ଷେତ୍ରକୁ ବିଦେଶୀ ପୁଞ୍ଜିକୁ ଟେକିଦେବାର ଚକ୍ରାନ୍ତ ଚାଲିଛି। ବ୍ୟାଙ୍କ ମିଶ୍ରଣ କରି ବ୍ୟାଙ୍କର ଅନାଦେୟ ଋଣକୁ ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଛାଡ଼ କରାଯାଉଛି। ତେଲେଙ୍ଗାନାରେ ଟ୍ରାନ୍ସପୋର୍ଟ କର୍ମଚାରୀମାନଙ୍କୁ ବହିଷ୍କାର କରାଯାଇଛି। ଓଡ଼ିଶା ସରକାର ନୀଳାଚଳ ଇସ୍ପାତ ନିଗମକୁ ଘରୋଇକରଣ କରିବାକୁ ମସୁଧା କରୁଛନ୍ତି। ସ୍କିମ୍ ୱାର୍କର୍ସମାନଭ୍କୁ ସର୍ବନିମ୍ନ ମଜୁରି, ସରକାରୀ ମାନ୍ୟତା ଦେଉ ନାହାନ୍ତି। ସମାନ କାମକୁ ସମାନ ମଜୁରି ସରକାରଙ୍କ ନିକଟରେ ପ୍ରହସନ ପାଲଟିଛି। କେନ୍ଦ୍ର ସରକାର ଜାତୀୟ ମଜୁରି ୪୬୨୮ ଟଙ୍କା ରଖିବାର ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ନ୍ୟାୟସଙ୍ଗତ ଭାବେ ମୁଦ୍ରାସ୍ଫୀତି ଓ ପୂର୍ବର ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆଗରେ ରଖି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନେ ୨୧ ହଜାର ଟଙ୍କା ଦାବି କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ନିଜସ୍ୱ ଦାବି ତଥା ସରକାରୀ ନୀତି ଓ କାର୍ଯ୍ୟକ୍ରମ ବିରୁଦ୍ଧରେ ଧର୍ମଘଟ ଓ ଆନ୍ଦୋଳନ ଜାରି ରହିଛି।

ଦେଶରେ ଫାସିବାଦର ବାତାବରଣ ସୃଷ୍ଟି ହୋଇଛି। ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରକୁ କ୍ଷୁଣ୍ଣ କରାଯାଇଛି। ଟ୍ରେଡ଼ ୟୁନିୟନମାନେ ମିଳିତ ଭାବେ ଆନ୍ଦୋଳନ, ଧର୍ମଘଟ ଲଗାତାର ଭାବରେ କରିଚାଲୁଥିଲେ ମଧ୍ୟ ବିଭିନ୍ନ ସେକ୍ଟେରରେ ଧର୍ମଘଟ ହେଉଥିବା ସତ୍ତ୍ୱେ ସରକାର ଶ୍ରମିକ ଶ୍ରେଣୀର ୧୨ ଦଫା ଦାବି ପ୍ରତି ଅଗ୍ରାଧିକାର ଦେଉ ନାହାନ୍ତି ଏବଂ ଶ୍ରମ ସମ୍ମେଳନ ଆହ୍ୱାନ କରୁନାହାନ୍ତି। ଶ୍ରମିକ ସଙ୍ଗଠନମାନଙ୍କ ନିକଟରେ ଧର୍ମଘଟ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ୨୦୨୦ମସିହା ଜାନୁୟାରୀ ୮ ତାରିଖ ଧର୍ମଘଟକୁ ସଫଳ କରିବା ପାଇଁ ଏହି ଶ୍ରମିକ କନ୍ଭେନସନ ଆହ୍ୱାନ କରୁଛି। ପ୍ରତ୍ୟେକ ଜିଲ୍ଲା ଓ ଶିଳ୍ପାଞ୍ଚଳମାନଙ୍କରେ ବ୍ୟାପକ ସଭା, କନ୍ଭେନସନ ଇତ୍ୟାଦି କରି ଶ୍ରମିକମାନଙ୍କୁ ଧର୍ମଘଟ ପାଇଁ ପ୍ରସ୍ତୁତ କରିବାକୁ ସେମାନେ ଡାକରା ଦେଇଥିଲେ। ଏହି କନ୍ଭେସନରେ ମଦନ ଧଳ, ଅଶୋକ ଦାଶ, ରାଜେନ୍ଦ୍ର ଦାସ, ବିମାନ ମାଇତି, ଶମ୍ଭୁନାଥ ନାୟକ ଓ ମହେନ୍ଦ୍ର ପରିଡ଼ାଙ୍କୁ ନେଇ ଏକ ସଭାପତିମଣ୍ଡଳୀ ସଭା ପରିଚାଳନା କରିଥିବାବେଳେ କିଶୋର ଜେନା, ଡ. ସୌରୀବଂଧୁ କର, ଯୋଗେନ୍ଦ୍ର ତ୍ରିପାଠୀ, ବିଷ୍ଣୁ ଚରଣ ମହାନ୍ତି, ଜୟସେନ ମେହେର, ରାଧାକାନ୍ତ ସେଠୀ, ପ୍ରଫୁଲ୍ଲ ତ୍ରିପାଠୀ, ରାମକୃଷ୍ଣ ପଣ୍ଡା, ଦୁଷ୍ମନ୍ତ ଦାସ, ରବିନ୍ଦ୍ର ଧଳ, ଚିତ୍ତରଞନ ପାଣିଗ୍ରାହୀ, ମନୋଜ ରଥ, ଅଜୟ ମହାନ୍ତି, ରଞ୍ଜନ ନାୟକ, କାହ୍ନୁ ଚରଣ ମଲ୍ଲିକ ପ୍ରମୁଖ ଉଦବୋଧନ ଦେଇଥିଲେ।