Odiapua.com

ରାଜ୍ୟରେ ପୁଣି ୬୭ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି

ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୪୯୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୮୩୨ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ୬୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ ରୁ ଏବଂ ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳରୁ। ଏବେ ନୂଆପଡ଼ା ଜିଲ୍ଲାକୁ ଛୁଇଁଛି କରୋନା। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ସାନମହେଶ୍ଵର ଗ୍ରାମପଞ୍ଚାୟତର ଝୋଳପଦର ଗ୍ରାମରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ନମୁନା କୋଭିଡ-୧୯ ପଜିଟିଭ ଆସିଛି। ଏହା ନୂଆପଡ଼ା ଜିଲ୍ଲାର ପ୍ରଥମ ଘଟଣା। ଆକ୍ରାନ୍ତ ଶ୍ରମିକ ଜଣକ ମୁମ୍ବାଇ ଫେରନ୍ତା ବୋଲି ଜଣାପଡ଼ିଛି।

୬୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୧୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୨ ଜଣ, ନୟାଗଡ ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଅନୁଗୋଳ ଜିଲ୍ଲାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ ଜଣ, ମାଲକାନଗିରି ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ ଏବଂ ନୂଆପଡା ଜିଲ୍ଲାରୁ ଜଣେ ରହିଛନ୍ତି।