Odiapua.com

ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ – ସମସ୍ତ ଜିଲ୍ଲା ସଦର ମହକୁମା ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର ତା ୨୩.୭ (ଓଡ଼ିଆ ପୁଅ) – ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି। ବିଶେଷକରି ନାରୀ ଅପହରଣ ଓ ଦୁଷ୍କର୍ମ ଆଶାତୀତ ଭାବେ ବୃଦ୍ଧି ପାଇଛି। ନାବାଳିକା ଅପହରଣ ଏବଂ ବଳାକ୍ରାର ଘଟଣା ଉଦ୍ ବେଗଜନକ ଭାବେ ରାଜ୍ୟରେ ବଢିବାରେ ଲାଗିଛି। ଅଥଚ ଏହାକୁ ନିୟନ୍ତ୍ରଣ କରିବାରେ ଏବଂ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ବିଭାଗ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛି। ସମଗ୍ର ରାଜ୍ୟରେ ଆଜି ମହିଳା ଓ ନାବାଳିକା ସୁରକ୍ଷା ଏକ ବଡ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି। ମହିଳା ଓ ଶିଶୁମାନଙ୍କ ଉପରେ କ୍ରମାଗତ ଭାବରେ ବଢି ଚାଲିଥିବା ହିଂସା ଓ ଅତ୍ୟାଚାର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତି ବେଫିକର ସରକାରଙ୍କ ଅସଲ ଚେହେରା ପଦାରେ ପକାଇ ଦେଇଛି। ଏହାକୁ ନେଇ ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ କଟୂ ସମାଲୋଚନା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ରାଜ୍ୟରେ ପ୍ରତିଦିନ ୭ଟି ଦୁଷ୍କର୍ମ କେଶ୍ ପଞ୍ଜିକରଣ ହେଉଥିବା ସ୍ଥଳେ ବର୍ଷକୁ ମାତ୍ର ୬ ଜଣ ଦଣ୍ଡିତ ହେଉଛନ୍ତି। ଏଭଳି ଆହୁରି ଅନେକ ଘଟଣା ପୋଲିସ ପ୍ରଶାସନ ଜାଣିଶୁଣି ଚାପି ଦେଉଛି ଯାହା ପଦାକୁ ଆସିପାରୁ ନାହିଁ। ରାଜ୍ୟରେ ଆଇନ୍ ର ଶାସନ ନାହିଁ, ଅପରାଧିର ପୋଲିସ ପ୍ରଶାସନ ପ୍ରତି ତିଳେମାତ୍ର ଭୟ ନାହିଁ। ବିଧାନସଭାରେ ବାରମ୍ବାର ଏ ବିଷୟ ଉତ୍ ଥାପନ କରୁଥିଲେ ମଧ୍ୟ ସରକାରଙ୍କର ତିଳେମାତ୍ର ଭ୍ରୂକ୍ଷେପ ନାହିଁ। କଂଗ୍ରେସ ବିଧାୟକମାନେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉତ୍ ଥାପନ କରିବା ସହିତ ସରକାରଙ୍କ ପାଖରୁ ଉତର ମଧ୍ୟ ଆଶା କରାଯାଇଥିଲା। କିନ୍ତୁ ବିଭିନ୍ନ ବିଭଗାର ମନ୍ତ୍ରୀମାନେ ଯେଉଁ ଉତର ପ୍ରଦାନ କରୁଛନ୍ତି ତାହା ପଚରାଯାଇଥିବା ସମ୍ବେଦନଶୀଳ ପ୍ରଶ୍ନ ଓ ବିଷୟ ପ୍ରତି କୌଣସୀ ତାଳମେଳ ରହୁନାହିଁ ଏବଂ ଏକଥା ଗୃହର ଅଧ୍ୟକ୍ଷ ତଥା ବାଚସ୍ପତି ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ଠୋସ ପଦକ୍ଷେପ ନିଆଯାଉ ନାହିଁ। ଏଥିରି ସ୍ପଷ୍ଟ ଅନୁମେୟ ପଂଚମ ପାଳିରେ ରାଜ୍ୟ ସରକାରଙ୍କର ଅଂହଭାବ ବଢ଼ିଯାଉଥିବା ହେତୁ ଗୃହ ପ୍ରତି ସାମାନ୍ୟତମ ସମ୍ମାନ ନାହିଁ। ରାଜ୍ୟର ଆସନ୍ନ ମରୁଡ଼ି ସମସ୍ୟା ବାବଦରେ ଆଲୋଚନା କରାଗଲା ଏବଂ ରାଜ୍ୟସରକାରଙ୍କର ରାଜସ୍ୱ ବିଭାଗ ମନ୍ତ୍ରୀଙ୍କ ପାଖର ଉତର ଆଶାକରାଗଲା ମନ୍ତ୍ରୀ ମରୁଡ଼ି ସମସ୍ୟାକୁ କିଭଳି ଭାବରେ ମୁକାବିଲା କରାଯିବା ତାହାର ଉତର ନ ରଖି କେଉଁଜିଲାର କେତେ ପରିମାଣର ବୃଷ୍ଟିପାତ ହୋଇଛି ତାହାର ଉତର ଗୃହରେ ରଖିଲେ। ଏ ରାଜ୍ୟ ସରକାର କୃଷକମାନଙ୍କର ସମସ୍ୟା, ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରତିଦିନ େଚାରି, ହତ୍ୟା, ଲୁଣ୍ଠନ ଏବଂ ବେଭିଚାର ବଢ଼ିଚାଲିଥିଲେ ମଧ୍ୟ ଏ ଦିଗରେ ସାମାନ୍ୟତମ ବୃକ୍ଷେପ ନାହିଁ। ସରକାରୀ ଦଳର ଜୈନେକ ବଡ଼ ନେତା କିଭଳି ଦଶହଜାର କୋଟି ଟଙ୍କାରୁ ଅଧିକ ଜମି ଦୁର୍ନିତିରୁ ଆୟ କରିଛନ୍ତି ତାହାରା ସମସ୍ତ ତଥ୍ୟ ଉପସ୍ଥାପିତ କଲେ ମଧ୍ୟ ସରକାରଙ୍କର ଏକଥା ପ୍ରତି ନଜରହିଁ ନାହିଁ। ସମ୍ବିଧାନର ନିୟମ ଅନୁସାରେ ରାଜ୍ୟ ସରକାର ୨୯ଟି ବିଷୟକୁ ପଂଚାୟତ ରାଜ ବ୍ୟବସ୍ଥାକୁ ହସ୍ତାନ୍ତର କରିବାର ଉଲ୍ଲେଖ ଅଛି, କିନ୍ତୁ ଏଥିପାଇଁ ରାଜ୍ୟ ସରକାର ଗୃହରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ଏହା କରିବାର କଥା କିନ୍ତୁ ଏପର୍ଯ୍ୟନ୍ତ ୨୧ ଟି ବିଷୟ ରାଜ୍ୟ ସରକାର ପଂଚାୟତ ରାଜ ବ୍ୟବସ୍ଥାକୁ ହସ୍ତାନ୍ତର କରିଥିଲେ ମଧ୍ୟ ଏ ବାବଦରେ ଗୃହରେ ଏବାବଦରେ ଥରୁଟିଏ ମଧ୍ୟ ଆଲୋଚନା କରାଯାଇ ନାହିଁ ଏଣୁ ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନର ଗାରିମାକୁ ଏ ସରକାର ସଂଖ୍ୟା ଗରିଷ୍ଠତାର ଭୟ ଦେଖାଇ ପାଦରେ ଦଳିଦେବାକୁ ବସିଛନ୍ତି।

ଏ ସମସ୍ତ ଘଟଣାକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ୨୪ ଜୁଲାଇରେ ସମସ୍ତ ୩୦ଟି ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ଓ ପ୍ରତିବାଦ କରାଯିବା ସହ ଦାବିପତ୍ର ପ୍ରଦାନ କରାଯିବ ବୋଲି କଂଗ୍ରେସ ଦଳର ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମାନେ ଗୃହକୁ ବେଖାତିର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ମୁଖପାତ୍ର ମନୋଜ ମହାପାତ୍ର, ରଜନୀ କୁମାର ମହାନ୍ତି, ପଦ୍ମାକର ଗୁରୁ, ପ୍ରଶାନ୍ତ ଶତପଥି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।