Odiapua.com

ରାଜ୍ୟର ପ୍ରଥମ ଛତୁ ପ୍ରକ୍ରିୟାକରଣ କେନ୍ଦ୍ରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ, ମା’ମାନଙ୍କ ବିକାଶ ପାଇଁ ଛତୁ ପ୍ରକଳ୍ପର ପରିକଳ୍ପନା : କୃଷିମନ୍ତ୍ରୀ ଡ.ସାହୁ

ନୟାଗଡ଼, ୩୦ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ରାଜ୍ୟର ପ୍ରଥମ ଛତୁ ପ୍ରକ୍ରିୟାକରଣ କେନ୍ଦ୍ରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ହୋଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରାବେରା ପଂଚାୟତ କାର୍ଯ୍ୟାଳୟ ଠାରେ ୨କୋଟି ୫୪ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ଛତୁ ପ୍ରକଳ୍ପର କାର୍ଯ୍ୟ ଯଥାଶୀଘ୍ର ତ୍ୱରାନ୍ନିତ ହେବାକୁ ଯାଉଥିବାବେଳେ ସାରା ଭାରତ ବର୍ଷରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଆତ୍ମ ନିର୍ଭରଶୀଳ ହେବା ସହ ସ୍ୱାବଲମ୍ବି ହେବା ପାଇଁ ପାଳଛତୁ ଚାଷ ଏକ ଭଲ ଲାଭଜନକ ପନ୍ଥା ବୋଲି ଡ. ସାହୁ କହିଥିଲେ। ମହିଳାମାନେ କିପରି ସଶକ୍ତ ହେବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ଏହାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ଗାଁ ଅଂଚଳର ମା’ମାନଙ୍କର ବିକାଶ ପାଇଁ ଏହି ଛତୁ ପ୍ରକଳ୍ପର ପରିକଳ୍ପନା କରିଛନ୍ତି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ। ଛତୁ ପ୍ରକଳ୍ପ ହେଲେ ମଞ୍ଜି ପ୍ରକିୟାକରଣ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଯନ୍ତ୍ରପାତି ସାହାର୍ଯ୍ୟରେ ମହିଳାମାନଙ୍କୁ ସ୍ୱାବଲମ୍ବି କରାଯାଇପାରିବ। ଏଥିରେ ଜିଲ୍ଳାପାଳ ଡ.ପୋମୁ ଟୁଡୁ, ପିଡି ସୁବାଷ ଚନ୍ଦ୍ର ରାୟ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷା ମମତା ବେହେରା, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏଥିସହିତ କୃଷିମନ୍ତ୍ରୀ ଡ.ସାହୁ ୩୦କୋଟି ବ୍ୟୟରେ ଓଡ଼ଗାଁ ଏନଏସି ପାଇଁ ଜଳଯୋଗାଣ ବ୍ୟବସ୍ଥା, ୬କୋଟି ବ୍ୟୟରେ ଓଡ଼ଗାଁରେ ଇନ୍‌ଡୋର ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ୨୩ ଲକ୍ଷ ବ୍ୟୟରେ ହୋଇଥିବା ନୂଆ ପିଡବ୍ଲୁଡି ବଙ୍ଗଳାର ଶୁଭ ଉଦ୍‌ଘାଟନ, ୧କୋଟି ୧୫ଲକ୍ଷ ବ୍ୟୟରେ ହେବାକୁ ଥିବା ଗୋଡ଼ିପଲ୍ଲୀ-କୁରାଳ ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ।