Odiapua.com

ରାଜସ୍ୱ ମନ୍ତ୍ରୀଙ୍କ କଳାହାଣ୍ଡି ବନ୍ୟା ପରିସ୍ଥିତି ସମୀକ୍ଷା

କଳାହାଣ୍ଡି – ୧୨.୦୮.୨୦୧୯ (ଓଡିଆପୁଅ) ଓଡିଶାର ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ । କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ରାଜସ୍ୱ ବିଭାଗ ଅତିରିକ୍ତ ସଚିବ ପ୍ରଭାବ ମହାପାତ୍ର, କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି ତଥା ରାଜସ୍ୱ ବିଭାଗର ପଦସ୍ଥ ପଦାଧିକାରୀ ମାନେ ଯୋଗ ଦେଇ ଗତ ସପ୍ତାହରେ ହୋଇଥିବା ବର୍ଷାରେ କଳାହାଣ୍ଡି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ସମୀକ୍ଷା କରିଥିଲେ । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଲଘୂଚାପ ଜନିତ ପ୍ରବଳ ବର୍ଷାରେ ଥୁଆମୂଲ ରାମପୁର ବ୍ଲକ, କର୍ଲାମୁଣ୍ଡା ବ୍ଲକ, ଲାଂଜିଗଡ ବ୍ଲକ ଆଦି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହାତୀ ନଦୀରେ ପ୍ରବଳ ବନ୍ୟା ଜଳ ନିଷ୍କାସିତ ହେବାପରେ ଜିଲ୍ଲା ପ୍ରଶାସନଙ୍କ ନିଦେ୍ର୍ଦଶ କ୍ରମେ ଇନ୍ଦ୍ରାବତୀ ରୁ ୨୭ ଘଂଟା କାଳ ବିଦ୍ୟୁତ ଉତ୍ପାଦନ ବନ୍ଦ ରଖା ଯାଇଥିଲା । ହେଲେ ଗତ ୯ ଓ ୧୦ ତାରିଖ ଦୁଇଦିନ ଧରି ବର୍ଷା କମିଯାଇଥିବା ବେଳେ ବନ୍ୟା ସ୍ଥିତି କ୍ରମଶଃ ସୁଧାର ଆସିଯାଇଥିଲା । ଥୁଆମୂଲ ରାମପୁର, ଲାଂଜିଗଡ, କର୍ଲାମୁଣ୍ଡା ଆଦି ବ୍ଲକ ଅଂଚଳରେ ବ୍ୟାପକ ଭାବେ ଭିତିଭୂମି ଧୋଇ ହୋଇ ଯାଇଥିବା ବେଳେ ବହୁ ଘରଦ୍ୱାର ଭାଙ୍ଗି ଯାଇ ଅନେକ ଜମିରେ ବାଲିଚର ହୋଇ ଯାଇଥିବା ଜଣାପଡିଛି । ଜୁନାଗଡ ବ୍ଲକର ହାତୀ ନଦୀ କୂଳିଆ ଅନେକ ତଳିଆ ଜମିରେ ପାଣି ମାଡି ଯାଇ ଅଦ୍ୟାବଧି ପାଣି ନିଷ୍କାାସନ ହୋଇପାରୁନାହିଁ । ଯାହା ଫଳରେ ଚାଷ ଜମି କ୍ଷୟୈତି ହେବା ସହ ଅନେକ ଚାଷ ନଷ୍ଟ ହେବାରେ ଲାଗିଛି । ଏକ ସପ୍ତାହ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ ରିପୋର୍ଟ ପ୍ରଦାନ କରିବାକୁ ରାଜସ୍ୱ ମନ୍ତ୍ରୀ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ରିଲିଫ କୋର୍ଟ ଅନୁସାରେ ଆକଳନ ରିପୋର୍ଟ ଆସିବା ପରେ କ୍ଷୟକ୍ଷତିର ଭରଣା କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରକାଶ କରିଥିଲେ । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ହୋଇଥିବା ପ୍ରବଳ ବର୍ଷାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଦୁଇ ତିନି ଦିନ ବର୍ଷା ବନ୍ଦ ହୋଇଯାଇଥିବାରୁ ଲୋକେ ଟିକିଏ ଆସ୍ୱସ୍ତ ହେଉଥିବା ବେଳକୁ ଏବେ ଗତ ୧୨ ତାରିଖ ଠାରୁ ପୁନଃ ଜିଲ୍ଲା ସାରା ବର୍ଷା ଲାଗି ରହିଥିବା ହେତୁ ଚାଷ କାର୍ଯ୍ୟ ସବୁ ବନ୍ଦ ହୋଇଯାଇଥିବା ସହିତ ଜନଜୀବନ ମଧ୍ୟ ଅସ୍ତ ବ୍ୟସ୍ତ ହୋଇଯାଇଥିବା ଜଣାପଡିଛି ।