Odiapua.com

ରାଜସ୍ୱ ସମୀକ୍ଷା ବୈଠକ – ରାଜସ୍ୱ ଆଦାୟ ବୃଦ୍ଧି ଉପରେ ଜିଲାପାଳଙ୍କ ଗୁରୁତ୍ୱ

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଉ ୩ ଦିନ ପରେ ୨୦୨୩ ମାର୍ଚ୍ଚ ମାସର ଆର୍ଥିକ ବର୍ଷର ସମାପ୍ତି ଘଟିବ। ଜିଲାର ରାଜସ୍ୱ ବୃଦ୍ଧି ନେଇ ରାଜସ୍ୱ ସମୀକ୍ଷା ବୈଠକରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷମାନଙ୍କୁ ତାଗିଦ କରିଛନ୍ତି। ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଦୁଇ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି ଓ ରାମଦାସ ଟୁଡୁ, ଉପଜିଲାପାଳ ମନୋଜ ପାତ୍ରଙ୍କ ସମେତ ୭ଟି ତହସିଲର ତହସିଲଦାର, ଜିଲା ସବ୍‌ରେଜିଷ୍ଟର, ଜିଲା ଅବକାରୀ ଅଧିକାରୀ, ଜିଲା ସଡକ ପରିବହନ କର୍ତ୍ତୃପକ୍ଷ (ଆରଟିଓ) ଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ। ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ମାସ ସୁଦ୍ଧା ରାଜସ୍ୱ ଆଦାୟରେ ଆଶାନୁରୂପ ବୃଦ୍ଧି ଘଟିନଥିବା ନେଇ ଜିଲାପାଳ ଶ୍ରୀ ବୋନ୍ଦର ଅସନ୍ତୋଷ ପ୍ରକାଶ କରିଥିଲେ। ଆର୍ଥିକ ବର୍ଷ ଶେଷସୁଦ୍ଧା ଲକ୍ଷଧାର୍ଯ୍ୟ ଠାରୁ ଅଧିକ ରାଜସ୍ୱ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଜିଲାର ବିକାଶଧାରାରେ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ତରଫରୁ ଆବଶ୍ୟକ ପଡୁଥିବା ଜମି ଅଧିଗ୍ରହଣ କିମ୍ବା ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମକୁ ତହସିଲଦାରମାନେ ଗୁରୁତ୍ୱଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଭଦ୍ରକ ଆଖଣ୍ଡଳମଣି ଆରଡି ୪ କିମି ରାସ୍ତାର ସଂପ୍ରସାରଣ କାର୍ଯ୍ୟର ଜବରଦଖଲ କିମ୍ବା ରାସ୍ତାପାଶ୍ୱର୍ରେ ଥିବା ଗଛଗୁଡିକର ଉଚ୍ଛେଦ କାର୍ଯ୍ୟକୁ ଅବହେଳା ପ୍ରଦର୍ଶନ ନକରି ତୁରନ୍ତ କାର୍ଯ୍ୟ ସଂପାଦନ କରିବାକୁ ଅଧିକ ଗୁରୁତ୍ୱ ଦେଇଥିଲେ। ଅନୁଷ୍ଠିତ ସମୀକ୍ଷା ବୈଠକରେ ଫେବୃୟାରୀ ମାସ ସୁଦ୍ଧା ରାଜସ୍ୱ ଆଦାୟର ଡିମେଣ୍ଟ ୨୯ କୋଟି ୮୬ ଲକ୍ଷ ୯୨ ହଜାର ଥିବାବେଳେ ଆଦାୟ ହୋଇଛି ୨୦ କୋଟି ୬୨ ଲକ୍ଷ ୫୦ ହଜାର। ଯାହାକି ୬୯.୦୫ ପ୍ରତିଶତ। ଭଦ୍ରକ ତହସିଲର ଡିମେଣ୍ଟ ୪ କୋଟି ୪ ଲକ୍ଷ ୭୩ ହଜାର ଥିବାବେଳେ ଆଦାୟ ହୋଇଛି ୨ କୋଟି ୬୭ ଲକ୍ଷ ୭ ହଜାର (୬୫.୯୯%)। ସେହିପରି ବାସୁଦେବପୁର ତହସିଲର ଡିମେଣ୍ଟ ୧ କୋଟି ୩୨ ଲକ୍ଷ ୯୯ ହଜାର ଥିବାବେଳେ ଆଦାୟ ହୋଇଛି ୧ କୋଟି ୯୧ ଲକ୍ଷ ୯ ହଜାର (୧୪୩.୬୯%), ବନ୍ତ ତହସିଲର ଡିମେଣ୍ଟ ୧ କୋଟି ୭୪ ଲକ୍ଷ ୧୨ ହଜାର ଥିବାବେଳେ ଆଦାୟ ହୋଇଛି ୫୨ ଲକ୍ଷ ୩୭ ହଜାର (୩୩.୦୮%), ଭଣ୍ଡାରିପୋଖରୀ ତହସିଲର ଡିମେଣ୍ଟ ୧୪ କୋଟି ୮୧ ଲକ୍ଷ ୬ ହଜାର ଥିବାବେଳେ ଆଦାୟ ହୋଇଛି ୪ କୋଟି ୩ ଲକ୍ଷ ୬୮ ହଜାର (୨୭.୨୬%), ଚାନ୍ଦବାଲିର ଡିମେଣ୍ଟ ୬ କୋଟି ୫୬ ଲକ୍ଷ ୫୭ ହଜାର ଥିବାବେଳେ ଆଦାୟ ହୋଇଛି ୧୦ କୋଟି ୫୫ ଲକ୍ଷ ୨୪ ହଜାର (୧୬୦.୭୨%), ଧାମନଗର ତହସିଲର ଡିମେଣ୍ଟ ୭୩ ଲକ୍ଷ ୨୬ ହଜାର ଥିବାବେଳେ ଆଦାୟ ହୋଇଛି ୩୪ ଲକ୍ଷ ୧୮ ହଜାର (୪୬.୬୬%), ତିହିଡି ତହସିଲର ଡିମେଣ୍ଟ ୬୪ ଲକ୍ଷ ୧୯ ହଜାର ଥିବାବେଳେ ଫେବୃୟାରୀ ମାସ ଶେଷ ସୁଦ୍ଧା ୫୮ ଲକ୍ଷ ୮୭ ହଜାର ରାଜସ୍ୱ ଆଦାୟ ହୋଇଅଛି (୯୧.୭୧%)।