Odiapua.com

ରାଜ୍ୟର ମାନବ ସମ୍ବଳକୁ ସଂପୂର୍ଣ୍ଣ ଧ୍ୱଂସ କରିବାର ଏକ ସରକାରୀ ଷଡ଼ଯନ୍ତ୍ର : ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, ୭/୫ (ଓଡ଼ିଆ ପୁଅ) : ରାଜ୍ୟରେ ସରକାରଙ୍କ ତଥ୍ୟ ମୁତାବକ ୪୩, ୪୭୯ ପିଲା ମାଟ୍ରିକ୍ ପରିକ୍ଷା ପାଇଁ ଫର୍ମ ଫିଲପ କରିଥିଲେ ମଧ୍ୟ ପରିକ୍ଷା ଦେଲେ ନାହିଁ। ରେଗୁଲାର ଛାତ୍ର ସଂଖ୍ୟା ୪୨, ୭୦୪ ଓ ଏକ୍ସରେଗୁଲାର ୭୮୫। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ପରିକ୍ଷରେ ଏତେ ସଂଖ୍ୟାକ ଛାତ୍ରମାନେ ପରିକ୍ଷା ନଦେବା ଏହା ଆମ ଶିକ୍ଷା ବ୍ୟବସ୍ଥାର ଏକ ଦାରୁଣ ଚିତ୍ର ଓ ସ୍ଥିତି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି କ୍ଷଭ ପ୍ରକାଶ କରିଛନ୍ତି। ଶ୍ରୀ ମହାନ୍ତି ସମ୍ବାଦିକ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଯଦି ଏତେ ସଂଖ୍ୟାକ ପିଲା ପରିକ୍ଷା ଦେଲେ ନାହିଁ, ତାହାଲେ ଏମାନଙ୍କର ଫର୍ମ ଫିଲପ କିଏ କରିଥିଲା ? ସେମାନେ ନିଜେ କରିଥିଲେ ନା ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍କୁଲର ଶିକ୍ଷକ / ଶିକ୍ଷୟତ୍ରୀ କରିଥିଲେ କି? ଯଦି ହଁ ତାହାଲେ ଏହା କେଉଁ ହିତସାଧନ ଉଦ୍ଦେଶ୍ୟରେ କରାଯାଇଥିଲା। ଏ ସମସ୍ତ ଛାତ୍ରମାନେ ସମେଟଭି୍ ଆସେସ୍‌ମେଂଟ ପରୀକ୍ଷା ଦେଇଥିଲେ କି? ଯଦି ଦେଇନଥିଲେ ତାହାଲେ ସେମାନଙ୍କୁ କିଏ, କାହା ନିର୍ଦ୍ଦେଶରେ ଫର୍ମ ଫିଲପ କରିବା ପାଇଁ ପ୍ରବର୍ତାଇଥିଲେ ବା କିଏ ସେମାନଙ୍କର ଫର୍ମ ଫିଲପ କରିଥିଲେ। ରାଜ୍ୟରେ ୪୩ ହଜାରରୁ ଅଧିକ ପିଲା ଏହି ଅଳ୍ପ ବୟସରେ ନିଜର ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ ଅତି ଜଟିଳ ଓ ଅମାନମବୀୟ ପରିସ୍ଥିତିରେ ବର୍ଷାଧିକ କାଳ କାମ କରୁଛନ୍ତି। ଏଥିରେ ସ୍ପଷ୍ଟ ଅନୁମେୟ ଯେ, ସେ ସବୁ ପରିବାର ଦାରିଦ୍ରତା ଏତେ ଉତ୍କଟ ଯେ, ସେମାନଙ୍କ ପରିବାରକୁ ପୋଷଣ କରିବା ପାଇଁ ଏହି ଅଳ୍ପ ବୟସରେ ରୋଜଗାର କରିବା ଛଡ଼ା ଅନ୍ୟ କିଛି ବାଟ ନାହିଁ। ରାଜ୍ୟ ସରକାର ୨୨ ବର୍ଷ ଧରି ଗରୀବ ବିରୁଦ୍ଧରେ ଲଢ଼େଇ ଜାରିରଖିଛନ୍ତି। ସ୍ଥିତି କଣ ଗରିବୀ କମିଛି ନା ବଢ଼ିଛି। ଯଦି ଏତେ ସଂଖ୍ୟକ ପିଲା ସ୍କୁଲକୁ ଆସିନାହାନ୍ତି ତାହାଲେ ଏମାନଙ୍କ ସାଇକେଲ, ଡ୍ରେସ ଓ ବହି କିଏ ଓ କାହାକୁ ବାଂଟିଲେ ନା ଏହି ଅର୍ଥକୁ ସମସ୍ତେ ଭାଗ ବଂଟା କରି ନେଇଗଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ରାଜ୍ୟର ଭବିଷ୍ୟତ ମାନବ ସମ୍ବଳକୁ ନଷ୍ଟ ଭ୍ରଷ୍ଟ କରି ରାଜ୍ୟକୁ ଛାରଖାର କରିବା ବିଜୁ ଜନତା ଦଳର ୨୨ ବର୍ଷର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏକ ରାଜ୍ୟର ବିକାଶ ତା’ର ମାନବ ସମ୍ଭଳର ବିକାଶ ଉପରେ ନିର୍ଭର କରେ। ମୁଖ୍ୟମନ୍ତ୍ରୀ ଏକ ନମ୍ବର ବୋଲି ଆମେ ସବୁବେଳେ ଡିଣ୍ଡିମ ପିଟୁଛୁ। କିନ୍ତୁ ରାଜ୍ୟ ଦୟନୀୟସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରାଯିବ କି ନାହିଁ। ରାଜ୍ୟର ପିଲାମାନେ ଶିକ୍ଷିତ ହୁଅନ୍ତୁ, ନିଜ ଗୋଡ଼ରେ ନିଜେ ଛିଡ଼ା ହୁଅନ୍ତୁ। ଏହା ସରକାର ଏବଂ ସରକାରୀ ଦଳର ଆଭିମୁଖ୍ୟ ନୁହେଁ। ଯେତେ ପରିମାଣରେ ଅଳ୍ପ ବୟସ୍କ ପିଲାମାନେ ଅଶିକ୍ଷିତ ରହିବେ ତଦ୍ୱାରା ସେମାନେ ସରକାରଙ୍କ ପ୍ରଦତ ହାତମୁଠାକୁ ଚାହିଁ ରହିବେ ଏବଂ ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ବାହା ବାହା ନେବେ। ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର୍ ନୱାଜ ସେ କହିଲେ ଯେ, ଏହି ଘୋଟଲା ଶିକ୍ଷା ଚାଚଂକତା ବା କେଳେଙ୍କାରୀ ପଛରେ ଯେଉଁ ଅଧିକାରୀମାନେ ତଥା ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଶୀଘ୍ର କରାଯାଉ। ରାଜ୍ୟ ସରକାର ନିଜର ପ୍ରଶଂସା ପତ୍ର ଗୋଟାଇବା ପାଇଁ ଡ୍ରପ ଆଉଟ୍ ରେଟ୍‌କୁ କମ୍ ଦେଖାଇବା ପାଇଁ ଏହି କାମକୁ କରାଇଛନ୍ତି କି ? ରାଜ୍ୟରେ ଓଡ଼ିଶାର ସ୍କୁଲ ଡ୍ରପ୍ ଆଉଟ୍ ୧୯-୨୦ ବର୍ଷରେ ୨୩.୨୯% ଥିଲାବେଳେ ଏହା ୨୧-୨୨ ଆଥିକ ବର୍ଷରେ ୩୨.୧୭ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କୁହାଯାଉଛି। କାମ ଅନେଷ୍ୱଣରେ କିନ୍ତୁ ଜିଲ୍ଲାପାଳ, ଶ୍ରମମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଏମାନେ କିଭଳି ଏବଂ କାହା ପାଇଁ କାମ କରୁଛନ୍ତି। କ’ଣ କେବଳ ସରକାରୀ ଦଳର ବୋଲକରା ହୋଇ କାମ କରୁଛନ୍ତି କି? ରାଜ୍ୟ ସରକାର ଅତିଶୀଘ୍ର ଏ ୪୩୪୭୯ ପିଲାଙ୍କୁ ଠାବକରି ନିଜ ରାଜ୍ୟକୁ ଆଣି ତାଙ୍କୁ ପରିକ୍ଷା ଦେବାର ବ୍ୟବସ୍ଥା କରନ୍ତୁ। ଟ୍ରାନ୍‌ସଫରମେସନ କଥାରେ ନା କାମରେ ବୋଲି ପଚାରିଛନ୍ତି। ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀଯୁକ୍ତ ଅମୀୟ ପାଣ୍ଡବ କହିଲେ ଯେ, ରାଜ୍ୟ ସରକାର ଶିକ୍ଷା ଅଧିକାର ଆଇନକୁ ଖୁଲମ୍‌ଖୁଲା ଉଲଘଂନ କରୁଛନ୍ତି। ତତ୍‌ସହିତ ରାଜ୍ୟର ଭବିଷ୍ୟତ ମାନବ ସମ୍ବଳକୁ ନଷ୍ଟଭ୍ରଷ୍ଟ କରିବା ପାଇଁ ସରକାର ସ୍ୱତନ୍ତ୍ରଭାବେ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏଭଳିସ୍ଥିତି କେବଳ ଏ ବର୍ଷ ହୋଇନାହିଁ। ପ୍ରତିବର୍ଷ ଏଭଳିସ୍ଥିତି ଲାଗୁ ରହିଥିବାବେଳେ ସରକାର ଆଜି ପର୍ଯ୍ୟନ୍ତ ଏହା ଉପରେ ରୋକ୍ ଲଗାଇବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ପାଣ୍ଡବ ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାର ଯଦି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରନ୍ତି ଓ ୪୩୪୭୯ ପିଲାଙ୍କୁ ଫେରାଇ ଆଣି ପରିକ୍ଷା ନ କରନ୍ତି, ତାହାଲେ ଆସନ୍ତା ଦିନରେ ଛାତ୍ର କଂଗ୍ରେସ ରାଜରାସ୍ତାରେ ଆନ୍ଦୋଳନ କରିବ।