Odiapua.com

ରାଜ୍ୟର ସଂପତିକୁ ଟାଟା କମ୍ପାନୀ ହାତରେ ଟେକିଦେବା ଉଦ୍ୟମରୁ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ବିରତ ରୁହନ୍ତୁ – ପ୍ରଦୀପ ମାଝୀ

– ଇଲେକ୍ଟ୍ରିସିଟି ଅଧିନିୟମ ୨୦ ଓ ୬୦ କୁ ଅବମାନନା କରି ଗୋଟିଏ ବିଡରକୁ କେଉଁ ପରିସ୍ଥିତିରେ ଓ.ଇ.ଆର.ସି., ଟାଟାର ସିଙ୍ଗିଲ୍ ବିଡିଂକୁ ଅନୁମଦି ଦେଲା।
– ସାରା ଭାରତବର୍ଷରେ ଇଲେକ୍ଟ୍ରୋନିକ୍ ବିଡିଂ ଚାଲିଥିବା ସମୟରେ ଓ.ଇ.ଆର.ସି. ଫିଜିକାଲି ବିଡ୍‌କୁ କିପରି ଅନୁମତି ଦେଲା।
– ଆଦାନୀ ପାୱାର, ଟେରେଂଟ୍‌, ଷ୍ଟେରଲାଇଟ୍‌, ସି.ଇ.ଏସ୍‌.ଇ (କଲିକତା) ଭଳି କମ୍ପାନୀମାନେ ମୂଲ୍ୟ ନିର୍ଦ୍ଧାରଣ ଏବଂ ଆକଳନ ପାଇଁ ୨ ମାସର ସମୟ ଲିଖିତ ଭାବରେ ମାଗିବାରୁ ସେମାନଙ୍କୁ କାହିଁକି ଦିଆଗଲା ନାହିଁ?
– ୪ଟି ଡିସ୍‌କମ୍ କମ୍ପାନୀର ବାର୍ଷିକ କାରବାର ୧୧ ହଜାର କୋଟି ଟଙ୍କା। ତତ୍ ସହିତ ଏମାନଙ୍କ ପାଖରେ ଥିବା ସମ୍ପତିର ମୂଲ୍ୟ ୧୫ ହଜାର କୋଟି ଟଙ୍କା ଥିବା ସତ୍ୱେ ଉକ୍ତ କମ୍ପାନୀଗୁଡିକୁ ୨୫ ବର୍ଷ ପାଇଁ କିପରି ଭାବରେ ଟାଟା କମ୍ପାନୀକୁ ୧ ହଜାର କୋଟି ଟଙ୍କାରୁ କମ୍‌୍ ମୂଲ୍ୟରେ ବିକ୍ରୀ କରିଦିଆଯାଉଛି?
– ୪ଟି ଡିସ୍‌କମ୍ କମ୍ପାନୀର କର୍ମଚାରୀମାନଙ୍କ ପାଖରେ ଥିବା ୧୦ ପ୍ରତିଶତ ଅଂଶଧନକୁ ସରକାର କେଉଁ ପରିସ୍ଥିତିରେ ରଦ୍ଦ କରିଦେଲେ?
– ୪୦ ହଜାର ଆଉଟ୍‌ସୋର୍ସିଂ କର୍ମଚାରୀମାନଙ୍କର ଭବିଷ୍ୟତ ପ୍ରତି ସରକାର କାହିଁକି ଚିନ୍ତା କଲେନାହିଁ?
– ରାଜ୍ୟ ଉପଦେଷ୍ଟା କମିଟି ଏବଂ ଅନ୍ୟାନ୍ୟ ସେୟାରହୋଲଡରଙ୍କ ପରାମର୍ଶ କାହିଁକି ନିଆଗଲା ନାହିଁ?

ଭୁବନେଶ୍ୱର ୬.୧ (ଓଡ଼ିଆ ପୁଅ) – ରାଜ୍ୟରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର.ସି.) ସମସ୍ତ ନୀତି ନିୟମକୁ ଉଲ୍ଲଘନ କରି ସେସୁ, ସାଉଥ୍‌କୋ ଓ ୱେସ୍କୋ ଭଳି ସଂସ୍ଥାକୁ ଟାଟା କମ୍ପାନୀ ସମୂହକୁ ବିକ୍ରୀ କରି ମୁନାଫା ଉଠାଇଛନ୍ତି। ଯାହା ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ ଏହା ପୁଞ୍ଜିବାଦରେ ମଧ୍ୟ ଗୋଟିଏ ଏକଛତ୍ରବାଦ। ବିଦ୍ୟୁତ୍ ନିୟମ ୨୦୦୩ ର ଧାରା ୨୦ ଅନୁଯାୟୀ ଏହା ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜଣେ ବିଡର ଗୋଟିଏ ସଂସ୍ଥାକୁ ଦୁଇଟି କମ୍ପାନୀକୁ ବିକ୍ରୀ କରିପାରିବ ନାହିଁ। ସେହିଭଳି ବିଦ୍ୟୁତ୍ ନିୟମ ଧାରା ୬୦ ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ କୌଣସି ଗୋଟିଏ ଘରୋଇ ସଂସ୍ଥା ସମସ୍ତ ବିଦ୍ୟୁତ୍ ବଜାରକୁ ନିୟନ୍ତ୍ରଣ କରିପାରିବ ନାହିଁ। ତେଣୁ ଏଥିରେ ବେନିୟମ ଭାବରେ ଗଫଲତି ହୋଇଥିବାର ସ୍ପଷ୍ଟ ଅନୁମେୟ ହେଉଛି। ଏହି ବିକ୍ରୀ ସମୟରେ ପୂର୍ବରୁ କର୍ମଚାରୀମାନଙ୍କର ଥିବା ୧୦ ପ୍ରତିଶତ ଅଂଶଧନକୁ ମଧ୍ୟ ବେନିୟମ ଭାବରେ ରଦ୍ଦ କରାଯାଇଛି। ଏହି କାର୍ଯ୍ୟରେ ରାଜ୍ୟ ସରକାର ମଧ୍ୟ ଓ.ଇ.ଆର.ସି.କୁ ପ୍ରୋତ୍ସାହନ ଦେଇ ଘରୋଇ କମ୍ପାନୀମାନଙ୍କ ପାଇଁ ପଥ ପରିଷ୍କାର କରି ଦେଇଛନ୍ତି। ଏପରିକି ବର୍ତମାନ ଟାଟା କମ୍ପାନୀକୁ ଲାଇସେନ୍ସ ଦେଇ ସରକାର ଓ ଓ.ଇ.ଆର.ସି. ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି। ଏହି ବେନିୟମ କାର୍ଯ୍ୟକୁ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି।

ଦେଶ ବର୍ତମାନ କୋଭିଡ୍ ଜନିତ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ନିୟାମକ ଆୟୋଗ ଖୁବ୍ ତରବରିଆ ଭାବେ ଘରୋଇ କମ୍ପାନୀକୁ ଆହ୍ୱାନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ। ଏ ସଂପର୍କରେ ଅନ୍ୟମାନଙ୍କ ପରାମର୍ଶକୁ ବେଖାତିର କରି ଟାଟା କମ୍ପାନୀ ପ୍ରତି ଦରଦ ଦେଖାଇବା ଉଦ୍ଦେଶ୍ୟ ପ୍ରଣୋଦିତ। ବିଭିନ୍ନ ଶିଳ୍ପସଂସ୍ଥା ଉପରେ ଥିବା ବକେୟାକୁ ଖୁବ୍‌ଶୀଘ୍ର ଆଦାୟ କରାଯାଉ ଏବଂ ରାଜ୍ୟବାସୀଙ୍କୁ ସୁହାଇଲା ଭଳି ଏକ ନୂତନ ନିୟମ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମି ମହାପାତ୍ର, ସ୍ମୃତିରେଖା ପହି ଓ ଆଇନ୍‌ଜୀବୀ ଆକାଶ ଭୂୟାଁ ଉପସ୍ଥିତ ଥିଲେ।