Odiapua.com

ରାଜସ୍ଥାନୀ ହସ୍ତତନ୍ତ ବସ୍ତ୍ରମେଳା ଉଦଘାଟିତ

ବାଲେଶ୍ୱର, ୨୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ରାଜସ୍ଥାନୀ ହସ୍ତତନ୍ତ ବସ୍ତ୍ର ଓ ହସ୍ତକଳା ସାମଗ୍ରୀ ସମ୍ବଳିତ ଏକ ସ୍ୱତନ୍ତ୍ର ମେଳା ସହରର ଆଇଟିଆଇ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ରେବତୀ ପତ୍ରିକାର ସମ୍ପାଦିକା ତଥା ସମାଜସେବୀ ସୁବାସିନୀ ଜେନା ଏହାକୁ ଉଦ୍ଘାଟନ କରିଥିଲେ। ରାଜସ୍ଥାନର ବ୍ୟବସାୟୀଙ୍କ ପକ୍ଷରୁ ବାଲେଶ୍ୱରରେ ନିୟମିତ ବ୍ୟବଧାନରେ ହେଉଥିବା ଏହିଭଳି ମେଳା ଯୋଗୁଁ ଏଠାକାର ଜନସାଧାରଣଙ୍କ ମଧ୍ୟରେ ହସ୍ତକଳା ଓ ହସ୍ତତନ୍ତ ବସ୍ତ୍ର ପ୍ରତି ଆଗ୍ରହ ବୃଦ୍ଧିପାଇଥିବା ସେ ମତବ୍ୟକ୍ତ କରିଥିଲେ। ସରକାରଙ୍କ କୋଭିଡ ନିୟମ ପାଳ ପାଇଁ ପରାମର୍ଶ ଦେବା ସହ ସେ ଏହି ମେଳାର ବ୍ୟବସାୟିକ ସଫଳତା କାମନା କରିଥିଲେ। ସମୟର ଚକ୍ର ପତ୍ରିକାର ସମ୍ପାଦକ ସର୍ବେଶ୍ୱର ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ, ପୂର୍ବତନ ପୌରପାଳ ଆଲୋକ ସାହୁ, କବି ଅଭୟ ଦାସ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶତୃଘ୍ନ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରଂଜନ ବାଗ, ରାଜସ୍ଥାନୀ ହସ୍ତତନ୍ତ ବସ୍ତ୍ର ସୋସାଇଟିର କର୍ମକର୍ତ୍ତା ବୀରେନ୍ଦ୍ର ଶର୍ମା ପ୍ରମୁଖ ଯୋଗଦେଇ ମେଳାର ସଫଳତା କାମନା କରିଥିଲେ। ତେବେ କରୋନା କଟକଣା କୋହଳ ହୋଇଥିଲେ ବି ସାମ୍ଭବ୍ୟ ସଂକ୍ରମଣରୁ ବର୍ତିବା ପାଇଁ ସମସ୍ତେ ସରକାରଙ୍କ କୋଭିଡ ଗାଇଡଲାଇନକୁ ମାନି ମେଳାକୁ ଆସିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବର୍ଷ ଏହି ମେଳା ଆୟୋଜିତ ହୋଇଆସୁଥିବା ବେଳେ କରୋନା ପାଇଁ ହ୍ୟାଣ୍ଡଲୁମ ପ୍ରସ୍ତୁତକାରୀ କାରିଗର ଓ ବିକ୍ରେତାମାନଙ୍କ ଜୀବନଧାରଣ ଦୁର୍ବିସହ ହୋଇପଡିଛି ବୋଲି ଆୟୋଜକ ଶ୍ରୀ ଶର୍ମା କହିଥିଲେ। ବାଲେଶ୍ୱରବାସୀ କୋଭିଡ ନିୟମ ପାଳନ ସହ ଅଧିକ ସଂଖ୍ୟାରେ ଆସି ସେମାନଙ୍କୁ ପ୍ରୋତ୍ସାହିତ ପାଇଁ ନିବେଦନ କରିଥିଲେ। ଦେଢ଼ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ସାମଗ୍ରୀ ସମ୍ବଳିତ ୬୦ରୁ ଊର୍ଦ୍ଧ୍ୱ ଷ୍ଟଲ ଲାଗିଥିବା ଲକ୍ଷ୍ୟ କରାଯାଇଥିଲା।