Odiapua.com

ରାଜ୍ୟସଭାରେ ତିନି ତଲାକ ବିଲ ପାସ ହେବା ପ୍ରସଙ୍ଗ : ରାଜ୍ୟ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ

– ମୁସଲିମ ମହିଳାଙ୍କୁ ତିନି ତଲାକରୁ ମୁକ୍ତ କରିବା ମୋଦୀଙ୍କର ସବୁଠୁ ଦୃଢ ଓ ଐତିହାସିକ ନିଷ୍ପତି
– ଶାହାବାନୁ ମାମଲାରୁ ମୁସଲିମ ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ମହା ଅଭିଯାନକୁ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ତିମ ପର୍ଯ୍ୟାୟରେ ପହଂଚାଇଛନ୍ତି
– ତିନି ତଲାକ ବିଲ ଲିଙ୍ଗଗତ ନ୍ୟାୟର ବିଜୟ, ଯାହା ସମାଜରେ ସମାନତା ଆଣିବ
– ବିଶ୍ୱର ୨୨ଟି ମୁସଲିମ ଦେଶରେ ତିନି ତଲାକ ବିରୁଦ୍ଧରେ କୌଣସିି ଆଇନ ପ୍ରଣୟନ କରାଯାଇ ନାହିଁ
ଭୁବନେଶ୍ୱର, ୦୧/୦୮ (ଓଡ଼ିଆ ପୁଅ) : ଶତାଦ୍ଦୀ ଶତାଦ୍ଦୀ ଧରି ସମାଜର ଏକ ପ୍ରମୁଖ ବର୍ଗର ମହିଳାଙ୍କ ସଶକ୍ତିକରଣ ପାଇଁ ସଂସଦରେ ତିନି ତଲାକ ବିଲ ପାସ ହେବା ଏକ ଐତିହାସିକ ଘଟଣା। ମହିଳା ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ସବୁଠୁ ଦୃଢ ଓ ଐତିହାସିକ ନିଷ୍ପତି। ଶାହାବାନୁ ମାମଲାରୁ ମୁସଲିମ ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ମହା ଅଭିଯାନକୁ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ତିମ ପର୍ଯ୍ୟାୟରେ ପହଂଚାଇଛନ୍ତି। ଏଥି ପାଇଁ ସାରା ଦେଶବାସୀଙ୍କ ସହ ଓଡିଶା ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ତିନି ତଲାକ ବିଲ ଲିଙ୍ଗଗତ ନ୍ୟାୟର ବିଜୟ, ଯାହା ସମାଜରେ ସମାନତା ଆଣିବ ଓ ବିଶେଷ ଭାବରେ ମୁସଲମାନ ସଂପ୍ରଦାୟର ମହିଳାମାନଙ୍କୁ ନ୍ୟାୟ ଦେବାରେ ସକ୍ଷମ ହେବ। ଏକ ପୂରୁଣାକାଳିଆ ଏବଂ ମଧ୍ୟଯୁଗୀୟ ପ୍ରଥାର ଅନ୍ତ ଘଟିଛି ଏବଂ ଏହାକୁ ଇତିହାସର ଡଷ୍ଟବିନକୁ ଫୋପାଡି ଦିଆଯାଇଛି। ମୁସଲିମ ମହିଳାଙ୍କ କ୍ଷେତ୍ରରେ ଏକ ଐତିହାସିକ ଭୃଲର ସଂଶୋଧନ କରାଯାଇଛି। ଭାରତ ପାଇଁ ଏହା ଉତ୍ସବର ବେଳ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ତିନି ତଲାକ ଭଳି ମସ୍ତବଡ ଭୁଲକୁ ସାହସିକତାର ସହିତ ସାମ୍ନା କରି ଆସୁଥିବା ମୁସଲିମମାନଙ୍କ ଧୈର୍ଯ୍ୟକୁ ଏବେ ସଲାମ କରିବାର ସମୟ ଆସିଛି। ତିନି ତଲାକ ବିଲ ସଂସଦରେ ପାସ ହୋଇ ଦେଶରେ ଲାଗୁ ହେବା ମାତ୍ରେ ମୁସଲିମ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନେ ହକଦାର ଥିବା ମର୍ଯ୍ୟାଦା ସେମାନଙ୍କୁ ମିଳିପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଅଧିକାଂଶ ପ୍ରମୁଖ ମୁସଲିମ ରାଷ୍ଟ୍ରରେ ତିନି ତଲାକ ପ୍ରଥାର ବ୍ୟବସ୍ଥା ନାହିଁ। ଅନ୍ୟ ମହିଳାମାନଙ୍କ ଭଳି ନିଜର ହକ ଏବଂ ଅଧିକାରକୁ ମୁସଲିମ ମହିଳାମାନେ ଏବେ ସାବ୍ୟସ୍ତ କରିପାରିବେ। ଏଭଳି ଐତିହାସିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚାର ଉପସଭାପତି ଅବଦୁଲ ସଲାମ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଓ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।