ଭୁବନେଶ୍ୱର, ୧୯ା୧ (ଓଡ଼ିଆ ପୁଅ) : ରାଜ୍ୟ ସରକାର ଇତିମଧ୍ୟରେ ସମସ୍ତ ବିଭାଗର କର୍ମଚାରୀଙ୍କୁ ପ୍ରମୋଶନ ଦେଇ ଖୁସି କରାଇଛନ୍ତି। ୫-ଟି’ ଲଗାଇ ସବୁ ବିଭାଗ ଗୁଡ଼ିକୁ ବ୍ୟବସ୍ଥିତ କରିବାକୁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଏହିକି, ମାନବ ସମ୍ବଳ ବିଭାଗ ଯାହାକି ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷା ବିଭାଗ ନାମରେ ପରିଚିତ ତାହା ଏପର୍ଯ୍ୟନ୍ତ ଏଥିରୁ ବିରତ ରହିଛି। ରାଜ୍ୟରେ ପ୍ରାୟ ଅନେକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷାଧିକାରୀ ନଥିଲା ବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ, ବି.ଆର.ସି.ସି., ଏ.ବି.ଇ.ଓ. ପଦବୀ ଖାଲି ପଡ଼ିଛି। ଏ ପଦବୀ ଗୁଡ଼ିକ ନାମକୁ ମାତ୍ର କା’ ବ୍ୟବସ୍ଥାରେ ଚାଲିଛି। ସରକାର ସେଗୁଡ଼ିକୁ ପୁରଣ କରିବା ଦିଗରେ ଆଦୌ ତତ୍ପରତା ପ୍ରକାଶ କରୁନାହାଁନ୍ତି। ଦୀର୍ଘ ୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ଓ.ଇ.ଏସ୍. ପରୀକ୍ଷା କରାଯାଇନାହିଁ। ଫଳରେ ଅନେକ ଯୋଗ୍ୟ ଶିକ୍ଷକ ଏହି ପଦବୀ ପାଇବାରୁ ବଞ୍ଚିତ ହୋଇଛନ୍ତି ଏବଂ ଅନେକ ପ୍ରମୋଶନ ନପାଇ ଅବସର ଗ୍ରହଣ ମଧ୍ୟ କରିସାରିଲେଣି। ହାଇସ୍କୁଲ୍ ଗୁଡ଼ିକରେ ଅନେକ ଜେସ୍, ସେସ୍, ଲେସ୍, ଟିଏମ୍, ଟିଆଇ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ନିୟମ ଅନୁସାରେ ତାହା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରୁ ଯୋଗ୍ୟ ଶିକ୍ଷକମାନଙ୍କ ଦ୍ୱାରା ପୂରଣ ହେବା କଥା। ତାହା ମଧ୍ୟ ଦୀର୍ଘଦିନ ଧରି ପୂରଣ ହୋଇପାରୁନାହିଁ। ଫଳରେ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହେଲାଣି ବୋଲି ରାଜ୍ୟ ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘ ସଭାପତି ସରୋଜ କୁମାର ପଣ୍ଡା ଅଭିଯୋଗ କରିଛନ୍ତି।
ଆଜି ସରକାର ଚିନ୍ତା କରୁଛନ୍ତି ଯେ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜନସାଧାରଣ ଭରସା କରୁଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରୁ ସେମାନେ ମୁହଁ ଫେରାଇ ନେଉଛନ୍ତି। ଯଦି ଠିକ୍ ସମୟରେ ଠିକ୍ ଲୋକକୁ ତା’ର ଉପଯୁକ୍ତ ପଦମର୍ଯ୍ୟାଦା ଦିଆଯାଇ ଯୋଗ୍ୟତା ଆଧାରରେ ଅବସ୍ଥାପିତ କରାଯାଇଥାନ୍ତା ତେବେ ଆଜି ଏପରି ଅବସ୍ଥା ହୋଇନଥାନ୍ତା। ଏବେ ବି ସମୟ ଅଛି ନେଡ଼ିଗୁଡ କହୁଣୀକୁ ବୋହିଯିବା ଆଗରୁ ସରକାର ଏ ଦିଗରେ ବିଚାର କରି ତୁରନ୍ତ ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରନ୍ତୁ। ଶ୍ରେଣୀ ଅନୁଯାୟୀ ଶିକ୍ଷକ ନିଯୁକ୍ତି ଦିଅନ୍ତୁ। ବି.ଏଡ୍ ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ବିଭାଗୀୟ ପରୀକ୍ଷା କରାଇ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ଦେଇ ସେମାନଙ୍କର ଦରମା ନିର୍ଦ୍ଧାରଣ କରନ୍ତୁ ଓ ଯେତେଶୀଘ୍ର ସମ୍ଭବ ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ଓ.ଇ.ଏସ୍. ପଦବୀକୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ମଧ୍ୟରୁ ଯୋଗ୍ୟତା ଆଧାରରେ ପରୀକ୍ଷା କରାଇ ଉପଯୁକ୍ତ ସ୍ଥାନରେ ଅବସ୍ଥାପିତ କରନ୍ତୁ ବୋଲି ରାଜ୍ୟ ସଂଘର ସାଧାରଣ ସମ୍ପାଦକ ରୂପେଶ କୁମାର ସାହୁ ଏବଂ ପୂର୍ବତନ ସଭାପତି ଅଜୟ କୁମାର ଧଳ ଓ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ ପ୍ରମୁଖ ସରକାରଙ୍କ ନିକଟରେ ଦୃଢ ଦାବି ଜଣାଇଛନ୍ତି।